ଦିଲ୍ଲୀ ବାୟୁ ପ୍ରଦୂଷଣ : ମୁଖ୍ୟମନ୍ତ୍ରୀ ଆତିଶୀ କହିଲେ-ଚାଷୀ ପାଳ ଜଳାଇବା ବିଜେପିର ବିଫଳତା

Published By : Prameya-News7 Bureau | November 18, 2024 IST

ନୂଆଦିଲ୍ଲୀ ୧୮।୧୧ : ଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ର (ଏନସିଆର)ରେ ବାୟୁ ପ୍ରଦୂଷଣ ବିପଦଜନକ ସ୍ତରକୁ ପହଞ୍ଚିଯାଇଛି। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟ ଅନୁସାରେ ସୋମବାର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୪୮୪କୁ ପହଞ୍ଚି ଯାଇଛି। ରାଜଧାନୀ ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣକୁ ନେଇ ମୁଖ୍ୟମନ୍ତ୍ରୀ ଆତିଶୀ ସୋମବାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏଥିରେ ଦିଲ୍ଲୀର ବାୟୁ ପ୍ରଦୂଷଣ ବିପଦଜନକ ସ୍ତରକୁ ପହଞ୍ଚିବାରେ କେନ୍ଦ୍ର ସରକାର ଦାୟି ବୋଲି କହିଛନ୍ତି। 

ଆତିଶୀ କହିଛନ୍ତି ଯେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯୋଗୁ ଲୋକେ ବହୁତ କଷ୍ଟରେ ଅଛନ୍ତି। ଲୋକେ ନିଶ୍ୱାସ ନେବାକୁ କଷ୍ଟ ଅନୁଭବ କରୁଛନ୍ତି। ଏହାର କାରଣ ସାରା ଦେଶରେ ପାଳକୁଟା ପୋଡିବା। ହେଲେ କେନ୍ଦ୍ରର ବିଜେପି ସରକାର ହାତ ଉପରେ ହାତ ଥୋଇ ବସିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ପାଳ ଜଳା ମାମଲାରେ ବିଜେପି ନେତାମାନେ ରାଜନୀତି ନ କରି କିଛି କରିକି ଦେଖାନ୍ତୁ। ୟୁପି, ହରିୟାଣା ଓ ମଧ୍ୟପ୍ରଦେଶ ବିଜେପି ଶାସିତ ରାଜ୍ୟ ଓ ସେହି ରାଜ୍ୟମାନଙ୍କରେ ବେଶି ପାଳକୁଟା ଜଳା ଯାଉଛି। 

ପଞ୍ଜାବର ଆମ ଆଦମୀ ପାର୍ଟି (ଆପ)  ସରକାର ରାଜ୍ୟରେ ପାଳ ଜଳାଯିବା ମାମଲା କମ କରିସାରିଛନ୍ତି। ଏଣୁ ପଞ୍ଜାବ ପଟରୁ ଦିଲ୍ଲୀକୁ ଆଉ ଧୁଆଁ ଆସୁ ନାହିଁ। ହେଲେ ୟୁପି, ହରିୟାଣାର ଧୁଆଁକୁ ଆମେ କଣ କରିପାରିବା ବୋଲି ଆତିଶୀ ପ୍ରଶ୍ନ କରିଛନ୍ତି। ଆତିଶୀ କେନ୍ଦ୍ରର ବିଜେପି ସରକାରଙ୍କୁ ଅନେକ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜେପି ଶାସିତ ରାଜ୍ୟ ରାଜସ୍ଥାନ, ହରିୟାଣା, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ପାଳ ଜାଳିବା ଘଟଣା ଲଗାତାର ବଢିବାରେ ଲାଗିଛି। ଏହି ତଥ୍ୟ ଆମର ନୁହେଁ ଏହା କେନ୍ଦ୍ରର ବିଜେପି ସରକାରର।

ଯଦି ପଞ୍ଜାବ ସରକାର ରାଜ୍ୟରେ ପାଳ ନ ଜାଳିବା ପାଇଁ ଚାଷୀଙ୍କୁ ପ୍ରବର୍ତ୍ତାଇ ପାରୁଛନ୍ତି ତେବେ କେନ୍ଦ୍ରର ବିଜେପି ସରକାର ନିଜର ବିଜେପି ଶାସିତ ରାଜ୍ୟମାନଙ୍କୁ ଏପରି ଘଟଣା କମ କରାଇବାକୁ କହିପାରିବେ ନାହିଁ କାହିଁକି ବୋଲି ଆତିଶୀ ପ୍ରଶ୍ନ କରିଛନ୍ତି। କେନ୍ଦ୍ର ସରକାର କୌଣସି କାମ କରିବା ବଦଳେ ଅଧିକ ରାଜନୀତି କରୁଥିବା ଆତିଶୀ କହିଛନ୍ତି। ଫଳରେ କେବଳ ଦିଲ୍ଲୀ କି ଏନସିଆର ନୁହେଁ ସମଗ୍ର ଉତ୍ତର ଭାରତ ଏବେ ମେଡିକାଲ ଏମାର୍ଜେନ୍ସୀ ଆଡକୁ ମୁହାଁଇଛି ବୋଲି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.