ରାୟଗଡ଼ା: ରାୟଗଡ଼ା ଅଧିଷ୍ଠାତ୍ରୀ ମା ମଝିଘରିଆଣୀ ମନ୍ଦିର ଦାନ ହୁଣ୍ଡି ୬ ମାସ ପରେ ଆଜି ଖୋଲାଯାଇଛି। ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ୱାବଧାନରେ ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଉପସ୍ଥିତିରେ ୯ଟି ଦାନ ହୁଣ୍ଡି ଆଜି ସକାଳ ୧୦.୩୦ରୁ ଖୋଲାଯାଇ ଗଣତି ଚାଲିଥିଲା। ହୁଣ୍ଡିରୁ ବାହାରିଛି ୯୪ ଲକ୍ଷ ୪୯ ହଜାର ଟଙ୍କା। ଏହାସହ ୯୩ ଗ୍ରାମ ସୁନା, ୨ କେଜି ରୁପା ମିଳିଛି।
ହୁଣ୍ଡିରୁ ଦାନ ଅର୍ଥ ଗଣତି କାର୍ଯ୍ୟରେ ବିଭିନ୍ନ ସଂଘଟନର ମହିଳା ଓ ପୁରୁଷ ସେଚ୍ଛାସେବୀ ସଦସ୍ୟ ନିୟୋଜିତ କରାଯାଇଛି। ଏଥିରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଗଣତି ପକ୍ରିୟାରେ ନିୟୋଜିତ ହୋଇଛନ୍ତି। ଗଣତି କାର୍ଯ୍ୟରେ ନିୟୋଜିତ ହୋଇ ନିଜକୁ ଭାଗ୍ୟବାନ ମନେ କରିଛନ୍ତି ଗଣତିରେ ନିୟୋଜିତ ଏସଏଚଜି ମହିଳା ସଦସ୍ୟ ମାନେ।
ଗତ ୬ମାସ ତଳେ ଦାନ ହୁଣ୍ଡିରୁ ସମୁଦାୟ ୯୯ ଲକ୍ଷ ୧୫ ହଜାର ୪୨୨ ଟଙ୍କା, ସୁନା ୫୩ ଗ୍ରାମ, ରୁପା ୨ କେଜି ୩୯୨ ଗ୍ରାମ ସହ ୩୩ଟି ବିଦେଶୀ ମୁଦ୍ରା ମିଳିଛି। ସକାଳରୁ ଗଣତି ଆରମ୍ଭ ହୋଇ ରାତ୍ରି ୯ଟା ପର୍ଯ୍ୟନ୍ତ ଚାଳିବ। ତେବେ ଆଜି ଦାନ ହୁଣ୍ଡିରୁ ବାହାରିବାକୁ ଥିବା ଅର୍ଥ ୟୁନିୟନ ବ୍ୟାଙ୍କ ମୁଖ୍ୟ ଶାଖାରେ ଡିପୋଜିଟ୍ କରାଯିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି।