ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କ ହ୍ୱାଇଟ୍ ହାଉସ୍ ପ୍ରବେଶ ପୂର୍ବରୁ ବାଇଡେନ ପ୍ରଶାସନ ସ୍ଥିତିକୁ ଅଧିକ ଜଟିଳ କରୁଥିବା ଡୋନାଲ୍ଡ ଟ୍ରମ୍ପ ଜୁନିଅର ଅଭିଯୋଗ କରିଛନ୍ତି । ଜୁନିଅର ଟ୍ରମ୍ପ କହିଛନ୍ତି ଯେ ବାଇଡେନ ଉଦ୍ଦେଶ୍ୟମୂଳକ ଭାବେ ହିଂସାକୁ ବଢାଉଛନ୍ତି, ଯାହା ତୃତୀୟ ବିଶ୍ୱଯୁଦ୍ଧ ମଧ୍ୟ ହୋଇପାରେ । ଏହା ପୂର୍ବରୁ ରବିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ ସେନା ପାଇଁ ଏକ ବଡ଼ ଘୋଷଣା କରିଥିଲେ । ଆମେରିକାର ଦୂରଗାମୀ ମିସାଇଲକୁ ରୁଷ ଉପରେ ପ୍ରୟୋଗ କରିବା ପାଇଁ ମଞ୍ଜୁରୀ ଦେଇଥିଲେ । ଜୁନିଅର ଟ୍ରମ୍ପଙ୍କ ଦାବି ଅନୁସାରେ ଉତ୍ତେଜନାକୁ ସହଜରେ ମୁକାବିଲା କରି ହେବ, କିନ୍ତୁ ଡାଇଡେନ୍ ପ୍ରଶାସନ ଏଥିରେ ବିଫଳ ରହିଛି ।
ବାଇଡେନଙ୍କ ନୀତି ଏବଂ ସୈନ୍ୟ-ଉଦ୍ୟୋଗିକ ପରିସରକୁ ଟ୍ରମ୍ପ ଜୁନିଅର ସମାଲୋଚନା କରିଛନ୍ତି । ୪୬ ବର୍ଷୀୟ ଟ୍ରମ୍ପ ଜୁନିଅର ଏକ୍ସରେ ଲେଖିଛନ୍ତି, 'ମୋ ବାପାଙ୍କୁ ଶାନ୍ତି ସ୍ଥାପନ ଏବଂ ଲୋକଙ୍କ ଜୀବନ ରକ୍ଷାର ସୁଯୋଗ ମିଳିବା ପୂର୍ବରୁ ମିଲିଟ୍ରି ଇଣ୍ଡଷ୍ଟ୍ରିୟଲ କମ୍ପ୍ଲେକ୍ସ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ପାଇଁ ସୁନିଶ୍ଚିତ କରୁଛି ।'
ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ଜିତିବା ପରେ ରୁଷ-ୟୁକ୍ରେନ ଯୁଦ୍ଧ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଟ୍ରମ୍ପଙ୍କ ମୁଖପାତ୍ର ଷ୍ଟିଭନ ଚେଉଁଙ୍ଗ ନ୍ୟୁୟର୍କ ପୋଷ୍ଟକୁ କହିଥିଲେ, 'ଟ୍ରମ୍ପ ଏକମାତ୍ର ନେତା ଯିଏ ଉଭୟ ପକ୍ଷଙ୍କୁ ଗୋଟିଏ ଟେବୁଲକୁ ଆଣିପାରିବେ ଏବଂ ଲୋକଙ୍କ ହତ୍ୟା ରୋକିବା ଦିଗରେ କାମ କରିପାରିବେ ।'
ଏହାରି ଭିତରେ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରୟୋଗ ପାଇଁ ୟୁକ୍ରେନକୁ ଅନୁମତି ପ୍ରଦାନ ତୃତୀୟ ବିଶ୍ୱଯୁଦ୍ଧର ଆଶଂକାକୁ ବଢାଇଛି । ରୁଷ ଫେଡରେସନ୍ କାଉନସିଲର ବରିଷ୍ଠ ସଦସ୍ୟ ଆନ୍ଦ୍ରେଇ କ୍ଲିସାନ ଟେଲିଗ୍ରାମ ମାଧ୍ୟମରେ ଚେତାବନୀ ଦେଇ କହିଛନ୍ତି, ଏହି ପଦକ୍ଷେପ ୟୁକ୍ରେନର ପୂର୍ଣ୍ଣ ପତନର କାରଣ ହୋଇପାରେ । ରୁଷ ଅନ୍ତରାଷ୍ଟ୍ରୀୟ ମାମଲା ସମିତିର ପ୍ରଥମ ଉପମୁଖ୍ୟ ଭ୍ଲାଦିମିର ଦଜବାରୋଭ ବି ଚେତାବନୀ ଦେଇ ମସ୍କୋର ପ୍ରତିକ୍ରିୟା ତ୍ରୀବ ହେବ ବୋଲି କହିଛନ୍ତି । ଏହାସହ ସେ ଏହି ପଦକ୍ଷେପକୁ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ଦିଗରେ ଏକ ବଡ଼ କାରକ ବୋଲି କହିଛନ୍ତି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସେପ୍ଟେମ୍ୱରରେ ଏକ ବୟାନରେ କହିଥିଲେ, ରୁଷ ମାଟିରେ ନିଜ କ୍ଷେପଣାସ୍ତ୍ର ପ୍ରୟୋଗ ପାଇଁ ୟୁକ୍ରେନକୁ ପାଶ୍ଚ୍ୟାତର ଅନୁମତି ମସ୍କୋ ସହ ସିଧା ଲଢେଇର ଆରମ୍ଭ ହେବ ।