ମଦରସା ବନ୍ଦ ନେଇ NCPCRର ସୁପାରିଶ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | October 21, 2024 IST

ନୂଆଦିଲ୍ଲୀ: ମଦରସା ବନ୍ଦ କରିବା ନେଇ ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ (NCPCR)ର ସୁପାରିଶ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି । ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେବି ପାରଦୀବାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ଏନ୍‌ସିପିସିଆରର ସୁପାରିଶ ଉପରେ କାର୍ଯ୍ୟାନୁଷ୍ଠାନକୁ ମନା କରିଦେଇଛନ୍ତି । ଏହାସହ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶକୁ ନୋଟିସ୍ ଜାରି କରିଛନ୍ତି । ଚାରି ସପ୍ତାହ ପରେ ପୁଣି ଥରେ ଶୁଣାଣି ହେବ ।

ସୁପ୍ରିମକୋର୍ଟ ଅଣମାନ୍ୟତା ପ୍ରାପ୍ତ ମଦରସାର ଛାତ୍ରଙ୍କୁ ସରକାରୀ ସ୍କୁଲକୁ ଟ୍ରାନ୍ସଫର କରିବା ନେଇ ୟୁପି ସରକାରଙ୍କ ନିଷ୍ପତ୍ତି ଉପରେ ବି ରୋକ୍ ଲଗାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ ଶିକ୍ଷାର ଅଧିକାର ଆଇନ ଅନୁପାଳନ ନକରିବା ଉପରେ ସରକାରୀ ଅନୁଦାନ ଏବଂ ସହାୟତା ପ୍ରାପ୍ତ ମଦରସାକୁ ବନ୍ଦ କରିବା ପାଇଁ ସୁପାରିଶ କରିଥିଲେ ।

ଏନସିପିସିଆର ନିଜ ରିପୋର୍ଟରେ ମଦରସାର କାର୍ଯ୍ୟପ୍ରଣାଳୀ ଉପରେ ଗଭୀର ଚିନ୍ତା ପ୍ରକାଶ କରିଥିଲେ । ଏହାସହ ଶିକ୍ଷାର ଅଧିକାରୀ ନିୟମ ପାଳନ ନହେବା ଯାଏ ସରକାରୀ ଅନୁଦାନ ବନ୍ଦ କରିବା ପାଇଁ କହିଥିଲେ । ଏନସିପିସିଆର ସମସ୍ତ ଅଣ-ମୁସଲମାନ ପିଲାଙ୍କୁ ମଦରସାରୁ ବାହାର କରି ଆରଟିଇ ଅଧିନିୟମ ୨୦୦୯ ଅନୁସାରେ ସ୍କୁଲରେ ଭର୍ତ୍ତି କରିବା ପାଇଁ ସୁପାରିଶ କରିଥିଲେ । ଆୟୋଗ କହିଥିଲା ଯେ ଗରିବ ପୃଷ୍ଠଭୂମିର ମୁସଲମାନ ଛାତ୍ରଙ୍କ ଉପରେ ଅଧିକାଂଶ ସମୟରେ ଧର୍ମନିରପେକ୍ଷ ଶିକ୍ଷା ପରିବର୍ତ୍ତେ ଧାର୍ମିକ ଶିକ୍ଷା ନେବା ପାଇଁ ଚାପ ପଡ଼ିଥାଏ ।

ଅନ୍ୟପଟେ ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗର ଅଧ୍ୟକ୍ଷ ପ୍ରିୟାଙ୍କ କାନୁନଗୋ କହିଛନ୍ତି ଯେ ସେ ମଦରସାଙ୍କୁ ବନ୍ଦ କରିବା ପାଇଁ କେବେ କହି ନାହାନ୍ତି । ବରଂ ଏହି ସଂସ୍ଥାନକୁ ସରକାରଙ୍କ ଦ୍ୱାରା ଦିଆଯାଉଥିବା ଅନୁଦାନ ଉପରେ ରୋକ ଲଗାଇବା ପାଇଁ ସୁପାରିଶ କରିଛି, କାରଣ ଏହି ସଂସ୍ଥା ଗରିବ ମୁସଲମାନ ପିଲାଙ୍କୁ ଶିକ୍ଷାରୁ ବଞ୍ଚିତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.