ଫିଲ୍ମରେ ଭୂମିକା ଚୟନ କରିବା ତାପସୀଙ୍କ ପାଇଁ ଖୁବ ଚ୍ୟାଲେଞ୍ଜିଂ, କହିଲେ-ବଡ଼ ବଜେଟ୍‌ ଫିଲ୍ମରେ ମିଳେ କମ୍‌ ପାରିଶ୍ରମିକ

Published By : Prameya-News7 Bureau | November 03, 2024 IST

ମୁମ୍ବାଇ ୦୩/୧୧: ଅତି ଧ୍ୟାନର ସହ କାହାଣୀ ଚୟନ କରନ୍ତି ‘ହସୀନ୍‌ ଦିଲରୁବା’ ଷ୍ଟାର୍‌ ତାପସୀ   ପନ୍ନୁ । ଭୂମିକା ଚୟନ, ପାରିଶ୍ରମିକ ଆଦିରେ ସେ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହୁଅନ୍ତି । ଦମ୍‌ଦାର ନାରୀ-କୈନ୍ଦ୍ରିକ ଫିଲ୍ମ ପାଇଁ ତାପସୀ  ବେଶ ଜଣାଶୁଣା। ତଥାପି ବଡ଼ ବଜେଟ୍‌ର କମର୍ସିଆଲ ଫିଲ୍ମରେ ସେ ଅଧିକ ପାରିଶ୍ରମିକ ପାଇନଥାନ୍ତି । ଉଦାହରଣ ସ୍ୱରୂପ, ଶାହରୁଖ  ଖାନ୍‌ଙ୍କ ‘ଡଙ୍କି’ ଓ ବରୁଣ ଧୱନଙ୍କ ‘ଜୁଡ୍‌ୱା-୨’ ଭଳି ଫିଲ୍ମରେ  ଅଧିକ ପାରିଶ୍ରମିକ ପାଇନଥିବା ତାପସୀ ସ୍ପଷ୍ଟ କରିଛନ୍ତି । ‘ସ୍କ୍ରିନ୍‌’ ସହ  ଏକ ସାକ୍ଷାତକାରରେ ତାପସୀ ନିଜ କ୍ୟାରିଅର ପାଇଁ ଫିଲ୍ମ ଚୟନ  ସମୟରେ ସମ୍ମୁଖୀନ ହେଉଥିବା ଜଟିଳତା ବିଷୟରେ ଆଲୋଚନା   କରିଛନ୍ତି । 

କହିଛନ୍ତି, ଫିଲ୍ମରେ ଭୂମିକା ଚୟନ କରିବା ତାଙ୍କ ପାଇଁ ଅତ୍ୟନ୍ତ ଚ୍ୟାଲେଞ୍ଜିଂ । କାରଣ ମୁଖ୍ୟ କଳାକାର ଭାବେ ପ୍ରୋଜେକ୍ଟର ଦାୟିତ୍ୱ ସମ୍ପୂର୍ଣ୍ଣ ତାଙ୍କ କାନ୍ଧ ଉପରେ  ଥାଏ । ଫିଲ୍ମର ମୁଖ୍ୟ ଚେହେରା ହେବାର ଅର୍ଥ  ସେ ଉଭୟ ପ୍ରଶଂସା ଓ ସମାଲୋଚନାର ସମ୍ମୁଖୀନ  ହୁଅନ୍ତି । ତାପସୀ କହିଛନ୍ତି, ସେ ଚୟନ   କରୁଥିବା ପ୍ରୋଜେକ୍ଟଗୁଡ଼ିକ ପ୍ରଥମେ ବ୍ଲକ୍‌ବଷ୍ଟର  ମାନ୍ୟତାରୁ ବଞ୍ଚିତ ହୁଏ । କିନ୍ତୁ ଦର୍ଶକ ଦେଖିବା  ପରେ ଆଦୃତି ମିଳେ। 

ସେ ଆହୁରି କହିଛନ୍ତି,  ଲୋକଙ୍କ ଧାରଣା ଯେ ଟଙ୍କା ପାଇଁ ‘ଜୁଡ୍‌ୱା’  ଓ ‘ଡଙ୍କି’ ଭଳି ଫିଲ୍ମରେ ସେ କାମ କରନ୍ତି ।  କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ। ମୁଖ୍ୟ  ନାୟିକା ଭୂମିକା ନିର୍ବାହ କରୁଥିବା ‘ହସୀନ୍‌  ଦିଲ୍‌ରୁବା’ ଭଳି ପ୍ରୋଜେକ୍ଟ ଜରିଆରେ ସେ ଅଧିକ ଆୟ କରନ୍ତି । ବଡ଼ ଷ୍ଟାର୍‌ଙ୍କ ଅଭିନୀତ କମର୍ସିଆଲ ଫିଲ୍ମରେ ତାଙ୍କୁ ଖୁବ୍‌  କମ୍‌ ପାରିଶ୍ରମିକ ମିଳେ । କାରଣ ଲୋକଙ୍କ  ଧାରଣା, ଏଭଳି ଫିଲ୍ମରେ କାମ ଦେଇ  ସେମାନେ ତାଙ୍କ ଉପରେ ଦୟା କରୁଛନ୍ତି ।  

 ତାପସୀଙ୍କ କହିବା ଅନୁସାରେ, ଏହି ଭୁଲ  ଧାରଣାକୁ ସେ ପ୍ରତିଦିନ ଚ୍ୟାଲେଞ୍ଜ୍‌  କରୁଛନ୍ତି । ହିରୋମାନେ ସେମାନଙ୍କ  ଫିଲ୍ମରେ ହିରୋଇନ୍‌ ଚୟନ କରନ୍ତି ।  ପୁରୁଷ ଷ୍ଟାର୍‌ଙ୍କର ପ୍ରଭାବ ଫିଲ୍ମ ଜଗତ  ବାହାରେ ବି ରହିଛି । ବିଜ୍ଞାପନ ପାଇଁ  ମଧ୍ୟ ସେମାନେ ମହିଳା କଳାକାରଙ୍କୁ ଚୟନ କରୁଛନ୍ତି । ଏହି ଅପ୍ରିୟ ସତ ଜାଣି ସେ ପ୍ରଥମେ ଭୀଷଣ ରାଗିଥିଲେ । କାରଣ ଏହା ଫିଲ୍ମ ଇଣ୍ଡଷ୍ଟ୍ରିରେ ମହିଳାମାନେ ସମ୍ମୁଖୀନ ହେଉଥିବା ଆହ୍ୱାନ ଉପରେ ଆଲୋକପାତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.