ଏ.ଆର ରେହମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ପରେ ସାଇରାଙ୍କ ବଡ ବୟାନ, କହିଲେ-ଏକ୍ସ ୱାଇଫ୍ କୁହନ୍ତୁ ନାହିଁ

Published By : Prameya-News7 Bureau | March 17, 2025 IST

ମୁମ୍ଵାଇ ୧୭।୦୩; ସୁସ୍ଥ ହୋଇ ଘରକୁ ଫେରିଲେ ଓସ୍କାର ବିଜେତା ସଂଗୀତ ନିର୍ଦ୍ଦେଶକ ଏଆର୍‌ ରେହମାନ। ତାଙ୍କୁ ହସ୍‌ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି। ରେହମାନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ ଅମୀନ। ଏହାରି ମଧ୍ୟରେ ରେହମାନଙ୍କ ସ୍ତ୍ରୀ ସାଇରା ବାନୋଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ସ୍ୱାମୀ ରେହମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେବା ସହିତ ସେ ଲୋକମାନଙ୍କୁ ବିଶେଷ ଅନୁରୋଧ କରିଛନ୍ତି କି ତାଙ୍କୁ 'ଏକ୍ସ ୱାଇଫ୍' କୁହନ୍ତୁ ନାହିଁ ।

ଏନେଇ ସାଇରା ଏକ ଭଏସ୍ ନୋଟ୍ ମାଧ୍ୟମରେ କହିଛନ୍ତି, 'ମୁଁ ଖବର ପାଇଛି ଯେ ଏଆର୍ ରେହମାନଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ତେଣୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୁଁ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି। ତାଙ୍କର ଆଞ୍ଜିଓଗ୍ରାଫି କରାଯାଇଥିଲା ଏବଂ ଆଲ୍ଲାଙ୍କ କୃପାରୁ ସେ ଏବେ ସୁସ୍ଥ ଅଛନ୍ତି। ତେବେ ମୁଁ ମଧ୍ୟ ଆପଣମାନଙ୍କୁ ସମସ୍ତଙ୍କୁ ଆଉ ଏକ କଥା କହିବାକୁ ଚାହୁଁଛି ଯେ ରେହମାନଙ୍କ ସହ ମୋର ଆନୁଷ୍ଠାନିକ ଭାବରେ ଛାଡପତ୍ର ହୋଇନାହିଁ। ଆମେ ଏବେ ବି ସ୍ୱାମୀ-ସ୍ତ୍ରୀ। ଆମେ କେବଳ ଅଲଗା ହୋଇଛୁ। 

କାରଣ ମୁଁ ଗତ ଦୁଇ ବର୍ଷ ଧରି ଅସୁସ୍ଥ ଥିଲି । ‌ତେଣୁ ତାଙ୍କୁ ଅଧିକ ଚାପ ଦେବାକୁ ଚାହୁଁ ନଥିଲି। ଦୟାକରି ମୋତେ ତାଙ୍କର ପୂର୍ବତନ ପତ୍ନୀ କୁହନ୍ତୁ ନାହିଁ। ମୋର ପ୍ରାର୍ଥନା ସବୁବେଳେ ତାଙ୍କ ସହିତ ଅଛି । ମୁଁ ଆପଣ ସମସ୍ତଙ୍କୁ, ବିଶେଷକରି ତାଙ୍କ ପରିବାରକୁ ଅନୁରୋଧ କରୁଛି ଯେ ତାଙ୍କୁ ଚାପ ଦିଅନ୍ତୁ ନାହିଁ ଏବଂ ତାଙ୍କର ଯତ୍ନ ନିଅନ୍ତୁ। କହିବାକୁ ଗଲେ ଗତବର୍ଷ ଏଆର ରେହମାନ ଏବଂ ତାଙ୍କ ପତ୍ନୀ ସାୟରା ବାନୋ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ। କିନ୍ତୁ ସେମାନଙ୍କର ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ଛାଡ଼ପତ୍ର ହୋଇନାହିଁ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.