କଟକ: କାଠଯୋଡ଼ି ନଦୀକୁ ପ୍ରଦୂଷିତ କରୁଛି କଟକ ସହରର ନର୍ଦ୍ଦମା ପାଣି, କିନ୍ତୁ ମେୟର ଏହାକୁ ସ୍ୱୀକାର କରିବାକୁ ନାରାଜ। ଆଶ୍ଚର୍ଯ୍ୟର କଥା ହେଲା, ଖୋଦ ସିଏମସି କମିଶନର ମାନୁଛନ୍ତି କି, ବର୍ଜ୍ୟଜଳ ବିଶୋଧନାଗାର ନିର୍ମାଣ କାମ ସରିନାହିଁ, ତାହା ସମ୍ପୂର୍ଣ୍ଣ ହେଲା ପରେ, ସମସ୍ତ ପ୍ରକାରର ବର୍ଜ୍ୟ ଜଳ ବିଶୋଧିତ ହୋଇପାରିବ। ଅବଶ୍ୟ ପ୍ରସଙ୍ଗ ଗୋଟିଏ, ହେଲେ ସିଏମସିର ୨ ପ୍ରମୁଖ ବ୍ୟକ୍ତି ଭିନ୍ନ ଭିନ୍ନ କଥା କହିବାଟା ସଭିଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ତେବେ ବାସ୍ତବତା ହେଲା କାଠଯୋଡ଼ି ଉପରେ ରୀତିମତ ଅତ୍ୟାଚାର ଚାଲିଛି। ଯାହା କଟକ ବାସିନ୍ଦାଙ୍କୁ ବାଧ୍ୟ କରିଛି ଆଇନ ଅଦାଲତର ଆଶ୍ରୟ ନେବାଲାଗି।
Also read: ଆହୁରି ୪ ଦିନ ରାଜ୍ୟରେ କାଳବୈଶାଖୀ ବର୍ଷା, ହେଲେ ଗରମ ଓ ଗୁଳୁଗୁଳିରୁ ମିଳିବନି ତ୍ରାହି
କଟକ ଖାନନଗର ସ୍ଲୁଇସ ଗେଟ, ଯାହା ବାଟ ଦେଇ ଅହରହ ନର୍ଦ୍ଦମା ପାଣି କାଠଯୋଡ଼ିରେ ମିଶିବାରେ ଲାଗିଛି। ହେଲେ ନିୟମ କହୁଛି, ବର୍ଜ୍ୟ ଜଳକୁ ସିଧାସଳଖ ଭାବେ ନଦୀରେ ମିଶିବାକୁ ଦିଆଯିବ ନାହିଁ। ଅବଶ୍ୟ ଏହାକୁ ସ୍ୱୀକାର କରନ୍ତି କଟକ ମହାନଗର ନିଗମର କମିଶନର। କିନ୍ତୁ ବିକଳ୍ପ ବ୍ୟବସ୍ଥା ନଥିବାର ଆଳ ଦେଖାଇ ଏଭଳି ବେଆଇନ କାର୍ଯ୍ୟକୁ ଯେମିତି ପ୍ରଶାସନ ପ୍ରୋତ୍ସାହନ ଦେବାରେ ଲାଗିଛି। ବର୍ଜ୍ୟଜଳ ବିଶୋଧନ ପାଇଁ କଟକର କେବଳ ମର୍କତ ନଗର ଠାରେ ଏକ ବିଶୋଧନାଗାର କାର୍ଯ୍ୟ କରୁଛି। ଆହୁରି ୨ ଟି ବିଶୋଧନାଗାର ନିର୍ମାଣାଧୀନ ଅବସ୍ଥାରେ ଅଛି, ଯାହା ହୁଏତ ଶେଷ ହେବାକୁ ଆହୁରି ବର୍ଷେ ସମୟ ଲାଗିବ। କିନ୍ତୁ ସେଯାଏଁ କାଠଯୋଡ଼ି ଗର୍ଭକୁ ଏହିଭଳି ନର୍ଦ୍ଦମା ପାଣିକୁ ଛାଡିଆଯିବ ବୋଲି ଧରି ନେଇଛି ସିଏମସି। ଯାହାକୁ ବିରୋଧ କରି ଖାନ ନଗର ବାସିନ୍ଦା ପ୍ରଫୁଲ୍ଲ କୁମାର ସାହୁ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି। ମାମଲା ଏବେ ବିଚାରାଧୀନ ରହିଛି। ହାଇକୋର୍ଟଙ୍କ ଚୂଡାନ୍ତ ରାୟ ଆସିବା ପର୍ଯ୍ୟନ୍ତ, ହୁଏତ ସରକାରୀ କଳ ଏହିଭଳି ମନମାନି ଚଳାଇଥିବ ବୋଲି ଧରି ନେବାକୁ ହେବ।
ମର୍କତ ନଗର ଟ୍ରିଟମେଣ୍ଟ ପ୍ଲାଣ୍ଟ ଦୈନିକ ୭ ଲକ୍ଷ କ୍ୟୁସେକ ସ୍ଵରେଜ ୱାଟର ବିଶୋଧନ କରିବାର କ୍ଷମତା ରଖିଛି। କିନ୍ତୁ ଏଠାକୁ ସେତିକି ପରିମାଣରେ ପାଣି ପହଞ୍ଚି ପାରୁନାହିଁ। ହେଲେ ଅବଶିଷ୍ଟ କଟକ, ଖାସ କରି (ଇଷ୍ଟ. ବା ପୂର୍ବାଞ୍ଚଳ କଟକ ସହରରୁ ବାହାରୁ ଥିବା ) ଡ୍ରେନ ୱାଟର ଏବଂ ସ୍ଵରେଜ ୱାଟରକୁ ବିଶୋଧନ କରିବାଲାଗି ଏଯାଏଁ ସେଭଳି ଠୋସ ବ୍ୟବସ୍ଥା ହୋଇନାହିଁ। କଟକ ମେୟରଙ୍କ ଭାଷାରେ ନଦୀକୁ କେବଳ ବର୍ଷା ଜଳ ନିଷ୍କାସିତ ହେଉଛି। ଏବଂ ନର୍ଦ୍ଦମା ପାଣି ସ୍ଵରେଜ ଲାଇନ ଜରିଆରେ ନିଷ୍କାସିତ ହେଉଛି। ତେବେ ପ୍ରଶ୍ନ ହେଲା ଗତ ୨ ଦିନ ଭିତରେ ଯେବେ କଟକ ସହରରେ ବର୍ଷା ହୋଇନାହିଁ, ତାହାଲେ ଖାନ ନଗର ସଲୁଇସ ଗେଟ ଜରିଆରେ କେଉଁ ପାଣି ପ୍ରବାହିତ ହୋଇ କାଠଯୋଡ଼ିରେ ମିଶୁଛି ?
ପ୍ରଶ୍ନ ହେଲା, ଯେବେ ୨ ଦୁଇଟି ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣାଧୀନ ଅବସ୍ଥାରେ ଅଛି, ତେବେ ନର୍ଦ୍ଦମା ପାଣି ବିଶୋଧିତ ହେଉଛି କେଉଁଠାରେ ? ରୋଚକ କଥା ହେଲା, ରେନ ୱାଟର ଏବଂ ଡ୍ରେନ ୱାଟର ଭିତରେ ପାର୍ଥକ୍ୟ କଣ ତାହା ହୁଏତ ସାଧାରଣ ଲୋକେ ବୁଝିବାକୁ ଅସମର୍ଥ। ଆଉ ସେହି ବାହାନାରେ ଗତ କେଇ ବର୍ଷ ହେଲା ଲଗାତାର ଭାବେ ନଦୀ ଗର୍ଭରେ ମିଶି ଚାଲିଛି କଟକ ସହରର ସମସ୍ତ ଡ୍ରେନ ୱାଟର।