ନୂଆଦିଲ୍ଲୀ ୧୮।୧୧: ମଣିପୁରରେ ପୁଣି ଥରେ ହିଂସା ବୃଦ୍ଧି ମଧ୍ୟରେ କଂଗ୍ରେସ ସୋମବାର ପ୍ରଧାନମନ୍ତ୍ରୀଙ୍କ ମଣିପୁର ଗସ୍ତ ଦାବି କରିଛି। ଆଗାମୀ ସଂସଦ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ଥରେ ସଂକଟଗ୍ରସ୍ତ ରାଜ୍ୟ ଗସ୍ତ କରିବା ଜରୁରି ବୋଲି କଂଗ୍ରେସ କହିଛି। ଏହା ସହିତ ପାର୍ଟି ସେଠାରେ ‘ଡବଲ ଇଞ୍ଜିନ ସରକାରର ପୂର୍ଣ୍ଣ ବିଫଳତା’ ନିମନ୍ତେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଛି। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କୁ ସର୍ବ ପ୍ରଥମେ ମଣିପୁର ସର୍ବଦଳୀୟ ପ୍ରତିନିଧି ମଣ୍ଡଳଙ୍କୁ ଭେଟିବା ଦରକାର।
ଏହା ପରେ ପ୍ରଧାନମନ୍ତ୍ରୀ ୨୫ ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ସଂସଦର ଶୀତ ଅଧିବେଶନ ପୂର୍ବରୁ ଜାତୀୟ ସ୍ତରରେ ଏକ ସର୍ବଦଳୀୟ ବୈଠକ ଅହ୍ୱାନ କରନ୍ତୁ ବୋଲି ରମେଶ କହିଛନ୍ତି। ମଣିପୁର କଂଗ୍ରେସ ଅଧ୍ୟକ୍ଷ କିଶମ ମେଘଚନ୍ଦ୍ର କହିଛନ୍ତି ଯେ ‘କେନ୍ଦ୍ର ମଣିପୁର ପ୍ରସଙ୍ଗକୁ ସମ୍ପୂର୍ଣ୍ଣ ଆଖି ମୁଦି ଦେଇଛନ୍ତି। ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏପରିକି ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ମଣିପୁର ପ୍ରସଙ୍ଗରେ ନୀରବ ହୋଇଯାଇଛନ୍ତି। ଏଥିରେ ଏନପିପି ଯେଉଁ ନିଷ୍ପତ୍ତି ନେଇଛି ତାହା ଏନଡିଏ ମେଣ୍ଟ ଭିତରର କଥା।
ଆମେ ପ୍ରସଙ୍ଗରେ ରାଜନୀତି କରିବାକୁ ଚାହୁଁନା, ଆମେ ମଣିପୁରରେ ଶାନ୍ତି ଫେରିଆସୁ ତାହା ହିଁ ଚାହୁଁଛୁ ବୋଲି ମେଘଚନ୍ଦ୍ର କହିଛନ୍ତି। ଏଣୁ ଆମେ ଦାବି କରୁଛୁ ପ୍ରଧାନମନ୍ତ୍ରୀ ସିଧାଶଳଖ ମାମଲାରେ ହସ୍ତକ୍ଷେପ କରନ୍ତୁ। ଏଥି ପାଇଁ ତାଙ୍କୁ ଆଉ ଅପେକ୍ଷା କରିବା ଉଚିତ ନୁହେଁ। ସେ ମଣିପୁରର ସବୁ ରାଜନୈତିକ ଦଳଙ୍କ ପ୍ରତିନିଧିଙ୍କୁ ଭେଟନ୍ତୁ ଓ ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ ଭେଟନ୍ତୁ’। ଜୟରାମ ରମେଶ କହିଛନ୍ତି ଯେ ୩ ମେ ୨୦୨୩ରୁ ମଣିପୁର ଜଳୁଛି। ଏଥି ପ୍ରତି ଦୃଷ୍ଟି ଦେବା ବଦଳେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତ କରୁଛନ୍ତି।
ଜୟରାମ ରମେଶ କହିଛନ୍ତି ଯେ ମଣିପୁରର ଯନ୍ତ୍ରଣା ସାରା ଦେଶର ଯନ୍ତ୍ରଣା। ମଣିପୁର ହିଂସାରେ ଏ ପର୍ଯ୍ୟନ୍ତ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ ହଜାରରୁ ଅଧିକ ଲୋକେ ବିସ୍ଥାପିତ ହୋଇଛନ୍ତି। ଏହା ସରକାରର ସମ୍ପୂର୍ଣ୍ଣ ବିଫଳତା। ସେ କହିଛନ୍ତି ୨୦୨୨ ବିଧାନସଭା ନିର୍ବାଚନରେ ବିଜେପିକୁ ୬୦ରୁ ୩୨ଟି ଆସନ ମିଳିଥିଲା। ପାର୍ଟିକୁ ରାଜ୍ୟରେ ପୁର୍ଣ୍ଣ ବହୁମତ ମିଳିବାର ମାତ୍ର ୧୫ ମାସରେ ରାଜ୍ୟ ଜଳିବା ଆରମ୍ଭ ହୋଇଥିଲା।