ସାମ୍ପଲ ରେଜିଷ୍ଟ୍ରେସନ ସିଷ୍ଟମ ରିପୋର୍ଟ-୨୦୧୧, ଦେଶରେ ଶୂନରୁ ୪ ବର୍ଷ ମଧ୍ୟରେ ୭.୯% ଶିଶୁ ମୃତ

Published By : Prameya-News7 Bureau | May 23, 2025 IST

ଭୁବନେଶ୍ୱର ୨୩/୦୫: ଦେଶରେ ୨୦୨୧  ମସିହାରେ ଶୂନରୁ ୪ ବର୍ଷ ଶିଶୁଙ୍କ ମଧ୍ୟରେ ୭.୯% ଙ୍କ ମୃତ୍ୟୁ ହୋଇଥିଲା । ସେହି ସମୟରେ ଓଡ଼ିଶାରେ  ୭.୫%ଙ୍କ ମୃତ୍ୟୁ ହୋଇଛି । କେରଳରେ ସର୍ବନିମ୍ନ  ୧.୧% ଶିଶୁଙ୍କ ମୃତ୍ୟୁ ହୋଇଥିଲା ବେଳେ ଉତ୍ତର  ପ୍ରଦେଶରେ ସର୍ବାଧିକ ୧୪.୫% ଶିଶୁଙ୍କ ମୃତ୍ୟୁ  ହୋଇଛି । ଏହି କ୍ଷେତ୍ରରେ ଓଡ଼ିଶାର ସ୍ଥାନ ୭ମ  ରହିଛି । କେନ୍ଦ୍ର ସରକାରଙ୍କ ସାମ୍ପୁଲ ରେଜିଷ୍ଟ୍ରେସନ୍‌  ସିଷ୍ଟମ୍‌ ରିପୋର୍ଟ-୨୦୨୧ରୁ ଏହା ସ୍ପଷ୍ଟ ହୋଇଛି । 

ସାମ୍ପୁଲ ରେଜିଷ୍ଟ୍ରେସନ୍‌ ସିଷ୍ଟମ୍‌ ରିପୋର୍ଟ-୨୦୨୦  ଅନୁଯାୟୀ ଜାତୀୟସ୍ତରରେ ୧୦% ମୃତ୍ୟୁ  ହୋଇଥିଲା ବେଳେ ଓଡ଼ିଶାରେ ୯.୨% ମୃତ୍ୟୁ  ହୋଇଛି । ରିପୋର୍ଟ ୨୦୨୧ରେ ଜାତୀୟସ୍ତରରେ  ଓଡ଼ିଶା ୭ମ ସ୍ଥାନରେ ରହିଥିଲା ୨୦୨୦ରେ  ଓଡ଼ିଶା ୮ମ ସ୍ଥାନରେ ରହିଥିଲା । ହେଲେ ଅର୍ଥାତ  ପୂର୍ବ ବର୍ଷ ଅପେକ୍ଷା ଓଡ଼ିଶା ଗୋଟିଏ ପାହାଚକୁ  ଖସିଛି । ଯାହାକି ରାଜ୍ୟ ପାଇଁ ଭଲ ଖବର ରହିଛି ।  ରିପୋର୍ଟ ୨୦୨୧ ଅନୁଯାୟୀ, ଜାତୀୟସ୍ତରରେ  ଶିଶୁମୃତ୍ୟୁରେ ଗ୍ରାମାଞ୍ଚଳରେ ୯.୧% ଏବଂ  ସହରାଞ୍ଚଳରେ ୪.୯% ରହିଛି । 

ଓଡ଼ିଶାରେ  ଏହି କ୍ଷେତ୍ରରେ ଯଥାକ୍ରମେ ୭.୮% ଓ ୫.୪%  ରହିଛି । ସେହିପରି ସର୍ବନିମ୍ନ ବର୍ଗରେ  କେରଳରେ ଯଥାକ୍ରମେ ସର୍ବନିମ୍ନ ଗ୍ରାମାଞ୍ଚଳରେ  ୦.୯% ଓ ସହରାଞ୍ଚଳରେ ୧.୩%ଙ୍କ ମୃତ୍ୟୁ  ହୋଇଛି । କେରଳ ପଛରେ ରହିଛି ତାମିଲନାଡ଼ୁ ।  ସେଠାରେ ୨.୨% ଶିଶୁଙ୍କ ମୃତ୍ୟୁ ହୋଇଛି । ଆଉ  ଗ୍ରାମାଞ୍ଚଳରେ ୨.୫% ଓ ସହରାଞ୍ଚଳରେ ୧.୯%ଙ୍କ  ମୃତ୍ୟୁ ହୋଇଛି । ପଞ୍ଜାବ ୩.୫% ରହି ତୃତୀୟ  ସ୍ଥାନରେ ରହିଛି । ସେଠାରେ ଗ୍ରାମାଞ୍ଚଳରେ ୩.୦%  ଓ ସହରାଞ୍ଚଳରେ ୪.୫%ଙ୍କ ମୃତ୍ୟୁ ହୋଇଛି । 

ଜାତୀୟସ୍ତରରେ ସର୍ବାଧିକ ମୃତ୍ୟୁ ବର୍ଗରେ  ଉତ୍ତର ପ୍ରଦେଶରେ ସର୍ବାଧିକ ଗ୍ରାମାଞ୍ଚଳରେ  ୧୫.୮% ଓ ସହରାଞ୍ଚଳରେ ୧୦.୧% ରହିଛି ।  ମଧ୍ୟପ୍ରଦେଶ ଦ୍ୱିତୀୟ ସ୍ଥାନରେ ରହିଛି । ସେଠାରେ  ୧୩.୮%ଙ୍କ ମୃତ୍ୟୁ ହୋଇଛି । ଗ୍ରାମାଞ୍ଚଳରେ  ୧୫.୭% ଓ ସହରାଞ୍ଚଳରେ ୭.୮% ରହିଛି ।  ତୃତୀୟ ସ୍ଥାନରେ ରାଜସ୍ଥାନ । ସେଠାରେ  ୧୩.୨%ଙ୍କ ମୃତ୍ୟୁ ହୋଇଛି । ଗ୍ରାମାଞ୍ଚଳରେ  ୧୪.୪% ଓ ସହରାଞ୍ଚଳରେ ୯.୪% ରହିଛି । 

ଅନ୍ୟପଟରେ ଓଡ଼ିଶାରୁ ସ୍ୱାସ୍ଥ୍ୟ ବିଭାଗ  ବିଶେଷଜ୍ଞ କେରଳ ଯାଇ ସେଠାରେ ସ୍ୱାସ୍ଥ୍ୟ  ସ୍ଥିତି ଯାଞ୍ଚ କରିଛନ୍ତି । ସେଠାକାର ସରକାର  ଶିଶୁ ସୁରକ୍ଷା ନେଇ କ’ଣ ପଦକ୍ଷେପ ଗ୍ରହଣ  କରିଛନ୍ତି ସେନେଇ ତଥ୍ୟ ସଂଗ୍ରହ କରିଛନ୍ତି ।  ଓଡ଼ିଶାରେ ଶିଶୁ ମୃତ୍ୟୁ ରୋକିବା ଦିଗରେ ସ୍ୱତନ୍ତ୍ର ଭାବେ ଯୋଜନା କରାଯାଇଛି । ଡାକ୍ତରଙ୍କଠାରୁ  ନର୍ସଙ୍କ ପର୍ଯ୍ୟନ୍ତ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେଇଛନ୍ତି ।  

ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ଶିଶୁଙ୍କ ଚିକିତ୍ସା ପାଇଁ ଏସ୍‌ଏନ୍‌ସିୟୁ, ପିକୁ, ଡେ କେୟାର  ୟୁନିଟ୍‌, ଏନ୍‌ଆରସି, ଡିଇସିଆଇ ଭଳି ଚିକିତ୍ସା  ବ୍ୟବସ୍ଥା କରାଯାଇଛି । ସେହିପରି ସାମ୍ପୁଲ ରେଜିଷ୍ଟ୍ରେସନ୍‌ ସିଷ୍ଟମ୍‌ ରିପୋର୍ଟ-୨୦୨୦ ଅନୁଯାୟୀ  ଓଡ଼ିଶାରେ ୯.୨%ଙ୍କ ଶିଶୁଙ୍କ ମୃତ୍ୟୁ ହୋଇଥିଲା ।  ଜାତୀୟସ୍ତରରେ ଓଡ଼ିଶା ୮ମ ସ୍ଥାନରେ ରହିଥିଲା ।  ହେଲେ ରିପୋର୍ଟ ୨୦୨୧ରେ ଓଡ଼ିଶା ୭ମ ସ୍ଥାନରେ  ରହିଛି । ଅର୍ଥାତ ଓଡ଼ିଶା ଗୋଟିଏ ସ୍ଥାନକୁ ଖସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.