କାଶ୍ମୀରରେ କଡ଼ ଲେଉଟେଇଲା ପାଗ, ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କ ଲାଗି ସତର୍କତା ଜାରି

Published By : Prameya-News7 Bureau | November 18, 2024 IST

ଶ୍ରୀନଗର ୧୮।୧୧: ପୁରା ଉତ୍ତର ଭାରତରେ ପାଗ ଏବେ କଡ଼ ଲେଉଟେଇଛି, ଫଳରେ ଥଣ୍ଡାର ପ୍ରକୋପ ଆରମ୍ଭ ହୋଇଯାଇଛି। ଅନେକ ସହରରେ ଏବେ କୁହୁଡ଼ି ପଡୁଥିବା ବେଳେ କାଶ୍ମୀରରେ ମଧ୍ୟ ପାଗ ଲଗାତାର ବଦଳିବାରେ ଲାଗିଛି। କାଶ୍ମୀରର ଉପର ଅଞ୍ଚଳରେ ବରଫପାତ ହୋଇଛି। ଫଳରେ କାଶ୍ମୀର ସ୍ୱେତ ଚଦରରେ ଘୋଡେଇ ହୋଇଯାଇଛି। ହାଲୁକା ହୀମ ପାତ ଯୋଗୁ ତାପମାତ୍ରା ମଧ୍ୟ ହ୍ରାସ ହେବାରେ ଲାଗିଛି। ଏଣୁ ବାହାରୁ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କ ସମେତ ସ୍ଥାନୀୟ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସତର୍କତା ଜାରି କରାଯାଇଛି। 

କାଶ୍ମୀରରେ ବରଫପାତ ଉପତ୍ୟାକାରେ ଶୀତ ଲହର ଆଣିଦେଇଛି। ହେଲେ ଏଠାକୁ ବରଫର ମଜା ନେବାକୁ ଆସିଥିବା ପର୍ଯ୍ୟଟକ ନିଜକୁ ରୋକି ପାରୁ ନାହାନ୍ତି। କାଶ୍ମୀର ଘାଟିର ଉଚ୍ଚ ଅଞ୍ଚଳରେ ଶନିବାର ପ୍ରଥମ ହୀମପାତ ହୋଇଥିବା ବେଳେ ସମତଳରେ ବର୍ଷା ହୋଇଥିଲା। ଫଳରେ କାଶ୍ମୀରରେ ଅଚାନକ ଶୀତ ଋତୁ ଆରମ୍ଭ ହୋଇଯାଇଛି। ଅଧିକାଂଶ ପର୍ଯ୍ୟଟନ ସ୍ଥଳରେ ହୀମ ପାତ ଯୋଗୁ ରବିବାର ତାପମାତ୍ରା ଶୁନରୁ ତଳକୁ ଖସିଛି। 

ଏହି ସମୟରୋ ସୋନମର୍ଗରେ ତାପମାତ୍ରା ୫.୩ ଡିଗ୍ରି ସେଲସିୟସ ରେକର୍ଡ ହୋଇଥିବା ବେଳେ ଅନନ୍ତନାଗର ପହଲଗାଓଁରେ ତାପମାତ୍ରା ବିଯୁକ୍ତ ୨ ଡିଗ୍ରି ସେଲସିୟସ ରେକର୍ଡ ହୋଇଛି। ଏହି ସମୟରେ ବାରାମୂଲାର ସ୍କିଂ ଗନ୍ତବ୍ୟ ଗୁଲମର୍ଗରେ ଶୁନରୁ ୧.୮ ଡିଗ୍ରି ତଳେ ତାପମାତ୍ରା ରେକର୍ଡ ହୋଇଛି। ଜମ୍ମୁ-କାଶ୍ମୀର ପାଣିପାଗ ବିଭାଗ ନିର୍ଦ୍ଦେଶକ ଡ.ମୁଖ୍ତାର ଅହମ୍ମଦଙ୍କ ଅନୁସାରେ ନଭେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କ୍ଷେତ୍ରରେ ପାଗ ଶୁଷ୍କ ରହିବ । ତେବେ ନଭେମ୍ବର ୨୪ରେ କ୍ଷେତ୍ରରେ ପୁଣି ବର୍ଷା ହୋଇପାରେ ବୋଲି ଆକଳନ କରାଯାଉଛି। ଏଥିରେ କାଶ୍ମୀରର ଉଚ୍ଚ ଅଞ୍ଚଳ ଓ କାଁ ଭାଁ ସ୍ଥାନ ସମେତ ଜମ୍ମୁ ସମ୍ଭାଗର ଅଲଗା ଅଲଗା ଅଞ୍ଚଳରେ ହାଲୁକା ବର୍ଷା ସହିତ ବରଫ ପଡିବାର ଅନୁମାନ କରାଯାଉଛି। 

ଏହା ଦ୍ୱାରା ଶ୍ରୀନଗର ଓ ଉପତ୍ୟାକାର ଅନ୍ୟ ଅଞ୍ଚଳରେ ଦିନରେ ସୂର୍ଯ୍ୟାଲୋକ ରହିଲେ ମଧ୍ୟ ପାଗ ଶୁଷ୍କ ହୋଇଯିବ। ଫଳରେ ତାପମାତ୍ରା ଆହୁରି ହ୍ରାସ ପାଇବ। ଏହାର ପ୍ରଭାବ ଉତ୍ତର ଭାରତର ପାଣିପାଗ ଉପରେ ପଡିବ। ତାପମାତ୍ରା ଆହୁରି ହ୍ରାସ ସହିତ ଉତ୍ତର ଭାରତୀୟ ସମତଲ ଅଞ୍ଚଳରେ କୁହୁଡି ହେବାର ମଧ୍ୟ ସମ୍ଭାବନା ରହିଛି। କାଶ୍ମୀର ଉପତ୍ୟାକା ଓ ଲଦ୍ଦାଖରେ ସାଧାରଣତଃ ଡିସେମ୍ବର ମାସରେ ଏତେ ଥଣ୍ଡାପଡିବା ଆରମ୍ଭ ହୋଇଯାଏ ଏହା ୨୧ ଡିସେମ୍ବରରୁ ୩୧ ଜାନୁୟାରୀ ପର୍ଯ୍ୟନ୍ତ ରହେ। ୪୦ ଦିନର ଏହି ଅନ୍ତରାଳକୁ ରାଜ୍ୟରେ ‘ଚିଲ୍ଲେ କଲ୍ଲାଂ’ କୁହାଯାଏ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.