ଗାୟକ ହନି ସିଂହଙ୍କୁ ଭଏସ ମେସେଜ୍‌ରେ ହତ୍ୟା ଧମକ; ଦିଲ୍ଲୀ ପୋଲିସରେ ଅଭିଯୋଗ

Published By : Prameya-News7 Bureau | June 21, 2023 IST

ନୂଆଦିଲ୍ଲୀ ୨୧/୦୬: ପ୍ରକ୍ଷାତ ବଲିଉଡ ଗାୟକ ତଥା ରାପର ହନି ସିଂହଙ୍କୁ ହତ୍ୟା ଧମକ। ଦୁର୍ଦ୍ଦାନ୍ତ ଅପରାଧୀ ଗୋଲଡି ବରାଡ ତାଙ୍କୁ ଜୀବନରୁ ମାରିଦେବ ବୋଲି ଧମକ ଦେଇଛି। ଏନେଇ ହନି ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ବିଭାଗରେ ଅଭିଯୋଗ କରିଛନ୍ତି। ଏକ ଭଏସ୍‌ ମ୍ୟାସେଜ୍‌ ମାଧ୍ୟମରେ ହନିଙ୍କୁ ଧମକ ଦିଆଯାଇଛି। ଗ୍ୟାଙ୍ଗଷ୍ଟର ଗୋଲଡି ଏବେ କାନାଡ଼ାରେ ଆତ୍ମଗୋପନ କରିଛି ବୋଲି ଜଣାପଡ଼ିଛି।

ଏପରି ଧମକ ମିଳିବା ପରେ ସିଙ୍ଗର ହନି ସିଂ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ କମିଶନରଙ୍କୁ ଭେଟି ତାଙ୍କ ପାଖେ ଅଭିଯୋଗ ଦାଖଲ କରିଛନ୍ତି। ହନି ପୋଲିସକୁ ସେହି ଧମକପୂର୍ଣ୍ଣ ଭଏସ ମ୍ୟାସେଜ୍‌ ମଧ୍ୟ ଦେଇଛନ୍ତି। ଏପରି ଅଭିଯୋଗକୁ ଗୁରୁତର ଭାବେ ନେଇ ପୋଲିସ ଛାନଭିନ ଆରମ୍ଭ କରିଦେଇଛି।

ସୂଚନା ଅନୁସାରେ, ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡରେ ଗୋଲଡି ବରାଡ ମୁଖ୍ୟ ଅଭିଯୁକ୍ତ। ସେ ଏବେ ଫେରାର ଅଛି। ଚଳିତ ବର୍ଷ ମେ ମାସରେ କାନାଡ଼ା ସରକାର ୨୫ ଜଣ ମୋଷ୍ଟ ୱାଣ୍ଟେଡ୍ ଅପରାଧିଙ୍କ ତାଲିକାରେ ଗୋଲଡିର ନାଁ ସାମିଲ କରିଛନ୍ତି।  

ଏହା ପୂର୍ବରୁ ଗୋଲଡି ବରାଡ ବଲିଉଡ ସୁପରଷ୍ଟାର ସଲମନ ଖାନଙ୍କୁ ମଧ୍ୟ ମାରିବ ବୋଲି ଧମକ ଦେଇଥିଲା। ସେ ଏହିବର୍ଷ ମାର୍ଚ୍ଚରେ ଇମେଲ୍‌ ପଠାଇ ସଲମାନ ଖାନଙ୍କୁ ଧମକ ଦେଇଥିଲା। ଏହାର ଅଭିଯୋଗ ମିଳିବା ପରେ ପୋଲିସ ସଲମାନଙ୍କ ଘରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇଥିଲା। ଗୋଲଡି ବରାଡ କୁଖ୍ୟାତ ଅପରାଧି ଲରେନ୍ସ ବିଷ୍ଣୋଇ ସହିତ ଅନ୍ୟ ଅଭିଯୁକ୍ତଙ୍କ ସହାୟତାରେ ସିଦ୍ଧୁ ମୁଶେୱାଲାର ହତ୍ୟା କରିଥିଲା ବୋଲି  ୨୦୨୨ରେ ପଞ୍ଜାବ ପୋଲିସ ଦାୟର କରିଥିବା ଚାର୍ଜସିଟ୍‌ରେ ଦାବି କରିଥିଲା।

ଗୋଲଡି ବରାଡକୁ  ଲରେନ୍ସ ବିଷ୍ଣୋଇର ନିକଟତର ସହଯୋଗୀ କୁହଯାଏ। ସେ ବର୍ତ୍ତମାନ କାନାଡାରୁ ପୁରା ଗ୍ୟାଙ୍ଗକୁ ପରିଚାଳନା କରୁଛି। ବରାଡ ବିରୋଧରେ ଏବେ ସୁଦ୍ଧା ଅନେକ ଅପରାଧିକ ମାମଲା ତଦନ୍ତାଧୀନ ଅଛି। ଯାହାଫଳରେ ତା ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି। ଗୋଲ୍ଡି ବରାଡ ଗ୍ୟାଙ୍ଗଷ୍ଟର ଲରେନ୍ସ ସହିତ ମିଶି ପଞ୍ଜାବ, ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ହରିଆଣାରେ ତାର ଅପାରାଧିକ ସାମ୍ରାଜ୍ୟକୁ ପରିଚାଳନା କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.