ଭୁବନେଶ୍ବର ୨୧।୩: କୋଡ୍ ୱାର୍ଡରେ ଚାଲିଥିଲା ଚୋରା ମଦ ବେପାର । ୫୦ ଟଙ୍କିଆ କୋଲ୍ଡଡ୍ରିଙ୍କସ୍ ମାଗିଲେ ମିଳୁଥିଲା ଥଣ୍ଡା ବୋତଲରେ ମଦ । ଗ୍ରାହକ ସାଜି ମଦ କିଣିବାକୁ ଯାଇଥିଲେ ଅବକାରୀ ବିଭାଗ କର୍ମଚାରୀ । ମଦ କିଣିବାର ବାହାନ କରି ଦୁଇ ଜଣଙ୍କୁ ମାଡି ବସିଥିଲା ଅବକାରୀ ବିଭାଗ । କୋଲ୍ଡଡ୍ରିଙ୍କସ ବୋତଲରେ ଥିବା ୨୦୦ ବୋତଲ ଚୋରା ମଦକୁ ଜବତ କରିଛି ଅବକାରୀ ବିଭାଗ । ଏହା କୌଣସି ଗ୍ରାମାଞ୍ଚଳରେ ବିକ୍ରି କରାଯାଉ ନଥିଲା । ଖୋଦ୍ ରାଜଧାନୀର ଛାତି ଉପରେ ଅର୍ଥାତ ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଥିବା ଏକ ଷ୍ଟେସନାରୀ ଦୋକାନରେଏହି ମଦ ବିକ୍ରି କରାଯାଉଥିଲା ।
ବଜାରରେ ଗୋଟିଏ ଛୋଟ କୋଲ୍ଡଡ୍ରିଙ୍କ୍ସ ବୋତଲର ଦାମ୍ ୨୦ ଟଙ୍କା ଥିବାବେଳେ ମଦ ମିଶା କୋଲ୍ଡଡ୍ରିଙ୍କସ ମିଳୁଥିଲା ୫୦ ଟଙ୍କାରେ । ଅବକାରୀ ବିଭାଗ ହାତରେ ଧରା ପଡିଥିବା ଦୁଇ ଅଭିଯୁକ୍ତ ଦୋକାନର କର୍ମଚାରୀ ବୋଲି ଜଣାପଡିଛି । ତେବେ କେତେଦିନ ହେବ ଏଠାରେ ଏହି ଚୋରା ମଦ ବିକ୍ରି କରାଯାଉଥିଲା । ଆଉ ଏହାର କିଙ୍ଗପିନ କିଏ ଥିଲା ତାର ତଦନ୍ତ ଜାରି ରଖିଛି ପୋଲିସ । ଧରା ପଡିଥିବା ମଦର ନମୁନା ଯାଞ୍ଚ ପାଇଁ ଫୋରେନସିକ ଲ୍ୟାବ୍କୁ ପଠାଯିବ ବୋଲି ଅବକାରୀ ସୁପରିଟେଣ୍ଡେଣ୍ଟ କହିଛନ୍ତି ।
ରାଜଧାନୀରେ କେତେବେଳେ ଅଟା ପ୍ୟାକେଟ୍ରେ ତ ଆଉ କେତେବେଳେ ବେସନ ପ୍ୟାକେଟ୍ରେ ମଦ ପ୍ୟାକ୍ ହୋଇ ବିକ୍ରି କରାଯାଉଥିଲା । କୋଲ୍ଡଡ୍ରିଙ୍କ୍ସ ବୋତଲରେ ମଦ ମିଳିବା ଫଳରେ ଚୋରା ବେପାରୀ ମାନେ ଏବେ ରାଜଧାନୀରେ ନୂଆ ନୂଆ ଫଣ୍ଡା ଆପଣେଇ ଚୋରାରେ ମଦ ବିକ୍ରି କରୁଥିବା କଥା ସାମ୍ନାକୁ ଆସିଛି ।
You Can Read:
କଳିଙ୍ଗନଗର ଟାଟା ଷ୍ଟିଲ କାରଖାନାରେ ଦୁର୍ଘଟଣା : ୫ରୁ ଉର୍ଦ୍ଧ୍ବ କର୍ମଚାରୀ ଆହତ