ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ ମେଗା ନିଲାମରେ ଦ୍ଵିତୀୟ ଦିନ ବିଚିତ୍ର ଘଟଣା ଦେଖିବାକୁ ମିଳିଛି। ଆଜିଙ୍କ୍ୟ ରାହାଣେ ଓ କେନ ଓ୍ଵିଲିୟମନ ସମେତ ଅନେକ ବରିଷ୍ଠ ଖେଳାଳିଙ୍କୁ ପ୍ରଥମ ଥର କେହି କିଣି ନାହାନ୍ତି। ଏପରିକି ପୃଥ୍ଵୀ ଶ ଓ ମୟଙ୍କ ଅଗ୍ରଓ୍ଵାଲଙ୍କ ପ୍ରତି କୌଣସି ଫ୍ରାଞ୍ଚାଇଜ ରୁଚି ଦେଖାଇ ନାହାନ୍ତି। ଓ୍ଵିଲିୟସନଙ୍କ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ଥିବା ବେଳେ ରାହାଣେଙ୍କ ୧.୫୦ କୋଟି, ପୃଥ୍ଵୀ ଶଙ୍କ ମାତ୍ର ୭୫ ଲକ୍ଷ ଥିଲା। ପୃଥ୍ଵୀ ଶ ଭାରତୀୟ ଦଳରୁ ବାହାର ହେବା ସହ ଘରୋଇ ଦଳରୁ ମଧ୍ୟ ବାଦ୍ ପଡ଼ିଥିଲେ। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା।
ରାହାଣେ ଭାରତୀୟ ଦଳରୁ ଦୀର୍ଘ ସମୟ ଧରି ବାହାରେ ଥିବା ବେଳେ କେନ ଓ୍ଵିଲିୟମସନ ମଧ୍ୟ ନିଜ ଦଳରୁ ବାହାରେ ଅଛନ୍ତି। ରାହାଣେ ଗତ ସିଜିନରେ ଚେନ୍ନାଇ ସୁପର କିଙ୍ଗ୍ସର ଖେଳାଳି ଥିଲେ। ମାତ୍ର ଏଥର ନିଲାମରେ ତାଙ୍କୁ କୌଣସି ଦଳ କିଣି ନାହାନ୍ତି। ଓ୍ଵିଲିୟମସନ ଗୁଜରାଟ ଟାଇଟନ୍ସ ପକ୍ଷରୁ ଖେଳୁଥିଲେ। ମାତ୍ର ଆଇପିଏଲ୍ରେ ପ୍ରଥମ ଥର କୌଣସି ଦଳ ତାଙ୍କୁ କିଣିବା ପାଇଁ ଆଗ୍ରହ ପ୍ରକାଶ କରି ନାହାନ୍ତି। ଏହି ଦୁଇ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟ୍ ସହିତ ଆଇପିଏଲ୍ରେ ମଧ୍ୟ କମାଲ କରି ସାରିଛନ୍ତି।
ଦୀର୍ଘ ଦିନରୁ ଅନ୍ତର୍ଜାତୀୟ କ୍ରିକେଟ୍ରୁ ବାହାରେ ଅଛନ୍ତି ପୃଥ୍ଵୀ ଶ। ନିକଟରେ ମୁମ୍ବାଇ ମଧ୍ୟ ତାଙ୍କୁ ଦଳରୁ ବାଦ୍ ଦେଇଥିଲା। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଥିଲା। ଏପରିକି ତାଙ୍କ ଫିଟନେସ୍କୁ ନେଇ ମଧ୍ୟ ରାଜ୍ୟ କ୍ରିକେଟ୍ ବୋର୍ଡ ଖପ୍ପା ଥିଲା। ଏହା ପୂର୍ବରୁ ପୃଥ୍ଵୀ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିଲେ। ମାତ୍ର ଦିଲ୍ଲୀ ମଧ୍ୟ ତାଙ୍କୁ ବାଦ୍ ଦେଇଥିଲା। ପୃଥ୍ଵୀ ଏ ପର୍ଯ୍ୟନ୍ତ ଆଇପିଏଲ୍ରେ ୭୯ ମ୍ୟାଚ୍ ଖେଳି ୧୮୯୨ ରନ କରିଛନ୍ତି।
ମୟଙ୍କ ଓ ଶାର୍ଦ୍ଦୁଳ ଅନସୋଲ୍ଡ
ଭାରତୀୟ ଦଳ ପାଇଁ ଖେଳି ସାରିଥିବା ମୟଙ୍କ ଅଗ୍ରଓ୍ଵାଲଙ୍କୁ ମଧ୍ୟ କୌଣସି ଦଳ କିଣି ନାହାନ୍ତି। ତାଙ୍କର ମୂଳ ମୂଲ୍ୟ ଏକ କୋଟି ଥିଲା। ହେଲେ ପ୍ରଥମ ଥର ସେ ଅଲୋଡ଼ା ରହିଛନ୍ତି। ଶାର୍ଦ୍ଦୁଳ ଠାକୁର ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି। ମାତ୍ର ତାଙ୍କୁ ବି କୌଣସି ଫ୍ରାଞ୍ଚାଇଜ କିଣିବା ପାଇଁ ରୁଚି ଦେଖାଇ ନାହାନ୍ତି। ନ୍ୟୁଜିଲାଣ୍ଡର ଖେଳାଳି ଗ୍ଲେନ ଫିଲିପ୍ସଙ୍କ ଉପରେ କୌଣସି ଦଳ ନିଲାମ ଡାକି ନାହାନ୍ତି। ହେଲେ ଏହି ସବୁ ଖେଳାଳିଙ୍କ ନାଁ ପୁନର୍ବାର ନିଲାମରେ ଡକାଯାଇପାରେ।
ଆଇପିଏଲ୍ ୨୦୨୫ ମେଗା ନିଲାମର ଦ୍ଵିତୀୟ ଦିନରେ ବିକ୍ରି ହୋଇ ପାରି ନଥିବା ଖେଳାଳି
ଆଜିଙ୍କ୍ୟ ରାହାଣେ- ଭାରତ
ପୃଥ୍ଵୀ ଶ- ଭାରତ
ମୟଙ୍କ ଅଗ୍ରଓ୍ଵାଲ- ଭାରତ
ଡାରିଲ ମିଚେଲ୍- ନ୍ୟୁଜିଲାଣ୍ଡ
କେନ୍ ଓ୍ଵିଲିୟମସନ- ନ୍ୟୁଜିଲାଣ୍ଡ
ଗ୍ଲେନ ଫିଲିପ୍ସ- ନ୍ୟୁଜିଲାଣ୍ଡ