ନୂଆଦିଲ୍ଲୀ ୨୧/୦୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଜବ ଦାବି । ବିଶ୍ୱର ଅନେକ ମୋର୍ଚ୍ଚାରେ ଯୁଦ୍ଧ ବନ୍ଦ୍ କରିବାରେ ତାଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ଏହାରି ଭିତରେ ପାକିସ୍ତାନ ସରକାର ୨୦୨୬ ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କ ନାମକୁ ଆନୁଷ୍ଠାନିକ ଭାବେ ପ୍ରସ୍ତାବ ଦେଇଛନ୍ତି ।
ପାକିସ୍ତାନ ଏକ ବିବୃତ୍ତିରେ କହିଛି ଯେ ୨୦୨୫ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସମୟରେ ଟ୍ରମ୍ପଙ୍କ ଭୂମିକା ଥିଲା ବେଶ୍ ଗୁରୁତ୍ୱପୂର୍ଣ୍ଣ । ନିର୍ଣ୍ଣାୟକ କୂଟନୈତିକ ହସ୍ତକ୍ଷେପ ଓ ଗୁରୁତ୍ୱପୂର୍ଣ୍ଣ ନେତୃତ୍ୱ ଯୋଗୁଁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କ ନାମ ପ୍ରସ୍ତାବ କରିବାକୁ ନିଷ୍ପତ୍ତି ନିଆଯାଇଛି।
ପାକିସ୍ତାନ ଭାରତ ସହିତ ଯୁଦ୍ଧବିରତି ଆଣିବା ପାଇଁ ଟ୍ରମ୍ପଙ୍କ ହସ୍ତକ୍ଷେପକୁ ପ୍ରଶଂସା କରିଛି । ବିବୃତ୍ତିରେ କୁହାଯାଇଛି ଯେ ଟ୍ରମ୍ପଙ୍କ ପ୍ରୟାସ ଯୋଗୁଁ ଏକ ଯୁଦ୍ଧବିରତି ହୋଇଥିଲା, ଯାହା ଯୁଦ୍ଧର ଏକ ବଡ଼ ବିପଦକୁ ଏଡାଇ ଦେଇଥିଲା। ସେ ଏହି ପୁରସ୍କାରର ପ୍ରକୃତ ଯୋଗ୍ୟ।
ତେବେ ଟ୍ରମ୍ପଙ୍କୁ ଲାଗୁନି କି ସେ ନୋବେଲ ଶାନ୍ତି ପୁରସ୍କାର ଜିତିପାରିବେ। ଟ୍ରମ୍ପ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ମୁଁ ଏହା କହି ଖୁସି ଯେ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହିତ, ଆମେ କଙ୍ଗୋ ଗଣତାନ୍ତ୍ରିକ ଗଣରାଜ୍ୟ ଓ ରୱାଣ୍ଡା ଗଣରାଜ୍ୟ ମଧ୍ୟରେ ଏକ ଡିଲ୍ ହୋଇଛି । ଉଭୟଙ୍କ ମଧ୍ୟରେ ଯୁଦ୍ଧ ଦଶନ୍ଧି ଧରି ରକ୍ତପାତ ପାଇଁ ଜଣାଶୁଣା । ଏହା ଆଫ୍ରିକା ପାଇଁ ଏକ ମହାନ ଦିନ ଓ ବିଶ୍ୱ ପାଇଁ ବି ମହାନ ଦିନ। କିନ୍ତୁ ଏଥିପାଇଁ ମୁଁ ନୋବେଲ ଶାନ୍ତି ପୁରସ୍କାର ପାଇବି ନାହିଁ।
ସେ କହିଛନ୍ତି ଯେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ପାଇଁ ମୁଁ ନୋବେଲ ପୁରସ୍କାର ପାଇବି ନାହିଁ। ସର୍ବିଆ ଓ କୋସୋଭୋ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ପାଇଁ ମୁଁ ନୋବେଲ ଶାନ୍ତି ପୁରସ୍କାର ପାଇବି ନାହିଁ । ଇଜିପ୍ଟ ଏବଂ ଇଥିଓପିଆ ମଧ୍ୟରେ ଶାନ୍ତି ପୁନଃସ୍ଥାପନ ପାଇଁ ମୁଁ ନୋବେଲ ପୁରସ୍କାର ପାଇବି ନାହିଁ।