କ୍ଷତି ସହିବାକୁ ପ୍ରସ୍ତୁତ, ହେଲେ ପାକିସ୍ତାନ ସହ କଦାପି କାରବାର କରିବୁନି, ଭାରତୀୟ ବ୍ୟବସାୟୀଙ୍କ ସଂକଳ୍ପ

Published By : Prameya-News7 Bureau | April 28, 2025 IST

ଭୁବନେଶ୍ଵର: ଜମ୍ମ-କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କୀ ହମଲାକୁ ଦୃଷ୍ଟିରେ ରଖି ଭାରତୀୟ ବ୍ୟବସାୟୀ ପାକିସ୍ତାନ ସହ କାରବାର କରିବାକୁ ପ୍ରସ୍ତୁତ ନୁହନ୍ତି। ଫାଇନାନସିଆଲ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ବ୍ୟବସାୟୀ ସଂଗଠନ କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ(CAIT) କହିଛି ଯେ, ଏପ୍ରିଲ ୨୨ରେ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କୀ ହମଲା କାରଣରୁ ଦେଶର ବ୍ୟବସାୟୀମାନେ ପାକିସ୍ତାନ ସହ ସବୁ ପ୍ରକାରର କାରବାର ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Also read: ବାଣିଜ୍ୟ ସମ୍ପର୍କ ଛିନ୍ନ କରି ଦେଲେ ଭାରତ-ପାକିସ୍ତାନ: କାହାର ହେବ ବେଶି କ୍ଷତି ?

କ୍ୟାଟ୍ ତରଫରୁ ଭୁବନେଶ୍ଵରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ନିଷ୍ପତ୍ତି ନିଆଯାଇଛି। କ୍ୟାଟ୍‌ର ସାଧାରଣ ସଂପାଦକ ପ୍ରବୀଣ ଖଣ୍ଡେଲଓ୍ଵାଲ କହିଛନ୍ତି, ପହଲଗାମରେ ନିରୀହ ପର୍ଯ୍ୟଟଙ୍କ ନୃଶଂସ ହତ୍ୟା ପ୍ରତିବାଦରେ ବ୍ୟବସାୟୀ ସଂଘ ପାକିସ୍ତାନ ସହିତ କୌଣସି ପ୍ରକାରର ଆମଦାନୀ ଓ ରପ୍ତାନୀ ତୁରନ୍ତ ବନ୍ଦ କରିବାକୁ ନିର୍ଣ୍ଣୟ ନେଇଛନ୍ତି। ୨୦୧୯ରେ ପୁଲଓ୍ଵାମାରେ ହୋଇଥିବା ଆତଙ୍କୀ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବ୍ୟବସାୟିକ ସଂପର୍କ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ଦୁଇ ଦେଶର କାରବାରରେ ଜବରଦସ୍ତ ହ୍ରାସ ପାଇଥିଲା। କ୍ୟାଟ୍ ରିପୋର୍ଟ ଅନୁସାରେ, ୨୦୧୮ରେ ପାଖାପାଖି ୩ ବିଲିୟନ ଡଲାରର ସର୍ବୋଚ୍ଚ ସ୍ତରରୁ ୨୦୨୪ରେ ବ୍ୟବସାୟ ୧.୨ ବିଲିୟନ ଡଲାର ପର୍ଯ୍ୟନ୍ତ ଖସି ଆସିଛି। 

କ୍ଷତି ସହିବାକୁ ପ୍ରସ୍ତୁତ

୨୦୨୪ ଏପ୍ରିଲରୁ ୨୦୨୫ ଜାନୁଆରୀ  ମଧ୍ୟରେ ଭାରତ ପାକିସ୍ତାନକୁ ପାଖାପାଖି ୫୦୦ ମିଲିୟନ ଡଲାରର ସାମଗ୍ରୀ ରପ୍ତାନୀ କରିଛି। ଏଥିରେ ମୁଖ୍ୟତଃ ଫାର୍ମାସ୍ୟୁଟିକଲ୍ସ, କେମିକାଲ୍ସ, ଚିନି ଓ ଅଟୋ ପାର୍ଟ୍ସ ସାମିଲ। ଅନ୍ୟପଟେ ପାକିସ୍ତାନଠୁ ଆମଦାନୀ ମାତ୍ର ୦.୪୨ ମିଲିୟନ ଡଲାର ରହିଛି। ଖଣ୍ଡେଲଓ୍ଵାଲ କହିଛନ୍ତି ଏବେ ବ୍ୟବସାୟୀ ପାକିସ୍ତାନ ସହ କାରବାର ସଂପୂର୍ଣ୍ଣ ଭାବେ ସମାପ୍ତ କରିବାକୁ ସଂକଳ୍ପ ନେଇଛନ୍ତି।  ଭାରତର ବ୍ୟବସାୟୀ ସମୁଦାୟ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା କାଏମ ପାଇଁ କୌଣସି ପ୍ରକାରର ଆର୍ଥିକ କ୍ଷତି ସହିବାକୁ ପ୍ରସ୍ତୁତ। 

ଅନ୍ୟପଟେ ଆଜି ଭାରତ ସରକାର ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇ ୧୬ ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ଉପରେ କଟକଣା ଲଗାଇଛି। ଏଥିରେ ଡନ ନ୍ୟୁ, ସମା ଟିଭି, ଆର୍ଯ୍ୟ ନ୍ୟୁ, ଜିଓ ନ୍ୟୁଜ, ବୋଲ ନ୍ୟୁଜ, ରଫତାର, ଦ ପାକିସ୍ତାନ ରେଫରେନ୍ସ, ଜିଏନଏସ, ଇରଶାଦ ଭଟ୍ଟି, ଉଜୈର କ୍ରିକେଟ୍, ଉମର ଚିମା, ଅସମର ସିରାଜୀ, ମୁନୀବ ଫକୁର, ସୁନୋ ନ୍ୟୁଜ ଏଚଡି, ରଜି ନାମା  ଓ ସମା ସ୍ପୋର୍ଟ୍ସ ସାମିଲ। ଏହି ସବୁ ଚ୍ୟାନେଲର ମୋଟ୍ ସସ୍କ୍ରାଇବର ପାଖାପାଖି ୬୩ ମିଲିୟନ ରହିଛି। ଏହା ବ୍ୟତୀତ ଅନେକ ୟୁଟ୍ୟୁବ ସ୍ପୋର୍ଟ୍ସ ଚ୍ୟାନେଲ ଉପରେ ମଧ୍ୟ କଟକଣା ଲଗାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.