ଚଳଚଞ୍ଚଳ ରଥଖଳା; ତିନି ରଥର ଦଣ୍ଡାଫ୍ରେମ୍ ପ୍ରସ୍ତୁତି ଶେଷ, ଲାଗିଲା ଆଗ-ପଛ ମୁହାଁଟ

Published By : Prameya-News7 Bureau | June 14, 2024 IST

ପୁରୀ,୧୪/୦୬: ପୁରୀ ରଥଖଳାରେ ଜୋରଦାର ଚାଲିଛି ରଥ କାମ । ଗୁରୁବାର ତିନି ରଥର ଦଣ୍ଡା ଫ୍ରେମ୍ ପସ୍ତୁତି ଶେଷ ହୋଇଛି । ଦଣ୍ଡାରେ ଲାଗିଛି ଆଗ-ପଛ ମୁହାଁଟ । ୫ଟି ବିନ୍ଧ ହୋଇ ଦଣ୍ଡାରେ ଫିଟିଂ କରିଛନ୍ତି ମହାରଣା ସେବାୟତ । ମୁଖ୍ୟ ପାଞ୍ଚ ଦଣ୍ଡାରେ ଲାଗିଛି ମୁହାଁଟ । ଆଗ ଓ ପଛ ମୁହାଁଟିରେ ଗୁଜ ମଧ୍ୟ ପୋତା ହୋଇଛି । ୫ ଗୁଜ ଉପକୁ ନିରାଡ଼ି ଉଠିଛି । ଏହାପରେ ଚତୁଃପାର୍ଶ୍ୱରେ କୁଡ଼ୁକା ଲାଗି ହୋଇଥିବା ବେଳେ ପାର୍ଶ୍ୱର ଦଣ୍ଡାରେ ମୁହାଁଟ ସ୍ଥାପନ ହୋଇଛି । ସେହିପରି ପାର୍ଶ୍ୱର ମୁହାଁଟିରେ  କୋଣ ଗୁଜ ଓ ଜଳଯନ୍ତ୍ର ସ୍ଥାପନ କରିଛନ୍ତି ମହାରଣା କାରିଗର । ସେହିପରି ଗୁଜରେ ନିରାଜି ସଂଯୋଗ କରି ଦଣ୍ଡାଫ୍ରେମ୍ ପ୍ରସ୍ତୁତ ଶେଷ ହୋଇଛି । ଦଣ୍ଡାଫ୍ରେମ କାମ ମୁଖ୍ୟ ମହାରଣାମାନଙ୍କ ତତ୍ତ୍ୱାବଧାନରେ ଭୋଇ ସେବକଙ୍କ ଦ୍ବାରା ସମ୍ପନ୍ନ ହୋଇଛି ।

ସେହିପରି ତିନି ରଥରେ ଆଗ ଆଣି ପଛ ଆଣି ଢମକ ଚଉପଟ କାମ ଶେଷ ହୋଇଛି ।  ତାଳଧ୍ଵଜ ରଥ ଏବଂ ନନ୍ଦିଘୋଷ ରଥର ୨ଟି ଲେଖାଏଁ ପୋଲ ଗୟଳର ଚଉପଟ କାର୍ଯ୍ୟ ସରିଛି । ଅନ୍ୟପଟେ ତିନି ରଥର ଚାରୋଟି ଲେଖାଏଁ ୧୪ ନାହାକାର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ୩ ରଥ ପାଇଁ ୮ଟି ଲେଖାଏଁ ୨୪ଟି ନାଟ ଗୋଡ଼ ପ୍ରସ୍ତୁତ କରି, ସେଥିରେ ରାହୁ ରୂପ ଖୋଦେଇ ପାଇଁ ରୂପକାର ସେବକ ମାନଙ୍କୁ ଯୋଗାଇ ଦେଇଛନ୍ତି । 

ଆଜି ରୂପକାର ସେବକମାନେ ତିନି ରଥର ବେଦୀ ସିଂହାସନ ମୁହାଁଟିରେ ଚିତ୍ର ଖୋଦେଇ ସହ ୩ ରଥ ଚାରି ଦୁଆର ନାଟ ଗୋଡ଼ରେ ରାହୁ ରୂପ ଖୋଦେଇ ଆରମ୍ଭ କରୁଛନ୍ତି। ସେପଟେ ଦର୍ପଦଳନ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ କରତୀ ସେବକ ମାନେ ଜାରୀ ରଖିଛନ୍ତି । ଦୋଳ ବେଦୀ ଠାରେ ପାହି ମହାରଣାମାନେ ରଥରେ ପୂଜାର୍ଚ୍ଚନା ପାଇଁ ବେଶ ଘୋଡିଆ ଏବଂ ଫୁଲ ଚାଙ୍ଗଡ଼ା ଫ୍ରେମ ପ୍ରସ୍ତୁତ କରୁଛନ୍ତି। ଅନ୍ୟପଟେ ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ଯୋକା କଣ୍ଟା, ଗୟଳ କଣ୍ଟା ଏବଂ ପୋଟଳ ପାଇଁ ଵାଗିଆ କଣ୍ଟା ସହ ଚାରି ବାହାକାରେ ବଟନ ବାଡିଆ ପାଇଁ ଚଣାକ କଣ୍ଟା ପ୍ରସ୍ତୁତ କରୁଛନ୍ତି ।

  • puri
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.