ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ, ପରିବାର ଆଣିଲେ ଅବହେଳା ଅଭିଯୋଗ, ଉତ୍ୟକ୍ତ ଲୋକଙ୍କ ପକ୍ଷରୁ ରାସ୍ତାରୋକ

Published By : Prameya-News7 Bureau | June 22, 2025 IST

ପୁରୀ ୨୨।୦୬: ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା । ପୁରୀ ଅଠରନଳା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଲାଗିରହିଛି । ଏପିରିକି ଅଠରନଳା ନିକଟରେ ଉତ୍ୟକ୍ତ ଲୋକଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଛି । ସ୍ଥାନୀୟ ପ୍ରଶାସନ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି । 

ଖବର ଅନୁଯାୟୀ, ପୁରୀ ଅଠରନଳା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଏକ ମହିଳା ରୋଗୀ ଭର୍ତ୍ତି ହୋଇଥିଲେ । ହେଲେ ପରବର୍ତ୍ତୀ ସମୟରେ ସେହି ରୋଗୀଙ୍କର ମୃତ୍ୟୁ ହୋଇଯାଇଥିଲା । ଯାହାପରେ ମୃତକଙ୍କ ସଂପର୍କୀୟ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ । ଏପରିକି ସଂପୃକ୍ତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଥିଲେ ରୋଗୀଙ୍କ ପରିବାର । ଉଭୟ ଡାକ୍ତର ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଲାଗି ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେଣୁ ତୁରନ୍ତ ପରିବାରକୁ ନ୍ୟାୟ ଦାବିରେ ଉତ୍ୟକ୍ତ ଲୋକଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଛି । ଯାହାଫଳରେ ଉକ୍ତ ରାସ୍ତାରେ ଅନେକ ଗାଡ଼ିମୋଟର ଅଟକି ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.