ସିରାଜଙ୍କ ମହାନତା, ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ ଦାନ କରିଦେଲେ ପୁରସ୍କାର ରାଶି

Published By : Prameya-News7 Bureau | September 17, 2023 IST

ନୂଆଦିଲ୍ଲୀ,୧୭/୯: ଏସିଆ କପ୍‌ ଗ୍ରାଣ୍ଡ ଫାଇନାଲର ହିରୋ ମହମ୍ମଦ ସିରାଜ ଦେଖାଇଲେ ମହାନତା। ଦାନ କରିଦେଲେ ପାଇଥିବା ଟଙ୍କା। ଏସିଆ କପ୍-୨୦୨୩ର ଫାଇନାଲ୍ ମୁକାବିଲାରେ ଶ୍ରୀଲଙ୍କାକୁ ହରାଇ ଚାମ୍ପିଅନ୍‌ ହୋଇଛି ଭାରତ। ଫାଇନାଲ୍‌ ମ୍ୟାଚ୍‌ର ପ୍ଲେୟାର ଅଫ୍‌ ଦି ମ୍ୟାଚରେ ପୁରସ୍କାର ରାଶିଙ୍କୁ ଦାନ କରିଛନ୍ତି ସିରାଜ। ସେ ପାଇଥିବା ୪ ଲକ୍ଷ ୧୫ ହଜାର ଅର୍ଥରାଶିକୁ କଲମ୍ବୋ ଗ୍ରାଉଣ୍ଡ ଷ୍ଟାଫଙ୍କୁ ଦେଇଛନ୍ତି।

ସିରାଜ କହିଛନ୍ତି ଯେ, ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ ପାଇଁ ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ହୋଇପାରିଛି। ସେଥିପାଇଁ ଏହା ମୁଁ ସେମାନଙ୍କୁ ସମର୍ପିତ କରୁଛି। ସିରାଜ ଏବେ ସବୁ ଖେଳାଳିଙ୍କ ପାଇଁ ଉଦାହରଣ। ସିରାଜ ଭାରତକୁ ଜିତାଇ ଭାରତୀୟଙ୍କ ମନ ଜିଣିଥିଲେ, ଆଉ ତାଙ୍କର ଏପରି ମହତ୍‌ କାର୍ଯ୍ୟ କେବଳ ଶ୍ରୀଲଙ୍କା ନୁହେଁ, ବିଶ୍ୱର ସବୁ କ୍ରିକେଟ ପ୍ରେମୀଙ୍କ ହୃଦୟ ଜିତିଛନ୍ତି।

ଏସିଆ କପ୍‌ ଫାଇନାଲ ମ୍ୟାଚ୍‌ର ଶ୍ରୀଲଙ୍କା ବିପକ୍ଷରେ ୨୧ ରନ୍‌ ଦେଇ ୬ଟି ଓ୍ୱିକେଟ୍‌ ନେଇଥିଲେ ସିରାଜ। ସିରାଜ ଘାତକ ବୋଲିଂ ଆଗରେ ମାତ୍ର ୫୦ ରନ୍‌ରେ ସୀମିତ ରହିଥିଲା ଶ୍ରୀଲଙ୍କା।

ଏସିଆ କପ୍ ୨୦୨୩ର ଫାଇନାଲ୍ ମୁକାବିଲାରେ ଭାରତ ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ଏକତରଫା ବିଜୟ ହାସଲ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ମହମ୍ମଦ ସିରାଜଙ୍କ ଘାତକ ବୋଲିଂର ମୁକାବିଲା କରି ନ ପାରି ୧୫.୨ ଓଭରରେ ମାତ୍ର ୫୦ ରନରେ ଅଲଆଉଟ୍ ହୋଇଥିଲା।

ଜବାବରେ ଭାରତ କୌଣସି ଓ୍ଵିକେଟ୍ ନ ହରାଇ ୬.୧ ଓଭରରେ ମ୍ୟାଚ୍‌ ଜିତି ନେଇଛି। ଏହାସହିତ ଭାରତ ଅଷ୍ଟମ ଥର ଏସିଆ କପ୍ ଟାଇଟଲ୍ ନିଜ ନାମରେ କରିବା ସହିତ ଦିନିକିଆ କ୍ରିକେଟ୍‌ରେ କିଛି ନୂତନ ରେକର୍ଡ କରିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.