PM ମୋଦିଙ୍କ ମୁଖ୍ୟ ସଚିବ ହେଲେ ଶକ୍ତିକାନ୍ତ ଦାସ, ପୂର୍ବରୁ ଥିଲେ RBI ଗଭର୍ଣ୍ଣର

Published By : Prameya-News7 Bureau | February 22, 2025 IST

ନୂଆଦିଲ୍ଲୀ ୨୨।୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖ୍ୟ ସଚିବ ନିଯୁକ୍ତ କରାଯାଇଛି। ଆରବିଆଇ ଗଭର୍ଣ୍ଣର ରୂପେ ୬ ବର୍ଷ ସେବା ଦେବା ପରେ ଶକ୍ତିକାନ୍ତ ଦାସ ଗତ ଡିସେମ୍ବର ମାସରେ ଅବସର ଗ୍ରହଣ କରିଥିଲେ। ରିଟାୟରମେଣ୍ଟର କିଛି ମାସ ପରେ ତାଙ୍କୁ ଏବେ ବଡ଼ ଦାୟିତ୍ୱ ମିଳିଛି। ଏବେ ପ୍ରମୋଦ କୁମାର ମିଶ୍ର (ପି.କେ.ମିଶ୍ର) ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ଶଚିବ ଅଛନ୍ତି। ତାଙ୍କ ସହିତ ଶକ୍ତିକାନ୍ତ ଦାସ ମଧ୍ୟ କାମ କରିବେ। 

ଶକ୍ତିକାନ୍ତ ଦାସ ୧୯୮୦ ବ୍ୟାଚ୍‌ର ଭାରତୀୟ ପ୍ରଶାସନିକ ସେବା  (ଆଇଏଏସ୍) ଅଫିସର ଥିଲେ। ସେ ଅବସର ଗ୍ରହଣ କରିବା ପରେ ତାଙ୍କ ହାତରେ ଆରବିଆଇଙ୍କ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା। କ୍ୟାବିନେଟ୍ ନିଯୁକ୍ତି କମିଟି (ଏସିସି)ଙ୍କ ଅନୁସାରେ ଦାସଙ୍କ ନିଯୁକ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ସହିତ ଅଥବା ଅଗାମୀ ଆଦେଶ ପର୍ଯ୍ୟନ୍ତ ଯାହା ପ୍ରଥମେ ହେବ ସେ ପର୍ଯ୍ୟନ୍ତ ରହିବ। ଏସିସିଙ୍କ ଆଦେଶରେ କୁହାଯାଇଛି ଯେ ସେ ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ(୧) ପି.କେ. ମିଶ୍ରଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରୂପେ କାର୍ଯ୍ୟ କରିବେ। 

ଶକ୍ତିକାନ୍ତ ଦାସ ଡିସେମ୍ବର ୨୦୧୮ରୁ  ୬ ବର୍ଷ ପର୍ଯ୍ୟନ୍ତ ଆରବିଆଇ ମୁଖ୍ୟ ଥିଲେ। ତାଙ୍କର ଚାରି ଦଶନ୍ଧୀରୁ ଅଧିକ କାଳର ଶାସକୀୟ ଅଭିଜ୍ଞତା ରହିଛି। ସେ ଅର୍ଥ, ଟ୍ୟାକ୍ସେସନ, ଉଦ୍ୟୋଗ, ଭିତ୍ତିଭୂମି ଆଦି କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରରେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାମ କରିଛନ୍ତି। ଆରବିଆଇରେ ତାଙ୍କର ୬ ବର୍ଷର କାର୍ଯ୍ୟକାଳରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ। ଏଥିରେ କୋଭିଡ-୧୯ ଓ ଋଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟ ଥିଲା। ତେବେ ଦେଶର ଆର୍ଥିକ ଫଳାଫଳ ଉପରେ ଏ ସବୁର ସେପରି କୌଣସି ପ୍ରଭାବ ପଡିନଥିଲା। 




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.