ନୂଆଦିଲ୍ଲୀ ୧୮।୧୧: ଏଲିଅନ୍ଙ୍କ ନାଁ ଶୁଣିବା ମାତ୍ରେ ଅନେକ ଚିତ୍ର ସାମ୍ନାକୁ ଆସିଯାଏ । ଏଲିଅନ୍ଙ୍କୁ ଅନେକ କଥା ଶୁଣିବାକୁ ମିଶିଥାଏ । କିନ୍ତୁ ଜାଣନ୍ତି କି ଦୁନିଆରେ ଏପରି ଏକ ସ୍ଥାନ ଅଛି ଯାହା ଏଲିଅନଙ୍କ ଘର ପରି ଦେଖାଯାଏ । ଏଠାରେ ଦେଖିବାକୁ ମିଳୁଥିବା ଗଛପତ୍ର ଦୁନିଆର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳିନଥାଏ ।
ଏହାକୁ ଏଲିଅନ୍ ଆଇଲ୍ୟାଣ୍ଡ ମଧ୍ୟ କୁହାଯାଏ । ଏହି ଦ୍ୱୀପର ନାଁ ହେଉଛି ସୋକୋତ୍ରା । ଯାହା ଦକ୍ଷିଣ ଆଫ୍ରିକାର ଉତ୍ତର-ପୂର୍ବର ହିନ୍ଦ ମହାସାଗରରେ ଅବସ୍ଥିତ। ଏହା ଉପରେ ୟେମେନ ଶାସନ କରିଥାଏ । ଏହି ଆଇଲ୍ୟାଣ୍ଡରେ ୮୨୫ ପ୍ରଜାତିର ଉଦ୍ଭିଦ ଦେଖିବାକୁ ମିଳିଥାଏ । ସେଥିମଧ୍ୟରୁ ୩୦୭ଟି ଏପରି ରହିଛି ଯାହା କେବଳ ଏହି ଦ୍ବୀପରେ ଦେଖିବାକୁ ମିଳିଥାଏ ।
ଏଥିମଧ୍ୟରୁ ସବୁଠାରୁ ବିଶେଷ ହେଉଛି ଡ୍ରାଗନ୍ ବ୍ଲଡ୍ ଟ୍ରି । ଯାହା ଲାଲ ରଙ୍ଗର ଏବଂ ଏକ ଛତା ପରି ଦେଖାଯାଏ । ସୋକୋତ୍ରା ଆର୍କିପେଲାଗୋରେ ୪ଟି ଆଇଲ୍ୟାଣ୍ଡ ରହିଛି । ଯାହାର ନାଁ ସୋକୋତ୍ରା, ଅବ୍ଦ ଅଲ କୁରି, ସମହାହ, ଦାରସାହା । ଏହି ଦ୍ୱୀପ ୩୭୯୬ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପିଛି । ଏହାର ମୋଟେଇ ୫୦ କିଲୋମିଟର ଏବଂ ଲମ୍ବ ୧୩୨ କିଲୋମିଟର ।
ଏହି ଦ୍ୱୀପର ସବୁଠାରୁ ଉଚ୍ଚ ପର୍ବତର ନାଁ ହେଉଛି ମଶନିଗ । ଏହାର ଉଚ୍ଚତା ୪୯୩୧ ଫୁଟ ।ଏହାର ରାଜଧାନୀର ନାଁ ଥିଲା ହଦିବୁ। ଏଠାରେ ବୋତଲ ଗଛ ମଧ୍ୟ ଦେଖିବାକୁ ମିଳେ । ଗୋଲାପୀ ରଙ୍ଗର ଫୁଲ ଏହି ଗଛରେ ଦେଖିବାକୁ ମିଳିଥାଏ । ଏହି ଆଇଲ୍ୟାଣ୍ଡରେ ମିଳୁଥିବା ପଶୁମାନେ ମଧ୍ୟ ଅନନ୍ୟ ହୋଇଥାନ୍ତି । ଅନେକ ଏପରି ଅଛନ୍ତି ଯିଏକି କେବଳ ଏହି ସ୍ଥାନରେ ନଜର ଆସନ୍ତି । ଏହି ଦ୍ୱୀପର ପାଗ ମଧ୍ୟ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ । ଏଠାରେ ବାଲୁକା କୂଳ, ହଜହୀର ପାହାଡ ଏବଂ ଚୂନ ପଥର ମାଳଭୂମି ରହିଛି ।
ଏହି ସ୍ଥାନରେ ହାରାହାରି ତାପମାତ୍ରା ପ୍ରାୟ ୨୫ ଡିଗ୍ରୀ ସେଲସିୟସ୍ ହୋଇଥାଏ । ଆଉ କମ୍ ବର୍ଷା ହୋଇଥାଏ । ଏଠାରେ ୩୧ ପ୍ରଜାତିର ସାପ ଏବଂ ଝିଟିପିଟି ଅଛନ୍ତି । ଏମାନେ ସମସ୍ତ ସ୍ଥାନୀୟ ପ୍ରଜାତି । ସବୁଠାରୁ ଖାସ୍ କଥା ହେଉଛି ଏଠାରେ ମିଳୁଥିବା ଝିଟିପିଟିର ଗୋଡ ନଥାଏ । ମଣିଷମାନେ ଏହି ଦ୍ୱୀପରେ ୨ ହଜାର ବର୍ଷ ଧରି ବାସ କରି ଆସୁଛନ୍ତି ।