ନୂଆଦିଲ୍ଲୀ: ଋଷ୍ ଟପ୍ ମିଲିଟାରୀ ଲିଡରଙ୍କୁ ହତ୍ୟା । କାର୍ ବିସ୍ଫୋରଣ କରି ଜେନେରାଲ୍ ୟୋରୋସ୍ଲାଭ୍ ମୋସ୍କାଲିକ୍ଙ୍କୁ ହତ୍ୟା କରାଯାଇଛି । ବାଲ୍ସିଖା ସିଟିରେ ଏହି ବିସ୍ଫୋରଣ ହୋଇଥିବା ବେଳେ ଶୁକ୍ରବାର ମସ୍କୋ ଏହାକୁ ସ୍ପଷ୍ଟ କରିଛି । ୪ ମାସ ମଧ୍ୟରେ ରୁଷିଆ ସେନା ଅଧିକାରୀଙ୍କ ଉପରେ ଏହା ଦ୍ବିତୀୟ ହମଲା ।
ଏହା ମାମଲାର ତଦନ୍ତ ଋଷ୍ ଶୀର୍ଷ ଅପରାଧିକ ଯାଞ୍ଚ ଏଜେନ୍ସି କରୁଛି । ଋଷ୍ ସଶସ୍ତ୍ରବଳର ଜେନେରାଲ୍ ଷ୍ଟାଫରେ ମୁଖ୍ୟ ପରିଚାଳନା ବିଭାଗର ଉପ ମୁଖ୍ୟ ଥିଲେ ଜେନେରାଲ୍ ୟୋରୋସ୍ଲାଭ୍ ମୋସ୍କାଲିକ୍ । ଏହି ବିସ୍ଫୋରଣ ଏଭଳି ସମୟରେ ହୋଇଛି, ଯେଉଁ ସମୟରେ ଆମେରିକା ରାଷ୍ଟ୍ରଦୂତ ଷ୍ଟିଭ୍ ଭିଟକାଫ୍ ୟୁକ୍ରେନ-ଋଷ୍ ଯୁଦ୍ଧ ନେଇ ଶାନ୍ତି ଆଲୋଚନା ପାଇଁ ମସ୍କୋରେ ପହଞ୍ଚିଛନ୍ତି । ଯାଞ୍ଚ ଏଜେନ୍ସି ମୁଖପାତ୍ର ସ୍ବେତଲାନା ପେଣ୍ଟ୍ରେକୋ କହିଛନ୍ତି, ବିସ୍ଫୋରଣ ପରେ ବୋମାର କିଛି ଅଂଶ କାର୍ ଲାଗି ରହିଥିଲା । ତଦନ୍ତକାରୀ ଦଳ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ଏହି ବ୍ଲାଷ୍ଟ ଲେଫ୍ଟନାଣ୍ଟ ଜେନେରାଲ୍ ଇଗୋର କିରିଲୋଭଙ୍କ ହତ୍ୟା ପରେ ହୋଇଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ କାରଟି ଆକାଶରେ କିଛି ମିଟର ପର୍ଯ୍ୟନ୍ତ ଉଡ଼ି ଯାଇଥିଲା । ଏହି ବ୍ଲାଷ୍ଟରେ ଆଇଇଡି ବ୍ୟବହାର ହୋଇଥିବା ପ୍ରମାଣ ମିଳିଛି ।
ଅନ୍ୟପଟେ ଲେଫ୍ଟନାଣ୍ଟ ଜେନେରାଲ୍ ଇଗୋର କିରିଲୋଭଙ୍କ ହତ୍ୟା ଡିସେମ୍ବର ୧୭ ତାରିଖରେ ହୋଇଥିଲା । ତାଙ୍କ ଆପାର୍ଟମେଣ୍ଟ ବାହାରେ ଥିବା ପାର୍କରେ ଥିବା ଏକ ଇଲେକ୍ଟ୍ରିକ୍ ସ୍କୁଟରରେ ପୂର୍ବରୁ ବୋମା ଲୁଚାଇ ବିସ୍ଫୋରଣ କରାଯାଇଥିଲେ । ଏହି ସମୟରେ ଜେନେରାଲ୍ ଇଗୋର କିରିଲୋଭ ନିଜ କର୍ଯ୍ୟାଳୟକୁ ଯାଉଥିଲେ । ତେବେ ଏହି ବୋମା ବିସ୍ଫୋରଣରେ ତାଙ୍କର ମୃତ୍ୟୁ ହୋଇଛି । ଋଷ୍ ଶୀର୍ଷ ଅଧିକାରୀଙ୍କ ଏହି ହତ୍ୟାକୁ ନେଇ ୟୁକ୍ରେନକୁ ଦାୟୀ କରିଥିଲା ମସ୍କୋ । ୟୁକ୍ରେନ ସୁରକ୍ଷା ଏଜେନ୍ସି ମଧ୍ୟ ଏହାକୁ ସ୍ବିକାର କରିଥିଲେ ।