ସଲମାନ ଖାନଙ୍କ ଘର ବାହାରେ ଗୁଳିକାଣ୍ଡ ଘଟଣା, ପୋଲିସ ହେପାଜତରେ ଜଣେ ଅଭିଯୁକ୍ତର ଆତ୍ମହତ୍ୟା

Published By : Prameya-News7 Bureau | May 01, 2024 IST

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳିକାଣ୍ଡ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ। ଆତ୍ମହତ୍ୟା କରିଥିବା ଅଭିଯୁକ୍ତର ନାଁ ଅନୁଜ ଥାପନ। ଗୁରୁତର ଅବସ୍ଥାରେ ଅନୁଜକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ବି ସେଠାରେ ଚିକିତ୍ସା ସମୟରେ ତା’ର ମୃତ୍ୟୁ ଘଟିଛି। 

ଏନେଇ ମୁମ୍ବାଇ ପୋଲିସ ତରଫରୁ ବୁଧବାର ସୂଚନା ଦିଆଯାଇଛି। ପୋଲିସର କହିବା ଅନୁଯାୟୀ, ଅଭିଯୁକ୍ତ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା। ଗୁରୁତର ଅବସ୍ଥାରେ ତାକୁ ଜେଟି ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ତା’ର ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ହୋଇଛି। ମୃତକ ଅନୁଜ ଉପରେ ସଲମାନଙ୍କ ଘର ବାହାରେ ଗୁଳିକାଣ୍ଡ ଘଟାଇଥିବା ସୁଟରଙ୍କୁ ହତିଆର ଯୋଗାଇବା ଅଭିଯୋଗ ଥିଲା।

ଆହୁରି ପଢ଼ନ୍ତୁ:  ଫାୟାରିଂ ମାମଲା ପରେ ଲଣ୍ଡନରେ ପହଞ୍ଚିଲେ ସଲମାନ ଖାନ, ବ୍ରିଟେନ MP ସେୟାର କଲେ ଫଟୋ

ସୂଚନାଯୋଗ୍ୟ, ଥାପନକୁ ମୁମ୍ବାଇ ପୋଲିସ ଅନ୍ୟ ଅଭିଯୁକ୍ତ ସୋନୁ ସୁଭାଷ ଚନ୍ଦର (୩୭) ସହ ଏପ୍ରିଲ ୨୫ରେ ପଞ୍ଜାବରୁ ଗିରଫ କରିଥିଲା। ଏହା ବ୍ୟତୀତ ୨୪ ବର୍ଷୀୟ ବିକ୍କି ଗୁପ୍ତା, ୨୧ ବର୍ଷୀୟ ସାଗର ପାଲ ମଧ୍ୟ ଗିରଫ ହୋଇଥିଲେ। ଥାପନ, ବିକ୍କୀ ଏବଂ ସାଗର ପାଲ ମୁମ୍ବାଇ ହେପାଜତରେ ଥିଲେ। ଯେତେବେଳେକି, ସୋନୁ କୁମାର ଚନ୍ଦର ବିଶ୍ନୋଇକୁ ଚିକିତ୍ସା ଆଧାରରେ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା। 

ଉଲ୍ଲେଖଯୋଗ୍ୟ, ସଲମାନ ଖାନଙ୍କ ଘର ବାହାରେ ଗୁଳିକାଣ୍ଡ ଘଟଣାକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା।ଏପ୍ରିଲ ୧୪ ରବିବାର ସକାଳ ପ୍ରାୟ ୫ଟା ସମୟରେ ଗାଲାକ୍ସୀ ଆପାର୍ଟମେଣ୍ଟ ଉପରେ ଗୋଟିଏ ପରେ ଗୋଟିଏ ୪-୫ ଗୁଳି ଚଳାଇଥିଲେ। ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସଲମାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଥିଲେ ଲୋକେ। ଅବଶ୍ୟ ପୋଲିସ ଏବଂ ସରକାର ଖାନ ପରିବାରଙ୍କୁ ସୁରକ୍ଷା ନେଇ ଆଶ୍ବସ୍ତ କରିଥିଲେ। ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.