ନୂଆଦିଲ୍ଲୀ: ୨୮୮ ବିଧାନସଭା ଆସନ ବିଶିଷ୍ଟ ମହାରାଷ୍ଟ୍ର ଏବଂ ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡର ବଳକା ଥିବା ୩୮ ବିଧାନସଭା ଆସନ ପାଇଁ ସୋମବାର ସଂଧ୍ୟାରୁ ପ୍ରଚାର ବନ୍ଦ ହୋଇଛି । ନଭେମ୍ୱର ୨୦ରେ ଏହି ସବୁ ଆସନରେ ମତଦାନ ହେବ । ଏହାସହ ଉପନିର୍ବାଚନ ପାଇଁ ମଧ୍ୟ ପ୍ରଚାର ଥମିଛି । ଦୁଇ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ୧୫ ରାଜ୍ୟର ୪୮ ବିଧାନସଭା ଏବଂ ଦୁଇ ଲୋକସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଭୋଟ ଗଣତି ନଭେମ୍ୱର ୨୩ରେ ହେବ ।
ନିର୍ବାଚନ ଆୟୋଗଙ୍କ କହିବା ଅନୁସାରେ ଏହି ଅବଧିରେ ବିଭିନ୍ନ ରାଜ୍ୟର ପୋଲିସ ଏବଂ ଅନ୍ୟ ଏଜେନ୍ସିଙ୍କ ଦ୍ୱାରା ୧୦୮୨ କୋଟି ଟଙ୍କା ନଗଦ, ମଦ, ଡ୍ରଗ୍ସ, ମୂଲ୍ୟବାନ ଧାତୁ ଏବଂ ଉପହାର ଜବତ କରାଯାଇଛି । ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ଜବତ ପରିମାଣ ୨୦୧୯ରେ ହୋଇଥିବା ବିଧାନସଭା ନିର୍ବାଚନଠାରୁ ୭ ଗୁଣା ଅଧିକ । ମହାରାଷ୍ଟ୍ରରେ ୬୬୦ କୋଟି ଟଙ୍କାରୁ ଅଧିକ ନଗଦ ସମେତ ଅନ୍ୟ ସାମଗ୍ରୀ ଜବତ କରାଯାଇଛି । ଅନ୍ୟପଟେ ଝାଡ଼ଖଣ୍ଡରୁ ୧୯୮ କୋଟି ଟଙ୍କାର ଜବତ କରାଯାଇଛି । ଉପନିର୍ବାଚନରେ ହେଉଥିବା ସ୍ଥାନରୁ ୨୨୪ କୋଟି ଟଙ୍କା ନଗଦ, ମଦ, ଡ୍ରଗ୍ସ ଏବଂ ଗିଫ୍ଟ ଜବତ କରାଯାଇଛି ।
ନିର୍ବାଚନ ଆୟୋଗ କହିଛନ୍ତି ଯେ ମହାରାଷ୍ଟ୍ର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସବୁଠୁ ଅଧିକ ୨୮୨ କୋଟି ଟଙ୍କାର ମୂଲ୍ୟବାନ ସାମଗ୍ରୀ ଜବତ କରାଯାଇଛି । ଦ୍ୱିତୀୟ ସ୍ଥାନରେ ୧୫୩ କୋଟି ଟଙ୍କାର ନଗଦ ଜବତ କରାଯାଇଛି । ସେହିପରି ଝାଡ଼ଖଣ୍ଡରୁ ସବୁଠୁ ଅଧିକ ୧୫୨ କୋଟି ଟଙ୍କା ଗିଫ୍ଟ ଜବତ କରାଯାଇଛି । ଦ୍ୱିତୀୟ ସ୍ଥାନରେ ୧୫-୧୫ କୋଟି ଟଙ୍କା ନଗଦ ଏବଂ ଡ୍ରଗ୍ସ ଜବତ ହୋଇଛି । ଉପନିର୍ବାଚନ ପାଇଁ ୧୨୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଗିଫ୍ଟ ଜବତ କରାଯାଇଛି ।