ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମୁଦ୍ରାନୀତି ଘୋଷଣା ହୋଇଛି । ଆରବିଆଇ ମନିଟାରୀ ପଲିସି କମିଟି ବୈଠକ ପରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଏହାକୁ ଘୋଷଣା କରିଛନ୍ତି । ଏକାଦଶ ଥର ପାଇଁ ରେପୋ ରେଟ୍ରେ କୌଣସି ପରିବର୍ତ୍ତନ ହୋଇନାହିଁ । ପୂର୍ବ ଭଳି ରେପୋ ରେଟ୍ ୬.୫୦ ପ୍ରତିଶତରେ ସ୍ଥିର ରହିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଶେଷ ଥର ପାଇଁ ୨୦୨୩ ଫେବ୍ରୁଆରୀ ମାସରେ ଏହାକୁ ପରିବର୍ତ୍ତନ କରିଥିଲା । ୨୫ ବେସିସ୍ ପଏଣ୍ଟ୍ ବୃଦ୍ଧି କରି ୬.୫୦ ପ୍ରତିଶତରେ କରିଥିଲା । ଏହା ପରେ ବର୍ତ୍ତମାନ ସୁଦ୍ଧା କୌଣସି ପରିବର୍ତ୍ତନ ହୋଇନାହିଁ । ଫଳରେ ବ୍ୟାଙ୍କ ଋଣ ଇଏମଆଇ ଉପରେ ଏହାର କୌଣସି ପ୍ରଭାବ ପଡ଼ନାହିଁ ।
ଆରବିଆଇ ଗଭର୍ଣ୍ଣରଙ୍କ କାର୍ଯ୍ୟଚକାଳର ଏହା ଥିଲା ଅନ୍ତିମ ମନିଟାରୀ ପଲିସି କମିଟି ମିଟିଂ । ଏହି ବୈଠକରେ କମିଟିର ଅଧିକାଂଶ ସଦସ୍ୟ ରେପୋ ରେଟକୁ ସ୍ଥିର ରଖିବାକୁ ସହମତି ପ୍ରକାଶ କରିଥିଲେ । କେନ୍ଦ୍ରୀୟ ବ୍ୟାଙ୍କ୍ ୪:୨ ବହୁମତ ସହ ଏଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଦେଶରେ ଦରଦାମ ବୃଦ୍ଧିକୁ ଟାର୍ଗେଟ୍ କରି ବ୍ୟାଙ୍କ ଋଣକୁ ବୈଠକରେ ବିଶେଷ ଫୋକସ୍ କରାଯାଇଥିଲା । ତେଣୁ ରେପୋ ରେଟ୍କୁ ହ୍ରାସ କରାଯାଇନାହିଁ ।
ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶଙ୍କୁ ଅନୁଯାୟୀ, ଜୁଲାଇରୁ ସେପ୍ଟେମ୍ବର ତିନି ମାସରେ ଜିଡିପି ବୃଦ୍ଧି ଦର ଆକଳନ ଠାରୁ କମ୍ ରହିଛି । ଘରୋଇ ଉତ୍ପାଦ ୫.୪ ପ୍ରତିଶତ ରହିଛି । ଦ୍ବିତୀୟ ତ୍ରୟମାସରେ ଅର୍ଥବ୍ୟବସ୍ଥାରେ ମନ୍ଦା ସଙ୍କେତ ସମାପ୍ତ ହୋଇଛି । ଆରବିଆଇ ଚଳିତ ଆର୍ଥିକ ବର୍ଷରେ ଜିଡିପି ଆକଳନକୁ ୭.୨ ପ୍ରତିଶତରୁ ହ୍ରାସ କରି ୬.୬ ପ୍ରତିଶତ ରଖିଥିଲା । ଏହାଛଡ଼ା ଆରବିଆଇ ଗଭର୍ଣ୍ଣର କହିଛନ୍ତି, ଖାଦ୍ୟ ପଦାର୍ଥର ଦରଦାମ୍ ଲଗାତାର ବଢ଼ୁଥିବାରୁ ତୃତୀୟ ତ୍ରୟମାସରେ ମୁଦ୍ରାସ୍ଫିତି ଅଧିକ ରହିବାର ସମ୍ଭାବନା ରହିଛି । ମାତ୍ର ରବି ଫସଲ ଉତ୍ପାଦନ ପରେ ଏଥିରେ ସାମାନ୍ୟ ଆଶ୍ବସ୍ତି ମିଳିବ । ୨୦୨୪-୨୫ ମୁଦ୍ରାସ୍ଫୀତି ଅନୁମାନକୁ ରିଜର୍ଭ ବ୍ୟାଙ୍କ ବୃଦ୍ଧି କରି ୪.୮ ପ୍ରତିଶତକୁ ବଢ଼ାଇ ଦେଇଛି ।