ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ, ସେୟାର ବଜାରରେ ହେବନି ଟ୍ରେଡିଂ

Published By : Prameya-News7 Bureau | November 18, 2024 IST

ମୁମ୍ବାଇ ୧୮।୧୧: ଭାରତୀୟ ସେୟାର ବଜାରରେ ୨୦ ନଭେମ୍ବର ୨୦୨୪ ବୁଧବାର ଦିନ ଛୁଟି ରହିବ। ଏଣୁ ଷ୍ଟକ୍ ମାର୍କେଟରେ ବିଏସଇ ଓ ଏନଏସଇରେ କୌଣସି କାମ ହେବ ନାହିଁ। ସେୟାର ବଜାରରେ ଛୁଟି ଘୋଷଣା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନିମନ୍ତେ କରାଯାଇଛି। ଷ୍ଟକ୍ ମାର୍କେଟର ଉଭୟ ଏକ୍ସଚେଞ୍ଜ ବିଏସଇ ଓ ଏନଏସଇ ବନ୍ଦ ରହିବ ବୋଲି ଅଧିକାରୀକ ଘୋଷଣା ହୋଇଛି। କେବଳ ସେୟାର ବଜାର ନୁହେଁ କରେନ୍ସି ମାର୍କେଟ ଓ କମଡିଟି ଏକ୍ସଚେଞ୍ଜରେ ମଧ୍ୟ କାରବାର ହେବ ନାହିଁ। କାରଣ ଏହା ମଧ୍ୟ ଛୁଟି ରହିବ। 

ଉଲ୍ଲେଖଯୋଗ୍ୟ ଯେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାରର ୧୮ ନଭେମ୍ବର ସୋମବାର ଶେଷ ଦିନ। ସନ୍ଧ୍ୟାରୁ ନିର୍ବାଚନ ପ୍ରଚାର ବନ୍ଦ ହୋଇଯିବ। ରାଜ୍ୟର ୨୮୮ ଆସନରେ ନଭେମ୍ବର ୨୦ ତାରିଖ ଦିନ ଭୋଟଗ୍ରହଣ ହେବ। ଭୋଟ ଦିନ ବ୍ୟାଙ୍କ ଓ ସ୍କୁଲ ଛୁଟି ରହିବ। ନଭେମ୍ବର ୨୩ରେ ଭୋଟ ଗଣନା ହେବ। ଏନଏସଇ ନଭେମ୍ବର ୮ ତାରିଖ ଦିନ ଏକ ନୋଟିଫିକେସନ ଜାରି କରିଥିଲେ। ଯେଉଁଥିରେ ଏକ୍ସଚେଞ୍ଜ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନିମନ୍ତେ ନଭେମ୍ବର ୨୦ ତାରିଖ ଦିନ ଛୁଟି ରହିବ ବୋଲି ସୂଚନା ଦେଇଥିଲେ। ଏହି ଦିନ ବିଏସଇ ଓ ଏନଏସଇରେ ଇକ୍ୱିଟି, ଇକ୍ୱିଟି ଡେରିଭେଟିବ ଓ ଏସଏଲବି ସେଗମେଣ୍ଟରେ ଟ୍ରେଡିଂ ହେବ ନାହିଁ। 

ଏହି ଦିନ କରେନ୍ସି ଡେରିଭେଟିଭ ସେଗମେଣ୍ଟରେ ମଧ୍ୟ ଟ୍ରେଡିଂ ବନ୍ଦ ରହିବ। ମଲ୍ଟି କମଡିଟି ଏକ୍ସଚେଞ୍ଜ (ଏମସିଏକ୍ସ) ଓ ନ୍ୟାସନାଲ କମଡିଟି ଏକ୍ସଚେଞ୍ଜ (ଏନସିଏକ୍ସ)ରେ ନଭେମ୍ବର ୨୦ ତାରିଖ ଦିନ କୌଣସି କାରବାର ହେବ ନାହିଁ। ଚଳିତମାସରେ ବଜାର ମୋଟ ୩ ଦିନ ଛୁଟି ରହିଛି। ନଭେମ୍ବର ୧ ତାରିଖ ଦିନ ମୁହୂର୍ତ୍ତ ଟ୍ରେଡିଂ ନିମନ୍ତେ ବଜାର ବନ୍ଦ ଥିଲା। ଏହା ପରେ ୧୫ ନଭେମ୍ବର ଗୁରୁନାନକ ଜୟନ୍ତୀ ନିମନ୍ତେ ବଜାର ବନ୍ଦ ଥିଲା ଓ ଏବେ ନଭେମ୍ବର ୨୦ ମହାରାଷ୍ଟ୍ର ଭୋଟ ପାଇଁ ବଜାର ବନ୍ଦ ରହିବ। 

ଷ୍ଟକ୍ ଏକ୍ସଚେଞ୍ଜ ମୁମ୍ବାଇରୁ ସଞ୍ଚାଳିତ ହେଉଛି। ଏଠାରେ ୨୦ ନଭେମ୍ବର ନିର୍ବାଚନ ଦିବସ। ଏଣୁ ସମସ୍ତେ ସହଜରେ ନିଜ ମତାଧିକାର ସାବ୍ୟସ୍ତ କରନ୍ତୁ ସେଥି ପାଇଁ ଛୁଟି ଘୋଷଣା କରାଯାଇଛି। ଏହି ଦିନ ଝାଡଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଉତ୍ତର ପ୍ରଦେଶର ୯ ବିଧାନସଭା ଆସନ ନିମନ୍ତେ ଉପନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.