ରାଜସ୍ଥାନରେ ଉତ୍ତେଜନା: ସ୍ମାର୍ଟଫୋନ୍ ଲୋଭ ଦେଖାଇ ସ୍କୁଲ ଛାତ୍ରୀଙ୍କ ଯୌନ ଉତ୍ପୀଡ଼ନ, ବ୍ଲାକ୍‌ମେଲ୍ କରି ଧର୍ମ ପରିବର୍ତ୍ତନ

Published By : Prameya-News7 Bureau | February 27, 2025 IST

ନୂଆଦିଲ୍ଲୀ: ରାଜସ୍ଥାନରେ ଚାଞ୍ଚଲ୍ୟ। ସ୍କୁଲ୍‌ ଛାତ୍ରୀଙ୍କୁ ପ୍ରଥମେ ଯୌନ ଉତ୍ପୀଡ଼ନ, ପରେ ବ୍ଲାକମେଲିଂ କରି ଧର୍ମ ପରିବର୍ତ୍ତନ। ବିଚରା ସ୍କୁଲ୍‌ରେ ପଢୁଥିବା ଛୋଟ ଛୋଟ ଝିଅ ଏଭଳି କ୍ରୁର ମାନସିକାର ଶିକାର ହେଉଛନ୍ତି। ଏହି ଘଟଣା ଜଣାପଡିବା ପରେ ଏବେ ତାତିଛି ରାଜସ୍ଥାନ। ରାଜ୍ୟର ବିୱାର ଜିଲ୍ଲାରେ ଏହି ମାମଲା ସର୍ବାଧିକ ହେଉଛି।

ଏହି ଘଟଣାରେ ରାଜସ୍ଥାନର ମସୁଦା ଏବଂ ଏହାର ଆଖପାଖ ଅଞ୍ଚଳରେ ତୀବ୍ର ଆନ୍ଦୋଳନ ଓ ରାଲି ଜାରି ରହିଛି। ଅଭିଯୋଗ ପରେ ମାମଲାରେ ଜଣେ ପୂର୍ବତନ କାଉନସିଲରଙ୍କ ସମେତ ଏକାଧିକ ଅଭିଯୁକ୍ତଙ୍କୁ ପୁଲିସ ଅଟକ ରଖିଛି। ପୀଡ଼ିତା ଛାତ୍ରୀମାନଙ୍କର ସମ୍ପର୍କିଙ୍କ କହିବା ଅନୁସାରେ ଅଭିଯୁକ୍ତମାନେ ସୋସିଆଲ୍ ମିଡିଆ ମାଧ୍ୟମରେ ଝିଅମାନଙ୍କୁ ଫସାଉଥିଲେ। ସେମାନଙ୍କୁ ଚାଇନିଜ୍ ସ୍ମାର୍ଟ୍‌ଫୋନ୍ ଲାଞ୍ଚ ଦେଇ ସେମାନଙ୍କର ଯୌନ ଶୋଷଣ କରୁଥିଲେ। ପରେ ବ୍ଲାକ୍‌ମେଲ କରି ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରୁଥିଲେ ବୋଲି ପିଟିଆଇରେ ଖବର ପ୍ରକାଶ ପାଇଛି। 

ପଢ଼ନ୍ତୁ- ଓ୍ବାକଫ୍ ସଂଶୋଧନ ବିଧେୟକକୁ କ୍ୟାବିନେଟ୍ ମଞ୍ଜୁରି; ସଂସଦର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନରେ ହେବ ଆଗତ

ଘଟଣାରେ ପୁଲିସ ଅଟକ ରଖିଥିା ୧୧ ଜଣଙ୍କ ମଧ୍ୟରୁ ୩ ଜଣ ନାବାଳକ ଅଛନ୍ତି।  ମାମଲାରେ ସମ୍ପୃକ୍ତି ନେଇ ପୂର୍ବତନ କାଉନସିଲର ହାକିମ କ୍ୟୁରେସୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି ବୋଲି ମସୁଦା ଡିଏସ୍‌ପି ସଜ୍ଜନ ସିଂହ କହିଛନ୍ତି। କତ୍‌ଡା କୋର୍ଟ ତାଙ୍କୁ ୫ ଦିନ ପାଇଁ ପୁଲିସ କଷ୍ଟୁଡିରେ ପଠାଇଛନ୍ତି। ସେହିପରି ୪ ଅଭିଯୁକ୍ତ - ଲୁକମନ୍, ସୋହଲ ମନସୁରି, ରିୟାନ ମୋହମ୍ମଦ ଏବଂ ଆଫରାଜକୁ - ପାଞ୍ଚ ଦିନ ପୋଲିସରେ ରିମାଣ୍ଡରେ ନେବା ପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି। 

ସମସ୍ତ ଅଭିଯୁକ୍ତମାନେ ଗୋଟିଏ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ହୋଇଥିବା ବେଳେ ପୀଡ଼ିତା ନାବାଳିକାମାନେ ବିଭିନ୍ନ ସମ୍ପ୍ରଦାୟର ବୋଲି ଜଣାପଡ଼ିଛି। ତେଣୁ ଘଟଣାକୁ ନେଇ ରାଜ୍ୟରେ ସାମ୍ପ୍ରଦାୟିକ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। 

ଜଣେ ପୀଡ଼ିତା ଏକ ଟିଭି ଚ୍ୟାନେଲ୍‌କୁ ସାକ୍ଷାତ୍‌କାର ଦେଇ କହିଛନ୍ତି କିଛି ଅନ୍ତରଙ୍ଗ ଫଟୋ ଉଠାଇ ସେମାନେ ଝିଅମାନଙ୍କୁ ବ୍ଲାକ୍‌ମେଲ କରୁଛନ୍ତି। ଏହି ଯୌନ ଶୋଷଣା ମାମଲାରେ ୧୪-୧୫ ଜଣ ପୁଅ ସାମିଲ୍ ଅଛନ୍ତି। ତାଙ୍କ ଶ୍ରେଣୀର ୫ ଝିଅ ଏହି ଯୌନ ଉତ୍ପୀଡ଼ନର ଶିକାର ହୋଇଛନ୍ତି। ଏଥିରେ ଅନ୍ୟ ଛାତ୍ରୀମାନେ ବି ଥାଇପାରନ୍ତି ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି।   

ଘଟଣାକୁ ନେଇ ବିୱାର ଜିଲ୍ଲାର ବିଭିନ୍ନ ଏରିଆ, ମସୁଦା, ବିଜୟନନଗର,କେକ୍‌ଡି ଏବଂ ସରୱାଦ ଆଦି ଅଞ୍ଚଳ ବନ୍ଦ କରିଦିଆଯାଇଛି। ସାମ୍ପ୍ରଦାୟିକ ମାମଲା ହୋଇଥିବାରୁ ଏହାକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ ଓ ରାଲି ଆୟୋଜିତ ହେଉଛି।  

ଡିଏସ୍‌ପି ଶ୍ର ସିଂ ଇଣ୍ଡିଆନ ଏକ୍ସପ୍ରେସଙ୍କୁ ସୂଚନା ଦେଇ କହିଛନ୍ତି ଯେ ଗିରଫ କରାଯାଇଥିବା ଅପରାଧୀଙ୍କ ମୋବାଇଲ ଫୋନ୍‌ରୁ ଏପର୍ଯ୍ୟନ୍ତ ସେଭଳି କୌଣଶି ଫଟୋ ମିଳି ନାହିଁ। ତେବେ ଏଗୁଡ଼ିକର ଫୋରେନସିକ୍ ଯାଞ୍ଚ ପାଇଁ ସାଇନ୍ସ ଲାବୋରେଟୋରୀ ପଠାଯାଇଛି। ସେହିପରି ପୀଡ଼ିତାମାନଙ୍କର ମେଡିକାଲ ରିପୋର୍ଟ ମଧ୍ୟ ହସ୍ତଗତ ହୋଇ ନାହିଁ ବୋଲି ଡିଏସ୍‌ପି କହିଛନ୍ତି। 

ଫେବ୍ରୁଆରୀ ୧୬ ତାରିକରେ ଦୁଇ ପରିବାର ଏନେଇ ଥାନାରେ ମାମଲା କରିବା ପରେ ଘଟଣ ସାମ୍ନାକୁ ଆସିଥିଲା। ଏହାପରେ ଆଉ ୩ ପରିବାର ମଧ୍ୟ ସମାନ ଅଭିଯୋଗ ଆଣିଥିଲେ। ଫେବ୍ରୁଆରୀ ୧୮ ତାରିଖର ଘଟଣାକୁ ନେଇ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମାଙ୍କୁ କଡ଼ା ସମାଲୋଚନା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.