ସୁନ୍ଦରଗଡ୧୨/୧: ସ୍କୁଲ ପଛପଟ ପାଲଗଦାରୁ ଯୁବକଙ୍କ ଅଧାପୋଡା ମୃତଦେହ ଉଦ୍ଧାର ଘଟଣାକୁ ବିତିଲାଣି ୧୭ ଦିନ । ଏବେ ଯାଏ ଘଟଣା ଉପରୁ ରହସ୍ୟ ଖୋଲିବା ଦୂର କଥା, ମୃତକଙ୍କ ପରିଚୟ ବି ପାଇନି ପୋଲିସ । ମୃତ ଯୁବକ କିଏ ? ସେ ପାଳଗଦା ମୂଳକୁ କେମିତି ଆସିଲେ ? ଯୁବକଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ? ଯଦି ଯୁବକଙ୍କୁ ହତ୍ୟା କରାଯାଇଛି,କିଏ ଏମିତି ବୀଭତ୍ସ କାଣ୍ଡ ଘଟାଇଛି ତାର ଟେର୍ ମିଳିନି । ଘଟଣାର ତଦନ୍ତ ଚାଲିଥିବା କହିବା ସହ ଡିଏନ୍ଏ ଟେଷ୍ଟ ପରେ ଯୁବକଙ୍କ ପ୍ରକୃତ ପରିଚୟ ମିଳିପାରିବ ବୋଲି ସୂଚନା ଦେଇଛି ସୁନ୍ଦରଗଡ ପୋଲିସ । ପୋଲିସର ଉଦାସୀନତାକୁ ନେଇ ଅସନ୍ତୋଷର ସ୍ବର ଉଠିଛି ।
ଡିସେମ୍ବର ୨୭ ତାରିଖ, ଶୁକ୍ରବାର । ସୁନ୍ଦରଗଡ ଲେଫ୍ରିପଡା ଥାନା ସର୍ଗିପାଲି ନବୋଦୟ ବିଦ୍ୟାଳୟ ପଛପଟ ପାଳଗଦାରେ ଘଟିଥିଲା ଛାତିଥରା ଘଟଣା । ପାଳଗଦାରେ ନିଆଁ ଲାଗିଥିବା ଦେଖି ଲୋକେ ଡରିଯାଇଥିଲେ । ପାଖକୁ ଯାଇ ଦେଖିଲା ବେଳକୁ ଜଣେ ଯୁବକ ସ୍କୁଟି ସହ ଜଳୁଥିବାର ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚିଲାବେଳକୁ ପୁରା ଜଳିଯାଇଥିଲେ ଯୁବକ । ଅଧାପୋଡା ମୃତଦେହ ସହ ପୋଡିଯାଇଥିବା ସ୍କୁଟି ଜବତ କରିଥିଲା ପୋଲିସ । ଯୁବକଙ୍କ ପରିଚୟ ମିଳିନଥିଲା । ଏତିକିବେଳେ ସର୍ଗିପାଲି ଆରଏମ୍ସିରେ ନାଇଟ ୱାଚର ଭାବେ କାମ କରୁଥିବା ଦିଜୁ ମାଝୀଙ୍କ ପୁଅ ଡିସେମ୍ବରର ୨୫ରୁ ନିଖୋଜ ଥିବା ନେଇ ଖବର ଆସିଥିଲା । ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ତେବେ ନିଖୋଜ ଦିଜୁ ମାଝୀଙ୍କ ପୁଅ ପାଳଗଦାରେ ପୋଡିଯାଇଥିବା ନେଇ ସନ୍ଦେହ ହୋଇଥିଲା । ତେବେ ଘଟଣାକୁ ୧୭ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ନା ପାଳଗଦାରୁ ଅଧାପୋଡା ଯୁବକଙ୍କ ପରିଚୟ ପାଇଚି ନା ନିଖୋଜ ଦିକୁ ମାଝୀଙ୍କ ପୁଅର ପତ୍ତା ମିଳିଛି ।