ଘଟଗାଁ ୫।୭: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ମୁଖ୍ୟ ବଜାର ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖା ତଳେ ଥିବା ନାରାୟଣ ଜୁଏଲାରୀରୁ ଲୁଟ୍ ଘଟଣାରେ ୬ ଅଭିଯୁକ୍ତ ଗିରଫ । ପୂର୍ବରୁ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଉ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୁକ୍ତଙ୍କ ନିକଟକୁ କିଛି ପରିମାଣର ସୁନା ଓ ରୁପା ଅଳଙ୍କାର ସମେତ ୩ ମୋବାଇଲ ଓ ୩ ବାଇକ୍ ଜବତ କରାଯାଇଥିବା SDPO ବିଜୟ କୃଷ୍ଣ ମହାପାତ୍ର ଓ ହରିଚନ୍ଦନପୁର ଥାନା ଆଇଆଇସି ଦେବକୀ ନାଏକ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ଜୁନ ୨୫ ତାରିଖ ସନ୍ଧ୍ୟା ୬ଟା ୪୫ ମିନିଟ୍ ସମୟରେ ୪ ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍ ଯୋଗେ ଆସି ଦୋକାନରେ ସମସ୍ତଙ୍କ ଉପସ୍ଥିତିରେ ପ୍ରଥମେ ମାରଣାସ୍ତ୍ର ଦେଖାଇବା ସହିତ ଦୁଇ ରାଉଣ୍ଡ ବ୍ଲାଙ୍କ ଫାୟାରିଂ କରି ଦୋକାନୀଙ୍କୁ ଆକ୍ରମଣ କରି ଲୁଟି ନେଇଥିଲେ ପାଖାପାଖି ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର । ସଙ୍ଗେ ସଙ୍ଗେ ପୋଲିସ ପହଞ୍ଚି ଘଟଣାକୁ ଗୁରୁତର ସହ ପୁରା ଏରିଆକୁ ନାକାବନ୍ଦୀ କରି ତଦନ୍ତ ଚଳାଇଥିଲା ।
ପାଖାପାଖି ୧୦ ଦିନ ତନାଘନା କରି ଗତ ୧ ଜୁଲାଇରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଶନିବାର ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ୬ ଅଭିଯୁକ୍ତ ମଧ୍ୟରୁ ତିନି ଅଭିଯୁକ୍ତ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର ବିକି ପାତ୍ର, ଜଗୁ ପାତ୍ର ଓ ଅଜିତ୍ ପଟ୍ଟନାୟକ ଏବଂ କଟକ ଜିଲ୍ଲାର ଜଗନ୍ନାଥ ଘଡେ଼ଇ, ଯାଜପୁର ଜିଲ୍ଲାରୁ ଇନ୍ଦ୍ରମଣି ମହାନ୍ତ ଓ କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ଥାନା ବାଇଲବେଡା ଗ୍ରାମର ବୁଦ୍ଧଦେବ ମହାନ୍ତ ବୋଲି ପୋଲିସ ସୂଚନା ଦେଇଛି । ତେବେ ଏହି ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଅନେକ କେଶ୍ ବିଭିନ୍ନ ଥାନାରେ ଥିବା ସୂଚନା ମିଳିଛି ।
You Can Read: