ମାନବ ଇତିହାସର ସବୁଠୁ ଗରମ ବର୍ଷ ୨୦୨୪, ୟୁରୋପୀୟ ଜଳବାୟୁ ଏଜେନ୍ସିର ବଡ଼ ଦାବି

Published By : Prameya-News7 Bureau | September 07, 2024 IST

ନୂଆଦିଲ୍ଲୀ: ୟୁରୋପର ଜଳବାୟୁ ଏଜେନ୍ସି କୋପରନିକସ ଦାବି କରିଛି ଯେ ଚଳିତ ବର୍ଷ ଗୀଷ୍ମ ସମୟରେ ପୃଥିବୀର ତାପମାତ୍ରା ସବୁଠୁ ଅଧିକ ରହିଥିଲା । ଏଜେନ୍ସିର କହିବା ଅନୁସାରେ ୨୦୨୪ ମସିହାରେ ମାନବ ଇତିହାସରେ ସବୁଠୁ ଉତ୍ତପ୍ତ ବର୍ଷ । ବୈଜ୍ଞାନିକଙ୍କ କହିବା ଅନୁସାରେ ରେକର୍ଡ ଗରମ ପଛରେ ମାନବ ଜନିତ କାରଣ ବ୍ୟତୀତ, ଜଳବାୟୁ ପରିବର୍ତ୍ତନ, ଅଲ୍ ନିନୋ ପ୍ରଭାବ ଏବଂ ପାଣିପାଗରେ ପରିବର୍ତ୍ତନ ସାମିଲ ରହିଛି ।

କୋପରନିକସ ଅନୁସାରେ ଜୁନ୍, ଜୁଲାଇ ଏବଂ ଅଗଷ୍ଟରେ ହାରାହାରି ତାପମାତ୍ରା ୧୬.୮ ଡିଗ୍ରି ସେଲସିୟସ (୬୨.୨୪ ଡିଗ୍ରି ଫାରେନାଇଟ୍) ଥିଲା । ୨୦୨୩ର ପୁରୁଣା ରେକର୍ଡଠାରୁ ୦.୦୩ ଡିଗ୍ରି ସେଲସିୟସ୍ ଅଧିକ ଉଷ୍ମ ଥିଲା । କୋପରନିକସର ରେକର୍ଡ ୧୯୪୦ରୁ ଉପଲବ୍ଧ ରହିଛି, କିନ୍ତୁ ଆମେରିକା, ବ୍ରିଟିଶ ଏବଂ ଜାପାନ ରେକର୍ଡ ଅନୁସାରେ ହାରାହାରି ତାପମାତ୍ରା ଗତ ଦଶନ୍ଧିରେ ସବୁଠୁ ଅଧିକ ରହିଛି । ବୈଜ୍ଞାନିକଙ୍କ କହିବା ଅନୁସାରେ ଗତ ୧,୨୦,୦୦୦ ବର୍ଷରେ ଏହା ସବୁଠୁ ଅଧିକ ତାପମାତ୍ରା ।

କୋପରନିକସ ନିର୍ଦ୍ଦେଶକ କାର୍ଲେ କହିଛନ୍ତି ଯେ ୨୦୨୪ ଏବଂ ୨୦୨୩ରେ ଅଗଷ୍ଟ ମାସ ମଧ୍ୟରେ ହାରାହାରି ତାପମାତ୍ରା ୧୬.୮୨ ଡିଗ୍ରି ରହିଛି, ଯାହା ବୈଶ୍ୱିକ ତାପମାତ୍ରା ସହ ସମାନ ରହିଛି । ବୈଜ୍ଞାନିକଙ୍କ କହିବା ଅନୁସାରେ ଏହି ଡାଟା ଦର୍ଶାଉଛି ଯେ କିପରି ଜଳବାୟୁ ପରିବର୍ତ୍ତନ ଆମ ଉପରେ କୁପ୍ରଭାବ ପକାଉଛି । ଏହା ପୂର୍ବରୁ ଗତ ବର୍ଷ ଅର୍ଥାତ୍ ୨୦୨୩ ମଧ୍ୟ ହାରାହାରି ଭାବେ ଅତ୍ୟଧିତ ଉଷ୍ମ ଥିଲା ଏବଂ ଚର୍ଚ୍ଚା ହେଉଥିଲା ଏହା ପୃଥିବୀର ସବୁଠୁ ଉତ୍ତପ୍ତ ବର୍ଷ । କିନ୍ତୁ ଏବେ ୨୦୨୪ ଡାଟାରୁ ସ୍ପଷ୍ଟ ହୋଇଛି ଯେ ଚଳିତ ବର୍ଷ ପୃଥିବୀ ଇତିହାସର ସବୁଠୁ ଗରମ ବର୍ଷ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.