ପ୍ରଶାସନିକ ସେବାକୁ ଫେରିବା ପରେ ଶାହ ଫୈଜଲଙ୍କ ବଡ଼ ନିଷ୍ପତ୍ତି, SCରୁ ଫେରାଇ ନେଲେ ଧାରା ୩୭୦ ଉଚ୍ଛେଦ ବିରୋଧରେ ଦାଖଲ କରିଥିବା ଯାଚିକା

Published By : Prameya-News7 Bureau | September 20, 2022 IST

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ଆଇଏଏସ ଅଫିସର ଶାହ ଫୈଜଲ ଧାରା ୩୭୦ ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ଦାଖଲ କରିଥିବା ଯାଚିକାକୁ ଫେରାଇ ନେଇଛନ୍ତି । ସୁପ୍ରିମକୋର୍ଟରୁ ସେ ନିଜ ଯାଚିକା ଫେରାଇ ନେଇଛନ୍ତି । ଗତ ୨୦୧୯ ଅଗଷ୍ଟ ମାସରେ କେନ୍ଦ୍ର ସରକାର ଧାରା ୩୭୦ର ଉଚ୍ଛେଦ କରିଥିଲେ ।

କାଶ୍ମୀରରେ ନରସଂହାର କରାଯାଉଥିବା ଅଭିଯୋଗ ଆଣି ଶାହ ଫୈଜଲ ୦୧୯ ଜାନୁଆରୀ ମାସରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିକଟକୁ ନିଜର ଇସ୍ତଫା ପଠାଇଥିଲେ । ଏହାର କିଛି ମାସ ପରେ ନିଜର ରାଜନୈତିକ ଦଳ ଜାମ୍ମୁ କାଶ୍ମୀର ପିପୁଲ୍ସ ମୁଭମେଣ୍ଟର ଗଠନ କରିଥିଲେ । ତେବେ ନିକଟ ଅତୀତରେ ପୁଣି ଥରେ ପ୍ରଶାସନିକ ସେବାକୁ ଫେରିବା ପାଇଁ ଇଛା ପ୍ରକାଶ କରିଥିଲେ । କେନ୍ଦ୍ର ସରକାର ମଧ୍ୟ ପୁଣି ଥରେ ତାଙ୍କୁ ନିଯୁକ୍ତି ଦେଇଥିଲେ । ଚଳିତ ବର୍ଷ ଏପ୍ରିଲ ମାସରେ ଫୈଜଲ ପୁଣି ଥରେ ସର୍ବଭାରତୀୟ ପ୍ରଶାସନିକ ସେବାକୁ ଫେରିଥିଲେ ଏବଂ କେନ୍ଦ୍ର ସରକାର ତାଙ୍କୁ ସଂସ୍କୃତି ମନ୍ତ୍ରଣାଳୟ ଉପସଚିବ ନିଯୁକ୍ତ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଶାହ ଫୈଜଲଙ୍କ ଇସ୍ତଫାକୁ କେନ୍ଦ୍ର ସରକାର ଗ୍ରହଣ କରି ନଥିଲେ ।

ଆଇଏଏସ ଅଧିକାରୀ ଶାହ ଫୈଜଲ ଜାମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ର ଉଚ୍ଛେଦ ନେଇ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲେ । ଧାରା ୩୭୦ ଉଚ୍ଛେଦ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ୨୩ ଜଣ ଆବେଦନକାରୀଙ୍କ ମଧ୍ୟରୁ ଶାହ ଫୈଜଲ ଜଣେ । ଅନୁଛେଦ ୩୭୦ ଉଚ୍ଛେଦ ସମୟରେ ଶାହ ଫୈଜଲଙ୍କୁ ପବ୍ଲିକ ସେଫ୍ଟି ଆକ୍ଟରେ ବନ୍ଦୀ କରାଯାଇଥିଲା । ପବ୍ଲିକ ସେଫ୍ଟି ଆକ୍ଟ ଅଧିନରେ ଜଣେ ବ୍ୟକ୍ତିଙ୍କୁ ବିନା ଶୁଣାଣିରେ ତିନି ମାସ ଯାଏଁ ବନ୍ଦୀ କରି ରଖାଯାଇ ପାରିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.