ନୂଆଦିଲ୍ଲୀ: ରିଲିଜ ପରଠାରୁ ଜାରି ରହିଛି ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା-୨’ କ୍ରେଜ୍। ଫିଲ୍ମ କେବଳ ଯେ ବମ୍ପର ଆୟ କରୁନାହିଁ ବରଂ ଗୋଟିଏ ପରେ ଗୋଟିଏ ରେକର୍ଡ କରିବାରେ ଲାଗିଛି। ଆଉ ଏହି ରେକର୍ଡରେ ଯୋଡ଼ି ହୋଇଛି ନୂଆ ଫର୍ଦ୍ଦ। ‘ପୁଷ୍ପା-୨’ ଏବେ ହୋଇଛି ଭାରତର ଦ୍ବିତୀୟ ସବୁଠୁ ଅଧିକ ଆୟ କରିଥିବା ଫିଲ୍ମ। ବଡ଼ କଥା ହେଲା ଫିଲ୍ମ କେବଳ ୨୮ ଦିନରେ ଏହି ବଡ଼ ରେକର୍ଡ କରିଛି। ପୂର୍ବରୁ ଏହି ରେକର୍ଡ ପ୍ରଭାସଙ୍କ ଫିଲ୍ମ ‘ବାହୁବଳୀ-୨’ କରିଥିଲା।
ସାକନିକର ରିପୋର୍ଟ ଅନୁଯାୟୀ, ୨୦୧୭ରେ ରିଲିଜ୍ ହୋଇଥିବା ‘ବାହୁବଳୀ-୨’ ଦୁନିଆରେ ୧୭୮୮.୦୬ କୋଟି ଟଙ୍କାର ଆୟ କରିଥିଲା ଏବଂ ଭାରତର ଦ୍ବିତୀୟ ବଡ଼ ଫିଲ୍ମ ହୋଇଥିଲା। ହେଲେ ୨୦୨୪ ଡିସେମ୍ବର ୫ରେ ରିଲିଜ ହୋଇଥିବା ‘ପୁଷ୍ପା-୨’ ଏବେ ଆୟରେ ‘ବାହୁବଳୀ-୨’କୁ ପଛରେ ପକାଇ ଏହି ରେକର୍ଡ ନିଜ ନାଁରେ କରିଛି।
‘ପୁଷ୍ପା-୨’ର ଆୟ
‘ପୁଷ୍ପା’ର ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ସେୟାର ପୋଷ୍ଟ ଅନୁସାରେ ଫିଲ୍ମ ୨୮ ଦିନରେ ୧୭୯୯ କୋଟି ଟଙ୍କାର ବ୍ୟବସାୟ କରିଛି। ଏବେବି ଫିଲ୍ମର ଆୟ ଜାରି ରହିଛି। ଏମିତିରେ ଏବେ ଦେଖିବା ବାକି ରହିଲା ଫିଲ୍ମ ଆଉ କେତେ ଟଙ୍କାର ବ୍ୟବସାୟ କରିବ।
ତେବେ ‘ବାହୁବଳୀ-୨’ ର ରେକର୍ଡ ଭାଙ୍ଗିବା ପରେ ‘ପୁଷ୍ପା-୨’ ଆଗରେ ଏବେ କେବଳ ଗୋଟିଏ ଫିଲ୍ମ ରହିଛି, ତାହା ହେଉଛି ‘ଦଙ୍ଗଲ’। ଆମିର ଖାନଙ୍କ ଫିଲ୍ମ ଭାରତର ସବୁଠୁ ଅଧିକ ଆୟ କରିଥିବା ଫିଲ୍ମ। ଏହି ଫିଲ୍ମ ଦୁନିଆରେ ୨୦୭୦ କୋଟି ଟଙ୍କାର ଆୟ କରିଥିଲା। ଏମିତିରେ ଯଦି ‘ପୁଷ୍ପା-୨’ ଏହି ରେକର୍ଡ ପର୍ଯ୍ୟନ୍ତ ପହଞ୍ଚୁଛି ତେବେ ଏହା ‘ଦଙ୍ଗଲ’ର ରେକର୍ଡ ମଧ୍ୟ ଭାଙ୍ଗିପାରେ ।