ଭୁବନେଶ୍ବର ୨୪/୩: ପୂର୍ତ୍ତ ବିଭାଗର ଉଦାସୀନତା ହେଲା କାଳ । ସିରିଜ ଦୁର୍ଘଟଣାରେ ଗଲା ୩ ଜୀବନ । ଟାୟାର ଜାଳି ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ । ବୁଝାସୁଝା କରୁଛି ପୋଲିସ । ମଙ୍ଗଳବାର ସକାଳ ସମୟ । ଢେଙ୍କାନାଳ କାମାକ୍ଷାନଗର ରେକୁଳା ରାସ୍ତା ଥିଲା ବେଶ ଜନଗହଳିପୂର୍ଣ୍ଣ । ଲୋକଙ୍କ ଆତଯାତ ଲାଗିଥିଲା । ରେକୁଳାରେ ରାତିସାରା ରାସ୍ତାକାମ ଚାଲିଥିଲା । ତେବେ ରାସ୍ତାରେ କୌଣସି ସୂଚନା ଫଳକ କିମ୍ବା ବ୍ରେକର ଲାଗିନଥିଲା । ରାତିସାରା ରାସ୍ତା କାମ ଚାଲିଥିବାବେଳେ ସକାଳୁ ଘଟିଛି ସିରିଜ ଦୁର୍ଘଟଣା । ପ୍ରଥମେ ରାସ୍ତା ଉପରେ ଠିଆ ହୋଇଥିବା ପିଚୁ ଟ୍ରକରେ ପ୍ରଥମେ ଏକ ବାଇକ ଆରୋହୀ ଧକ୍କା ହୋଇ ଗୁରୁତର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।
ପରେ ଏକ ହାଇୱା ଆସି ପିଚୁ ଟ୍ରକରେ ବାଡେଇ ହୋଇଥିଲା । ସେଠାରେ କାମ କରୁଥିବା ଶ୍ରମିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ଅନ୍ୟ ଜଣେ ଶ୍ରମିକଙ୍କ ସହ ପୂର୍ତ୍ତ ବିଭାଗର ଜଣେ କର୍ମଚାରୀ କ୍ଷୀରୋଦ ସାହୁ ଗୁରୁତର ହୋଇଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ କ୍ଷୀରୋଦଙ୍କର ମୃତ୍ୟୁ ହୋଇଯାଇଛି । ତେବେ ମୃତାହତ ଶ୍ରମିକଙ୍କ ପରିଚୟ ସଠିକ ଭାବରେ ମିଳିନାହିଁ । ତେବେ ଜଣେ ପାଲଲହଡା ଓ ଅନ୍ୟ ଜଣେ ମୟୁରଭଞ୍ଜର ବୋଲି କୁହାଯାଉଛି । ମୃତ ପୂର୍ତ୍ତ ବିଭାଗ କର୍ମଚାରୀ କ୍ଷୀରୋଦ ରେକୁଳା ଗ୍ରାମର ଜଣାପଡିଛି ।
ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା ।ବିଳମ୍ବିତ ରାତିରେ ବିନା ସୁରକ୍ଷାରେ ରାସ୍ତାକାମ ଚାଲିଥିବାରୁ ଦୁର୍ଘଟଣା ଘଟିଥିବା ଅଭିଯୋଗ ଆସିଛି । ପୂର୍ତ୍ତ ବିଭାଗର ଅବହେଳା ଯୋଗୁ ଅକାଳରେ ୩ ଜଣଙ୍କ ଜୀବନ ଯାଇଥିବା କହିଛନ୍ତି ଉତ୍ତ୍ୟକ୍ତ ଲୋକେ ।କ୍ଷତିପରୂଣ ଦାବିରେ ରେକୁଳା ଠାରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିଲା । ରାସ୍ତାରୋକ ଯୋଗୁ ଢେଙ୍କାନାଳ ଓ କାମାକ୍ଷାନଗର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଘଟଣାସ୍ଥଳରେ କାମାକ୍ଷାନଗର ଥାନା ଅଧିକାର,SDPO,ଉପଜିଲ୍ଲାପାଳ ଓ କାମାକ୍ଷାନଗର ବିଧାୟକ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ମୃତକ ପରିବାରକୁ ରେଡକ୍ରସ ପାଣ୍ଠି ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ଘୋଷଣା କରାଯାଇଥିଲା। ଦୁର୍ଘଟଣାରେ ମୃତ ପୂର୍ତ୍ତବିଭାଗ କର୍ମଚାରୀ କ୍ଷୀରୋଦଙ୍କ ପରିବାରର ଜଣକୁ ପୂର୍ତ୍ତବିଭାଗରେ ଚାକିରୀ ଓ ପରିବାରକୁ ଆବାସ ଯୋଜନାରେ ଘର ମିଳିବାର ପ୍ରତିଶୃତି ପରେ ଉତ୍ତେଜନା ଥମିଥିଲା । ରାସ୍ତାରୋକ ହଟିବା ସହ ଢେଙ୍କାନାଳ-କାମାକ୍ଷାନଗର ଯାତାୟାତ ସ୍ବାଭାବିକ ହୋଇଥିଲା ।
ସେପଟେ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି। ଦୁର୍ଘଟଣାରେ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪ ଲକ୍ଷର ଅନୁକମ୍ପାମୂଳକ ସହାୟତା ଘୋଷଣା ହୋଇଛି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।