ଜନସଭାକୁ ଆସ ଆଉ ଚୌକି ନେଇଯାଅ! ପାର୍ଟିର ଅଫରରେ ଲୋକେ ସଭାରୁ ଚେୟାର ନେଇଯାଉଥିବାର Video ଭାଇରାଲ

Published By : Prameya-News7 Bureau | November 18, 2024 IST

ପେରୁମନଲ୍ଲୁର ୧୮।୧୧:   ତାମିଲନାଡୁରୁ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ପେରୁମନଲ୍ଲୁରର ତିରିପୁରରେ ଆୟୋଜିତ ଏକ ବୈଠକ ପରେ ଲୋକେ ବସିଥିବା ଚେୟାରଗୁଡିକୁ ଖୁସି ଖୁସି ଘରକୁ ନେଇଯାଉଥିବାର ଦେଖିବାକୁ ମିଳିଛି। ଏହି ଦୃଶ୍ୟ ଏକ ନୂଆ ତଥା ଅଜବ ରଣନୈତିକ ପଦକ୍ଷେପର ଅଂଶବିଶେଷ, ଯାହାକୁ ଅଲ ଇଣ୍ଡିଆ ଦ୍ରାବିଡ ମୁନିତ୍ର କଝଗମ (ଏଆଇଡିଏମକେ) ଜନସଭା ପ୍ରତି ଲୋକଙ୍କୁ ଆକର୍ଷିତ କରିବା ପାଇଁ କରିଛି। 

ବୈଠକରେ ଯୋଗ ଦେଇଥିବା ଲୋକଙ୍କୁ ସେମାନେ ବସିଥିବା ଚୌକି ନେଇଯିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ସେହି ଅନୁସାରେ ସର୍ବସାଧାରଣ ସଭାକୁ ଆସିଥିବା ଲୋକେ ଉପହାରରେ ବସିଥିବା ଚୌକି ନେଇ ଘରକୁ ଫେରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ତାମିଲନାଡୁ ରାଜନୀତିରେ ଏବେ ବେଶ୍ ହଲଚଲ ଦେଖାଯାଉଛି। ଏଥିରେ ବିରୋଧୀ ଦଳ ଏଆଇଡିଏମକେ ନିଜ ଲୋକପ୍ରିୟତା ପୁଣି ଫେରାଇ ଆଣିବାକୁ ଏହି ନୂଆ ପଦକ୍ଷେପ ନେଇଛି। 


ଗତ ଦୁଇଟି କାର୍ଯ୍ୟକାଳ ହେଲା ବିରୋଧୀ ଦଳରେ ବସୁଥିବା ଏଆଇଡିଏମକେ ଏବେ ଏହି ରଣନୀତି ଆପଣେଇଛି, ଯେପରି ଅଧିକରୁ ଅଧିକ ଲୋକେ ପାର୍ଟିର କାର୍ଯ୍ୟକ୍ରମକୁ ଆସିବେ। ଏଆଇଡିଏମକେ ନିଜ ସ୍ଥିତି ମଜଭୁତ କରିବା ଏବେ ଜରୁରି ବୋଲି ଅନୁଭବ କରୁଛି। ଏଣୁ ଏପରି ଅଫର ଦେଉଥିବା ବେଳେ ରଜ୍ୟରେ ରାଜନୈତିକ ଦଳମାନଙ୍କରେ ଲୋକଙ୍କୁ ଉପହାର ଦେବା ପାଇଁ ଏବେ ପ୍ରତିଯୋଗୀତା ଆରମ୍ଭ ହୋଇଯାଇଛି। 


ରାଜ୍ୟ ରାଜନୈତିକ ପରିବେଶରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଏବେ ଦେଖିବାକୁ ମିଳୁଛି। ଚଳିଚିତ୍ର ଅଭିନେତା ବିଜୟ ତାଙ୍କ ନିଜର ନୂଆ ପାର୍ଟି ଗଠନ କରିଛନ୍ତି। ଅଭିନେତାରୁ ରାଜନେତା ହେବାକୁ ଯାଉଥିବା ବିଜୟଙ୍କ ଏହି ପଦକ୍ଷେପ ତାମିଲନାଡୁ ରାଜନୀତିରେ ନୂଆ ଯୁଗ ଆରମ୍ଭ କରିବ ବୋଲି କୁହାଯାଉଛି। ବିଜୟଙ୍କ ପାର୍ଟି ରାଜ୍ୟରେ ଏଆଇଡିଏମକେ ଓ ଦ୍ରାବିଡ ମୁନିତ୍ର କଝଗମ (ଡିଏମକେ) ଲାଗି ନୂଆ ଆହ୍ୱାନ ବନିପାରେ। ବିଜୟଙ୍କ ପାର୍ଟିର ସମର୍ଥକଙ୍କ ସଂଖ୍ୟା ଧିରେ ଧିରେ ବଢିବା ଆରମ୍ଭ ହୋଇଛି। ଏଣୁ ଆଗାମୀ ନିର୍ବାଚନରେ ବିଜୟଙ୍କ ପାର୍ଟିକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଯାଉଛି। ସାରା ରାଜ୍ୟରେ ପ୍ରଭାବ ଓ ଭୋଟରଙ୍କ ସମର୍ଥନ ପାଇଁ ରାଜନୈତିକ ଦଳଙ୍କ ମଧ୍ୟରେ ଏବେ ପ୍ରତିଯୋଗୀତା ଆରମ୍ଭ ହୋଇଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.