ନୂଆଦିଲ୍ଲୀ: ଦିଲ୍ଲୀ ବାୟୁ ପ୍ରଦୂଷଣକୁ ନେଇ ଖପ୍ପା ସୁପ୍ରିମକୋର୍ଟ । ଦିଲ୍ଲୀ-ଏନସିଆର ଅଞ୍ଚଳରେ GRAP-4 ନିୟମ ବିଳମ୍ବରେ ଲାଗୁ ନେଇ ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ ବା CAQM ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଖଣ୍ଡପୀଠ । ଏହା ସହିତ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏଁ ଚତୁର୍ଥ ପର୍ଯ୍ୟାୟ ନିୟମ ନହଟାଇବାକୁ ଦିଲ୍ଲୀ ସରକାରଙ୍କୁ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
ସର୍ବୋଚ୍ଚ ଅଦାଲତ ମାମଲା ଶୁଣାଣି ବେଳେ ଗ୍ରୁପ-୩ ନିୟମ ଲାଗୁ ହେବାକୁ ୩ଦିନ କାହିଁକି ବିଳମ୍ବ ହେଲା ବୋଲି CAQM ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ । ଜଷ୍ଟିସ୍ ଅଭୟ ଏସ. ଓକା ଏବଂ ଜଷ୍ଟିସ୍ ଅଗଷ୍ଟିନ ଜାଜ୍ ମସିହଙ୍କ ବେଞ୍ଚ ରାଜଧାନୀରେ AQI -୩୦୦ ତଳକୁ ଆସିଲେ ମଧ୍ୟ କୋର୍ଟଙ୍କ ବିନା ଅନୁମତିରେ ଗ୍ରୁପ-୪ ନିୟମ ହଟିବ ନାହିଁ ବୋଲି କହିଛନ୍ତି । ଏହାଛଡ଼ା ବାୟୁ ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାର କ’ଣ କ’ଣ ପଦକ୍ଷେପ ନେଇଛନ୍ତି ପଚାରିଥିଲେ । ରାଜ୍ୟ ସରକାର ଏହାର ଉତ୍ତରରେ କହିଛନ୍ତି, ସୋମବାରଠୁ ଗ୍ରେଡେଡ୍ ରେସ୍ପନ୍ସ ଆକ୍ସନ ପ୍ଲାନ୍ ଲାଗୁ ହୋଇଛି । ଦିଲ୍ଲୀ ଭିତରକୁ ଭାରିଯାନ ଉପରେ ପ୍ରତିବନ୍ଧକ ଲାଗିଛି । ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଯାଉଥିବା ଟ୍ରକ୍ ଗୁଡ଼ିକୁ ଛାଡ଼ି କୌଣସି ପ୍ରଦୂଷଣ ଯୁକ୍ତ ଗାଡ଼ି ଉପରେ ନୋ-ଏଣ୍ଟ୍ରି ଲାଗିଛି । ସମସ୍ତ ପ୍ରକାର ନିର୍ମାଣ ଉପରେ ରୋକ୍ ଲାଗିଛି ।
ଏପଟେ ଦିଲ୍ଲୀ ବାୟୁ ପ୍ରଦୂଷଣ ଏବଂ ଘନ କୁହୁଡ଼ି ନେଇ ଭାରତୀୟ ପାଣିପାଗ ବିଭାଗର ଅରେଞ୍ଜ ଆଲର୍ଟ ଜାରି କରିଛି । ଘନ କୁହୁଡ଼ି ପାଇଁ ସୋମବାର ସକାଳୁ ଦୃଶ୍ୟମାନ ହ୍ରାସ ପାଇଥିଲା । ଯାହାଫଳରେ ଦିଲ୍ଲୀ ବିମାନ ବନ୍ଦରରୁ ୩୦ ମନିଟ୍ ବିଳମ୍ବରେ ସ୍ପାଇସ୍ ଜେଟ୍ ଏବଂ ଇଣ୍ଡିଗୋ ର ଫ୍ଲାଇଟ୍ ଉଡ଼ାଣ ଭରିଥିଲା । ଦିଲ୍ଲୀର ଅଧିକାଂଶ ସ୍ଥାନରେ ବାୟୁ ପ୍ରଦୂଷଣ ମାନ ୪୫୦ ପାର୍ କରିଛି । ନୋଇଡାରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪୮୧ ରେକର୍ଡ ରହିଛି । ଏହା ଅତ୍ୟନ୍ତ ସାଂଘାତିକ୍ ବାୟୁ ପ୍ରଦୂଷଣ ବୋଲି କୁହାଯାଉଛି । ଗାଜିଆବାଦ ଏବଂ ଗୁରୁଗ୍ରାମରେ ଏକ୍ୟୁଆଇ ଯଥାକ୍ରମେ ୪୦୦ ଏବଂ ୪୪୬ ରହିଛି ।