ପୁରୀ ୧୭/୧୨: ଆଜିଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ କରିବ ଏଏସଆଇ। ପ୍ରାଥମିକ ପର୍ଯ୍ୟାୟରେ ରତ୍ନଭଣ୍ଡାର ଭିତରେ ଲୁହା ଭାରା ବନ୍ଧା ଯାଇ କାନ୍ଥ ଗୁଡ଼ିକରୁ ଚୂନ ଛଡାଇବା କାର୍ଯ୍ୟ କରାଯିବ। ପରେ ଜିପିଆର ସର୍ଭେରୁ ମିଳିଥିବା ତଥ୍ୟ ଆଧାରରେ ରତ୍ନଭଣ୍ଡାରରେ ଥିବା ବିଭିନ୍ନ ଫାଟ ଗୁଡ଼ିକର ମରାମତି କରାଯିବ।
ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ କରାଯିବାକୁ ଥିବାବେଳେ ମହାପ୍ରଭୁଙ୍କ ନୀତି କାନ୍ତି ଏବଂ ଭକ୍ତଙ୍କ ଦର୍ଶନରେ ଯେଭଳି କୌଣସି ବ୍ୟାଘାତ ସୃଷ୍ଟି ନହୁଏ ସେନେଇ ସ୍ବତନ୍ତ୍ର ଧ୍ୟାନ ଦିଆଯିବ। ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ନିର୍ଦ୍ଧାରିତ ହୋଇଥିବା ସମୟ ଅନୁସାରେ କରାଯିବ। ଦ୍ବିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ଦିନ ୧୨ ଟା ୩୦ ପରଠାରୁ ସନ୍ଧ୍ୟା ୬ଟା ଯାଏଁ ପାଖାପାଖି ପାଞ୍ଚଘଣ୍ଟା ପର୍ଯ୍ୟନ୍ତ ମରାମତି କାର୍ଯ୍ୟ କରାଯିବ।
ଜିପିଆର ସର୍ଭେ ରୁ ମିଳିଥିବା ତଥ୍ୟ ଅନୁସାରେ ଏଏସଆଇର ସ୍ବତନ୍ତ୍ର ଟିମ୍ ରତ୍ନଭଣ୍ଡାରର ସମ୍ପୂର୍ଣ୍ଣ ମରାମତି କାର୍ଯ୍ୟ କରିବେ। ରତ୍ନଭଣ୍ଡାରର ଚଟାଣରେ ମୂଷା ଗାତ ଥିବାବେଳେ କାନ୍ଥରେ ଫାଟ ରହିଛି। କାନ୍ଥରୁ ପୁରୁଣା ପଥର ଗୁଡ଼ିକ କଢାଯାଇ ନୂଆ ପଥର ଲଗାଯିବ। ରତ୍ନଭଣ୍ଡାର ଭିତରେ ଥିବା ପୁରୁଣା ଲୁହା ବିମ୍ ଗୁଡିକ ମଧ୍ୟ ସ୍ଥାନାନ୍ତରିତ କରାଯାଇ ନୂଆ ବିମ୍ ଲଗାଯିବ।
ପ୍ରାଥମିକ ପର୍ଯ୍ୟାୟରେ ଏଏସଆଇ ପକ୍ଷରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଲୁହା ଭାରା ପ୍ରସ୍ତୁତ କରାଯାଇ ମରାମତି କାର୍ଯ୍ୟ ଆରମ୍ଭ ହେବ। ତିନିମାସ ମଧ୍ୟରେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଶେଷ କରିବା ପାଇଁ ଏଏସଆଇ ଟାର୍ଗେଟ ରଖିଥିବା ବେଳେ ଅଧିକ ମାନବସମ୍ବଳ ଲଗାଯାଇ ଶିଘ୍ର ମରାମତି କାର୍ଯ୍ୟ ଶେଷ କରାଯିବ।