ଭାରତୀୟ ଜଳ ସୀମାରେ ମତ୍ସ୍ୟଜୀବୀଙ୍କୁ ଧରିବାକୁ ଆସିଥିଲା ପାକ୍ ଜାହାଜ, ଜଗି ରହିଲା କୋଷ୍ଟଗାର୍ଡ ‘ଅଗ୍ରୀମ’

Published By : Prameya-News7 Bureau | November 18, 2024 IST

ନୂଆଦିଲ୍ଲୀ ୧୮।୧୧: ପାକିସ୍ତାନ-ଭାରତ ସମୁଦ୍ର ସୀମାରେଖା ନିକଟରେ ସୋମବାର ଭାରତୀୟ ମତ୍ସ୍ୟଜୀବୀଙ୍କୁ ଧରିବାକୁ ପାକିସ୍ତାନ ଜାହାଜ ଆସିଥିଲା। ତେବେ ଭାରତୀୟ ତଟରକ୍ଷୀ (କୋଷ୍ଟ ଗାର୍ଡ) ଜାହାଜ ଅଗ୍ରୀମ ତାର ଉଦ୍ଦେଶ୍ୟ ପଣ୍ଡ କରିଦେଇଛି। ସମୁଦ୍ର ସୀମାରେଖା ନିକଟରେ ମୁତୟନ ଥିବା ଅଗ୍ରୀମ ପାକିସ୍ତାନୀ ଜାହାଜକୁ ଦେଖି ତତ୍କାଳ କାର୍ଯ୍ୟାନୁଷ୍ଠାନ କରିଥିଲା ଓ ପାକିସ୍ତାନୀ ଜାହାଜକୁ ସମୁଦ୍ର କ୍ଷେତ୍ରରେ ୨ ଘଣ୍ଟା ଧରି ପିଛା କରିଥିଲା। ଫଳରେ ମତ୍ସ୍ୟଜୀବିଙ୍କୁ ଗିରଫ କରିବା ପାଇଁ ଉପାୟ ନ ପାଇ ପାକିସ୍ତାନୀ ଜାହାଜ ଫେରିଯାଇଛି। 


ପ୍ରତିରକ୍ଷା ଅଧିକାରୀଙ୍କ ଅନୁସାରେ ପାକିସ୍ତାନର ସମୁଦ୍ର ସୁରକ୍ଷା ଏଜେନ୍ସୀ ଜାହାଜ ପିଏମଏସ୍ ନୁସରତ ଭାରତୀୟ ଜଳକ୍ଷେତ୍ରରେ ମାଛ ମାରୁଥିବା ନାଆ ‘କାଳ ଭୈରବ’ର ମତ୍ସ୍ୟଜୀବୀଙ୍କୁ ଧରିନେବା ପାଇଁ ଆସିଥିଲା। ଏଥିରେ ସୀମାରେ ମୁତୟନ କୋଷ୍ଟଗାର୍ଡ ଜାହାଜ ଅଗ୍ରୀମ ତତ୍ପରତା ପ୍ରଦର୍ଶନ କରିଥିଲା ଓ ମତ୍ସ୍ୟଜୀବୀଙ୍କୁ ସୁରକ୍ଷା ଦେଇଥିଲା। ଏହି ସମୟରେ ଭାରତୀୟ କୋଷ୍ଟଗାର୍ଡ ଜାହାଜ ‘ଅଗ୍ରୀମ’ ଦୁଇଘଣ୍ଟା ଧରି ପାକିସ୍ତାନୀ ଜାହାଜର ପିଛା କରିଥିଲା। ଏଥିରେ ପାକିସ୍ତାନୀ ସମୁଦ୍ର ସୁରକ୍ଷା ବଳ ଭୟଭୀତ ହୋଇ ନିଜ ଜଳକ୍ଷେତ୍ରକୁ ଚାଲିଯାଇଛି।  


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.