ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଗିରଫ ! ହାଇ ପ୍ରୋଫାଇଲ ମାମଲାରେ ଭାରତ ପାଇଁ ଥିଲା ମୋଷ୍ଟ ଓ୍ୱାଣ୍ଟେଡ୍‌

Published By : Prameya-News7 Bureau | November 18, 2024 IST

News7

ନୂଆଦିଲ୍ଲୀ: ଆମେରିକାର କାଲିଫର୍ଣ୍ଣିଆରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇକୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଗତ ମାସରେ ଭାରତ ସରକାର ଜାମିନ ବିହୀନ ଗିରଫ ପରଓ୍ୱାନା ଜାରି କରିଥିଲେ। କେନ୍ଦ୍ରୀୟ ଗୃହ ବିଭାଗ କିମ୍ବା ଏନଆଇଏ ଏହି ବିଷୟରେ ସରକାରୀ ସୂଚନା ଦେଇପାରେ।

ମୁମ୍ବାଇ ପୋଲିସର ଅପରାଧା ଶାଖା ଅନମୋଲ ବିଷ୍ଣୋଇର ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ କରିବାର କିଛି ସପ୍ତାହ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ମାମଲା ଏବଂ ଅଭିନେତା ସଲମାନ ଖାନଙ୍କ ବାନ୍ଦ୍ରା ବାସଭବନରେ ଗୁଳିକାଣ୍ଡରେ ଅନମୋଲ ବିଷ୍ଣୋଇ ପଳାତକ ଘୋଷିତ ହୋଇଥିଲା।

ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଦ୍ୱାରା ପଞ୍ଜୀକୃତ ହୋଇଥିବା ଦୁଇଟି ମାମଲା ବ୍ୟତୀତ ଅନମୋଲ ବିଷ୍ଣୋଇ ବିରୋଧରେ ୧୮ଟି ଅପରାଧିକ ମାମଲା ମଧ୍ୟ ପଞ୍ଜିକୃତ ହୋଇଛି। ନିକଟରେ NIAର ମୋଷ୍ଟ୍-ୱାଣ୍ଟେଡ୍‌ ତାଲିକାରେ ଯୋଡ଼ି ହୋଇଥିଲା ଅନମୋଲର ନାଁ। ଅନମୋଲକୁ ଧରାଇ ଦେଲେ ୧୦ ଲକ୍ଷ ଟଙ୍କା ପୁରସ୍କାର ଦେବା ନେଇ ଘୋଷଣା କରିଛି ତଦନ୍ତକାରୀ ସଂସ୍ଥା। ଏନଆଇଏ ଦ୍ୱାରା ପଞ୍ଜୀକୃତ ହୋଇଥିବା ୨୦୨୨ ମାମଲାରେ ଅନମୋଲଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି। 

ଅନମୋଲ ଯୋଧପୁର ଜେଲରେ ରହିଥିଲା ଏବଂ ୭ ଅକ୍ଟୋବର ୨୦୨୧ରେ ତାକୁ ଜାମିନରେ ମୁକ୍ତ କରାଯାଇଥିଲା। ମୁକ୍ତ ହେବା ପରେ ସେ ନକଲି ପାସପୋର୍ଟରେ କାନାଡାକୁ ପଳାଇଥିଲା। ଚଳିତ ବର୍ଷ ଏପ୍ରିଲ ମାସରେ ସଲମାନଙ୍କ ବାଲକୋନୀରେ ଘଟିଥିବା ଗୁଳି ବିନିମୟର ଦାୟିତ୍ୱ ମଧ୍ୟ ଅନମୋଲ ଗ୍ରହଣ କରିଥିଲା। କେନ୍ଦ୍ରୀୟ ଗୃହ ବିଭାଗ କିମ୍ବା ଏନଆଇଏ ଏହି ବିଷୟରେ ସରକାରୀ ସୂଚନା ଦେଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.