ନୂଆଦିଲ୍ଲୀ: ରୁଷର ସଂଘୀୟ ସୁରକ୍ଷା ସେବା ଶୁକ୍ରବାର ଛଅ ବ୍ରିଟିଶ କୂଟନୀତିଜ୍ଞଙ୍କୁ ଦେଶରୁ ବାହାର କରିଛି । ରୁଷର ସରକାରୀ ଟିଭି ଅନୁସାରେ ଏଫଏସବି ସୁରକ୍ଷା ସେବା ଦାବି କରିଛି ଯେ ଏହି କୂଟନୀତିଜ୍ଞଙ୍କ ପାଖରୁ ଏପରି ଅନେକ ଦସ୍ତାବିଜ ମିଳିଛି, ଯେଉଁଥିରୁ ସେମାନେ ଗୁଇନ୍ଦାଗିରି କରୁଥିବା ସ୍ପଷ୍ଟ ହୋଇଛି । ଅନ୍ୟପଟେ ରୁଷ ଆଣିଥିବା ଅଭିଯୋଗକୁ ବ୍ରିଟେନ ଦ୍ୱାରା ଖଣ୍ଡନ କରାଯାଇଛି ।
ଦାବି ଅନୁସାରେ ଏଫଏସବିକୁ ମିଳିଥିବା ଦସ୍ତାବିଜ ଦର୍ଶାଉଛି ଯେ ସମସ୍ତଙ୍କୁ ବ୍ରିଟେନର ବିଦେଶ ମନ୍ତ୍ରଣାଳୟର ଏକ ବିଭାଗ ଦ୍ୱାରା ପଠାଯାଇଥିଲା । ଏମାନଙ୍କ ମୁଖ୍ୟ କାମ ଥିଲା ଦେଶକୁ ରଣନୈତିକ ରୂପେ ପରାଜିତ କରାଇବା । ଏଥିପାଇଁ ସେମାନେ ଗୁଇନ୍ଦା ତଥ୍ୟ ଏକାଠି କରିବା ଏବଂ ବିଧ୍ୱଂସକାରୀ ଗତିବିଧିରେ ଲିପ୍ତ ଥିଲେ ।
ଆମେରିକା ଏବଂ ବ୍ରିଟେନ ଦ୍ୱାରା ୟୁକ୍ରେନକୁ ୧.୫ ବିଲିୟନ ଡଲାରର ସହାୟତା ପ୍ରଦାନ ସଂକଳ୍ପର ଦୁଇ ଦିନ ପରେ ରୁଷ ଏହି ପଦକ୍ଷେପ ନେଇଛି । ୟୁକ୍ରେନ ଦ୍ୱାରା ବ୍ରିଟେନ ଏବଂ ଆମେରିକା ପରି ପାଶ୍ଚାତ୍ୟ ସହଯୋଗୀଙ୍କୁ ରୁଷ ଆଭ୍ୟନ୍ତରୀଣ ଅଞ୍ଚଳରେ ମିସାଇଲ ମାଡ଼ ପାଇଁ ଅନୁମତି ଲୋଡାଯାଇଛି । ଏହାପରେ ରୁଷ ରାଷ୍ଟ୍ରପତି ପୁଟିନ ଚେତାବନୀ ଦେଇଛନ୍ତି । ରୁଷ ରାଷ୍ଟ୍ରପତି କହିଛନ୍ତି ଯେ ୟୁକ୍ରେନ ଦ୍ୱାରା ଏଭଳି ପଦକ୍ଷେପକୁ ମସ୍କୋ ଯୁଦ୍ଧ ରୂପେ ଦେଖିବ । ଗୁରୁବାର ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଚେତାବନୀ ଦେଇ ରୁଷ ସେନା କହିଥିଲା ଯେ ବ୍ରିଟେନ ନିର୍ମିତ ମିସାଇଲ ବ୍ୟବହାର ଦ୍ୱାରା ଯୁଦ୍ଧର ପ୍ରକୃତି ବଦଳିଯିବ ।