ବାରିପଦା ୨୩।୩: ମୟୁରଭଞ୍ଜରେ ତାଣ୍ଡବ ରଚିଲା କାଳବୈଶାଖୀ । କାହାର ଘର ଭାଙ୍ଗିଛି ଆଉ କାହା ବିଲରେ ଫସଲ ଉଜୁଡ଼ି ଯାଇଛି । ଜିଲ୍ଲାର ବାଙ୍ଗିରିପୋଷି ଓ ବିଶୋଇ ବ୍ଲକର କ୍ଷତିଗ୍ରସ୍ତ ଗାଁ ବୁଲି ଦେଖିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ରବିବାର ସକାଳ ୧୦ଟା ବେଳେ ବାଙ୍ଗିରିପୋଷି ମିନି ଷ୍ଟାଡିୟମର ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇ ବ୍ଲକ୍ର ବିଭିନ୍ନ ଗାଁ ବୁଲି ଦେଖିଛନ୍ତି । ତିନି ଦିନ ହେଲା ଲଗାତର ବର୍ଷାରେ ଭଙ୍ଗା ଘରେ ପାଣି ପଡୁଥିବାରୁ ରୋଷେଇ ହୋଇନାହିଁ । ଲୋକେ ଭୋକ ଓପାସରେ ରହି ହନ୍ତସନ୍ତ ହେଉଛନ୍ତି ବୋଲି କାନ୍ଦି କାନ୍ଦି ମନ୍ତ୍ରୀଙ୍କୁ ଗୁହାରି ଜଣାଇଛନ୍ତି । ଭାଙ୍ଗି ଯାଇଥିବା ଟାଇଲ ଓ ଆଜବେଷ୍ଟସ ଘରେ ରହୁଥିବା ଲୋକଙ୍କୁ ତୁରନ୍ତ ଘର ଛାତର ବ୍ୟବସ୍ଥା କରିବାକୁ ଗୁହାରି କରିଛନ୍ତି ଲୋକେ ।
ସମସ୍ତ ଅଞ୍ଚଳ ବୁଲି ଦେଖି ସରିବା ପରେ ମନ୍ତ୍ରୀ ମଧ୍ୟ କ୍ଷୟକ୍ଷତିର ପରିମାଣ ଓ ପରିସ୍ଥିତିକୁ ହୃଦୟଙ୍ଗମ କରିଛନ୍ତି । ତୁରନ୍ତ ସମସ୍ତ କ୍ଷତିଗ୍ରସ୍ତ ଘର ମରାମତି ଓ ଆବଶ୍ୟକ ସ୍ଥଳେ ନୂଆ ଘର ଦିଆଯିବ ବୋଲି କହିଲେ ମନ୍ତ୍ରୀ । ଚାଷ ସମ୍ବନ୍ଧୀୟ କ୍ଷୟକ୍ଷତିର ପ୍ରାଥମିକ ଆକଳନ ହୋଇ ସାରିଥିବା ବେଳେ ସମ୍ପୂର୍ଣ୍ଣ ତଥ୍ୟ ରବିବାର ସନ୍ଧ୍ୟା ସୁଦ୍ଧା ସରକାରଙ୍କୁ ଦିଆଯିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମସ୍ତ କ୍ଷତିଗ୍ରସ୍ତଙ୍କୁ ତାଙ୍କ ଆକାଉଣ୍ଟରେ କ୍ଷତିପୂରଣ ଟଙ୍କା ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
You Can Read: