ଭୁବନେଶ୍ୱର ,୧୭/୦୧: ଶୁକ୍ରବାର ୨ଦିନିଆ ଓଡ଼ିଶା ଗସ୍ତରେ ଆସିବେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍ । ସେ ଓଡ଼ିଶା ଆସିବା ପରେ ରାଜ୍ୟରେ ନିବେଶ ବଢ଼ିବା ଆଶା ଉଜ୍ଜଳ ହୋଇଛି । ରାଷ୍ଟ୍ରପତିଙ୍କ ଏହି ଗସ୍ତ ସମୟରେ ରାଜ୍ୟରେ ସେମିକଣ୍ଡକ୍ଟର, କ୍ରିଟିକାଲ ମିନେରାଲ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ସହ ୮ଟି ଏମଓୟୁ ସ୍ୱାକ୍ଷର ହେବ ।
ସେଥିମଧ୍ୟରେ ସେମିକଣ୍ଡକ୍ଟର ଓ ଦକ୍ଷତା ପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଜ୍ଞାନକୌଶଳ ଶିକ୍ଷା ବିଭାଗ ଓ ସିଙ୍ଗାପୁରର ଆଇଟିଇଇଏସ ମଧ୍ୟରେ ଏକ ଚୁକ୍ତି ହେବ । ସେହିପରି ଇଣ୍ଡଷ୍ଟ୍ରିଆଲ ପାର୍କ ପାଇଁ ଇଡକୋ ଓ ସେମ୍ବକର୍ପ, ଗ୍ରୀନ୍ ହାଇଡ୍ରୋଜେନ୍ କରିଡର ପାଇଁ ଶିଳ୍ପ ବିଭାଗ ଓ ସେମ୍ବକର୍ପ ଏବଂ ସୁରବନ୍ ଜୁରୋଙ୍ଗ, ନୂଆ ସହର ଯୋଜନା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ସୁରବନ୍ ଜୁରୋଙ୍ଗ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହେବ ।
ସେହିପରି ପେଟ୍ରୋକେମିକାଲ୍ସ, ପେଟ୍ରୋକେମିକାଲ୍ସ ଇନଭେଷ୍ଟମେଣ୍ଟ ରିଜନ୍ (ପିସିଆଇପିଆର) ପାଇଁ ଶିଳ୍ପ ବିଭାଗ ଓ ସୁରବନ୍ ଜୁରୋଙ୍ଗ, ନୂଆ ବିଦ୍ୟୁତ ଶକ୍ତି ପ୍ରକଳ୍ପ ପାଇଁ ଶକ୍ତି ବିଭାଗ ଓ ନନ୍ୟାଙ୍ଗ ଟେକ୍ନୋଲୋଜିକାଲ ବିଶ୍ୱବିଦ୍ୟାଳୟ ଏବଂ ଶେଷରେ ଫିନଟେକ୍ ପାଇଁ ଇଲ୍କ୍ଟ୍ରୋନିକ୍ସ ଆଣ୍ଡ ଇନଫରମେସନ୍ ଟେକ୍ନୋଲୋଜି ବିଭାଗ ସହ ନନ୍ୟାଙ୍ଗ ଟେକ୍ନୋଲୋଜିକାଲ ବିଶ୍ୱବିଦ୍ୟାଳୟ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହେବ ।
ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍ ଶୁକ୍ରବାର ପୂର୍ବାହ୍ନ ୧୦.୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ଅପରାହ୍ଣ ୨ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଭେଟିବେ । ୧୮ ତାରିଖରେ ରାଷ୍ଟ୍ରପତି ପୁରୀ ଜିଲ୍ଲାର ଐତିହ୍ୟ ଗାଁ ରଘୁରାଜ ପୁର ଯିବେ । ଏହାପରେ ସେ ଆଇଓସିଏଲ୍ ବ୍ୟାଖ୍ୟାନ କେନ୍ଦ୍ର ଓ କୋଣାର୍କ ବୁଲି ଦେଖିବେ । ସେହିଦିନ ଅପରାହ୍ଣରେ ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆ ସ୍ଥିତ ଭାରତ ବାୟୋଟେକ ଟୀକା ପ୍ରସ୍ତୁତ କେନ୍ଦ୍ର ପରିଦର୍ଶନ କରିବେ ।
ଗୁରୁବାର ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍ ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭେଟିଥିଲେ । ସେ ରାଷ୍ଟ୍ରପତି ଭବନ ମଧ୍ୟ ପରିଦର୍ଶନ କରିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭେଟି ତାଙ୍କୁ ସ୍ୱାଗତ କରିଥିଲେ। ଉଭୟେ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତ-ସିଙ୍ଗାପୁରର ଭାଗିଦାରିତା ଉପରେ ଆଲୋଚନା କରିଥିଲେ ।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ତାଙ୍କୁ ଭେଟି ଭାରତରେ ସେମିକଣ୍ଡକ୍ଟର ଏଆଇ ରେଳ ଚଳାଚଳ ନେଇ ସିଙ୍ଗାପୁର ଓ ଭାରତ ମିଳିତ ଭାବେ କାମ କରିବେ ବୋଲି ଆଲୋଚନା କରିଥିଲେ । ଏବେ ସିଙ୍ଗାପୁର ରାଷ୍ଟ୍ରପତି ଭାରତର ସେମିକଣ୍ଡକ୍ଟର ଶିଳ୍ପରେ ଭାଗନେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ଶ୍ରୀ ବୈଷ୍ଣବ ଏକ୍ସରେ ସୂଚନା ଦେଇଛନ୍ତି ।