ମହାରାଷ୍ଟ୍ର ୨୦୨୪: ଭୋଟ ମଇଦାନରେ ୨୬ ରାଜନୈତିକ ଦାୟାଦ

Published By : Prameya-News7 Bureau | November 04, 2024 IST

କୋହ୍ଲାପୁର ୪।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରିଦୃଶ୍ୟରେ ବଂଶବାଦର ଦବଦବା ଜାରି ରହିଛି। କାରଣ ୨୦୨୪ ବିଧାନସଭା ନିର୍ବାଚନରେ ପଦାର୍ପଣ କରିଥିବା ଅଧିକାଂଶ ପ୍ରାର୍ଥୀ ହୁଏତ ପ୍ରତିଷ୍ଠିତ ରାଜନୈତିକ ପରିବାରର ପୁଅ, ଝିଅ ଅଥବା ନିକଟ ସମ୍ପର୍କୀୟ । କୌଣସି ରାଜନୈତିକ ଦଳ ଏପରିକି ଛୋଟଛୋଟ ପାର୍ଟିମାନେ ମଧ୍ୟ ଏଥର ଏହି ଚଳନରୁ ବାଦ ପଡି ନାହାନ୍ତି। ରାଜନୈତିକ ବିଶେଷଜ୍ଞଙ୍କ ଅନୁସାରେ ଏବେ ଜେନନେକ୍ସଟ୍ ଡେବ୍ୟୁଟାଣ୍ଟସ୍‌ଙ୍କୁ ‘ନିର୍ବାଚନ ଯୋଗ୍ୟତା’ ସହିତ ସବୁଠୁ ଉପଯୁକ୍ତ ପ୍ରାର୍ଥୀ ମନେ କରାଯାଉଛି। 

ଏହାର ଅର୍ଥ ହେଉଛି ରାଜନୀତିରେ ନୂଆ କରି ପାଦ ଥାପୁଥିବା ଏହି ପିଢୀଙ୍କ ପାଖରେ ବିଧାନସଭାରେ ସ୍ଥାନ ପାଇବା ପାଇଁ ଏକ ସମର୍ଥନ ଆଧାର ଓ ମଞ୍ଚ ପୂର୍ବରୁ  ପ୍ରସ୍ତୁତ ହୋଇ ରହିଛି। ଏଥିରେ ବଡ଼ ପାର୍ଟିମାନଙ୍କର କିଛି ଡେବ୍ୟୁଟାଣ୍ଟସ୍ ଙ୍କ ମଧ୍ୟରେ ଦିବଙ୍ଗତ ଆର.ଆର.ପାଟିଲଙ୍କ ପୁଅ ରୋହିତ ପାଟିଲ, ଏନସିପି (ଶରଦଚନ୍ଦ୍ର ପାଟିଲ) ପକ୍ଷରୁ ଶରଦ ପାୱାରଙ୍କ ନାତି ୟୁଗେନ୍ଦ୍ର ପାୱାର, ଏମଏନଏସ ସୁପ୍ରିମୋ ରାଜ ଠାକରେଙ୍କ ପୁଅ ଅମିତ ଓ ବିଜେପି ରାଜ୍ୟସଭା ସଦସ୍ୟ ଅଶୋକ ଚୌହାନଙ୍କ ଝିଅ ଶ୍ରୀଜୟା ଆଦି ଅଛନ୍ତି। 

ଏପରି ବଂଶବାଦ ରାଜନୀତିରୁ ଏଥର ବାମପନ୍ଥୀ ବିଚାରଧାରାର କୃଷକ ଓ ଶ୍ରମିକ ପାର୍ଟି ମଧ୍ୟ ବାଦ ପଡିନି।  ସ୍ୱର୍ଗୀୟ ଗଣପତରାଓ ଦେଶମୁଖଙ୍କ ନାତି ବାବା ସାହେବ ଓ ପାର୍ଟିର ରାଜ୍ୟ ମୁଖ୍ୟ ଜୟନ୍ତ ପାଟିଲଙ୍କ ବୋହୂ ଚିତ୍ରଲେଖା ମଧ୍ୟ ମଇଦାନରେ ଅଛନ୍ତି। କୋହ୍ଲାପୁର ଶିବାଜୀ ବିଶ୍ୱବିଦ୍ୟାଳୟ ରାଜନୀତି ବିଭାଗ ପ୍ରଫେସର ପ୍ରକାଶ ପାୱାର କହିଛନ୍ତି ‘ରାଜନେତାଙ୍କ ଦ୍ୱାରା ନିଜ ପିଲା ଓ ପରିବାର ସଦସ୍ୟଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇବାର ସବୁଠୁ ବଡ଼ କାରଣ ହେଉଛି ରାଜନୀତିରେ ପରିବାରର ବର୍ଚସ୍ୱ କାୟମ ରଖିବା। ଆଗାମୀ ପିଢୀର ନେତାମାନଙ୍କୁ ପାରିବାରିକ ଉତ୍ତରାଧିକାରୀ ଭାବେ ଲାଭ ମିଳିଥାଏ। ଏହି ପରିବାରଙ୍କର କିଛି ଜାତି ଓ ସମୂଦାୟରେ ଦବଦବା ଥାଏ ଅଥବା ସମବାୟ, ଶିକ୍ଷାକ୍ଷେତ୍ର କିମ୍ବା ଉଦ୍ୟୋଗରେ ସେମାନଙ୍କ ପ୍ରଭାବ ଥାଏ। ସେମାନେ ଅପ୍ରତ୍ୟକ୍ଷ ରୂପେ ହଜାର ହଜାର ଲୋକଙ୍କ ସହ ଯୋଡି ହୋଇ ରହିଥାନ୍ତି। କିଛି ରାଜନେତା ଯେଉଁମାନେ ରାଜନୈତିକ ଦଳ ଗଢିଛନ୍ତି, ସେମାନେ ସେମାନଙ୍କ ଆଗାମୀ ପିଢୀଙ୍କୁ ନିର୍ବାଚନ ମଇଦାନରେ ଓହ୍ଲାଉଛନ୍ତି ଯାହାଦ୍ୱାରା ମାମଲା ଚଲାଇବା ଜାରି ରଖିପାରିବେ’। 

କିଛି ରାଜନେତାଙ୍କ ଝିଅମାନେ ସେମାନଙ୍କ ପିତାଙ୍କ ପାଦଚିହ୍ନରେ ଚାଲୁଛନ୍ତି। ଏହାର ଉଦାହରଣ ରୂପେ କୋହ୍ଲାପୁର ରାଜପରିବାରର ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ଦିବଙ୍ଗତ ଦିଗବିଜୟ ଖାନୱିଲକରଙ୍କ ଝିଅ ମଧୁରିମା ରାଜେ ଛତ୍ରପତି ଉତ୍ତର କୋହ୍ଲାପୁରରୁ ପ୍ରଥମ ଥର ନିର୍ବାଚନ ଲଢିବାକୁ ଯାଉଛନ୍ତି। ଖାନୱିଲକର ୨୦୦୪ ମସିହା ପର୍ଯ୍ୟନ୍ତ କରଭିରରୁ ୫ ଥର ବିଧାୟକ ନିର୍ବାଚିତ ହୋଇଥିଲେ। ଏହିପରି ଆଉ ଏକ ଉଦାହରଣ ହେଉଛନ୍ତି ପୂର୍ବତନ ସାଂସଦ ରାଓ ସାହେବ ଦାନୱେଙ୍କ ଝିଅ ସଞ୍ଜନା ଯାଦବ, ଯିଏ ଶିବସେନା ଟିକେଟରେ ପ୍ରଥମ ଥର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। 

ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ଆର.ଆର.ପାଟିଲ ଯାହାଙ୍କୁ ଲୋକେ ଶ୍ରଦ୍ଧାରେ ଆବାଙ୍କ ନାମରେ ଜାଣନ୍ତି ତାଙ୍କର ୨୦୧୫ରେ ପରଲୋକ ହୋଇଥିଲା। ସେ ସାଙ୍ଗଲୀ ତାସଗାଓଁ ଜିଲ୍ଲା ପରିଷଦ ନିର୍ବାଚନ ଜିତି ସର୍ବପ୍ରଥମେ ପାର୍ଟିକୁ ଆସିଥିଲେ। ସେ ଏନସିପି ସହ ସଂଯୁକ୍ତ ଥିଲେ ଏବଂ ଶରଦପାୱାରଙ୍କ ଅତ୍ୟନ୍ତ ବିଶ୍ୱସ୍ଥ ଥିଲେ। ଆବାଙ୍କ ପରଲୋକ ବେଳକୁ ତାଙ୍କ ପୁଅ ରୋହିତ ମାତ୍ର ୧୬ ବର୍ଷର ହୋଇଥିଲା।   ସେ ନିଜ ମା ସୁମନ ତାୟିଙ୍କ ସହିତ ନିର୍ବାଚନ ଲଢିବା ପାଇଁ ରାଜନୀତିକୁ ଆସିଥିଲେ, ଯିଏ ପରବର୍ତ୍ତି ଉପ ନିର୍ବାଚନ ଜିତିଥିଲେ। 

ରୋହିତ ଏବେ କିଛି ମାସ ପୂର୍ବରୁ ୨୫ ବର୍ଷରେ ପଦାର୍ପଣ କରିଛନ୍ତି, କହିଛନ୍ତି ମୋତେ କେବେ ଲାଗେନି ମୋ ପିତା ନାହାନ୍ତି ବୋଲି, କାରଣ ଲୋକେ ମୋତେ ତାଙ୍କ ଆବର୍ତ୍ତମାନ ଅନୁଭବ କରିବାକୁ ଦେଇ ନାହାନ୍ତି। ମୋ ପରିବାର ସହିମାନଙ୍କୁ ଏପର୍ଯ୍ୟନ୍ତ ଭୁଲିନି ଯେଉଁମାନେ ୧୯୯୦ ମସିହାରେ ମୋ ପିତାଙ୍କୁ ନିର୍ବାଚନ ଲଢିବାରେ ଓ ବିଜୟୀ କରିବାରେ ସହାୟକ ହୋଇଥିଲେ। ବୋଧେ ସେହି କାରଣରୁ ମୁଁ ପରମ୍ପରାକୁ ଆଗକୁ ବଢେଇବା ପାଇଁ ମଇଦାନରେ ଅଛି। ସେ ସେହି ସିଟରୁ ନିର୍ବାଚନ ଲଢିବେ ଯେଉଁଠୁ ଅତୀତରେ ତାଙ୍କ ପିତା ନିର୍ବାଚନ ଲଢି ଜନତାଙ୍କ ପ୍ରତିନିଧିତ୍ୱ କରୁଥିଲେ। 

୨୦୧୯ ନିର୍ବାଚନରେ ଶିବସେନାର ଆଦିତ୍ୟ ଠାକରେ, ଏନସିପିର ରୋହିତ ପାୱାର, କଂଗ୍ରେସର ଋତୁରାଜ ପାଟିଲ, ଏନସିପିର ଜୀଶାନ ସିଦ୍ଦିକୀ, କଂଗ୍ରେସର ଧିରଜ ଦେଶମୁଖ ଓ ଏନସିପିର ଅଦିତି ତଟକରେ ସଫଳତା ପୂର୍ବକ ସେମାନଙ୍କ ପ୍ରଥମ ନିର୍ବାଚନ ଲଢିଥିଲେ ଓ ଜିତିଥିଲେ। ଠାକରେଙ୍କ ମନ୍ତ୍ରୀମଣ୍ଡଳରେ ଏମାନେ ମନ୍ତ୍ରୀ ମଧ୍ୟ ହୋଇଥିଲେ। ଏଥିରୁ ତଟକରେ ପ୍ରଥମେ ରାଷ୍ଟ୍ରମନ୍ତ୍ରୀ ପରେ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ହୋଇଥିଲେ। 

ଆଜି ମହାରାଷ୍ଟ୍ରର ଅଧିକାଂଶ ଶୀର୍ଷ ନେତା ରାଜନୈତିକ ପରିବାରରୁ ଜନ୍ମ ହୋଇଛନ୍ତି। ଏଥିରୁ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଓ ଅଜିତ ପାୱାରଙ୍କ ପାରିବାରିକ ରାଜନୀତିରେ ଉତ୍ତରାଧିକାର ରହିଛି।   ଫଡନବୀଶ ଯିଏ ନାଗପୁର ମେୟର ଥିଲେ ଓ ୧୯୯୯ରେ ବିଧାୟକ ହୋଇଥିଲେ ସେ ପୂର୍ବତନ ବିଧାୟକ ସ୍ୱର୍ଗତ ଗଙ୍ଗାଧର ଫଡନବୀଶଙ୍କ ପୁଅ ଅଟନ୍ତି। ସେହିପରି ଅଜିତ ପାୱାର ୩୨ ବର୍ଷ ବୟସରେ କାକା ଶରଦ ପାୱାରଙ୍କ ଆସନରୁ ଜିତି ସାଂସଦ ହୋଇଥିଲେ। 

ଏନସିପି(ଏସସିପି)  ରାଜ୍ୟ ମୁଖ୍ୟ ଜୟନ୍ତ ପାଟିଲ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ରାଜାରାମ ବାପୁ ପାଟିଲଙ୍କ ପୁଅ। ସେ ୧୯୯୦ମସିହାରେ ୨୮ ବର୍ଷ ବୟସରେ ପ୍ରଥମ ବିଧାୟକ ହୋଇଥିଲେ। କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥିରାଜ ଚୌହାନ ଯେବେ କରାଡ ନିର୍ବାଚନମଣ୍ଡଳିରୁ ଲୋକସଭାକୁ ନିର୍ବାଚିତ ହେଲେ ସେତେବେଳେ ତାଙ୍କ ବୟସ ମାତ୍ର ୪୦ ବର୍ଷ ଥିଲା। ତେବେ ଏଥର ନିର୍ବାଚନରେ ପ୍ରଥମ ଥର ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ଅଧିକାଂଶ ଯୁବ ପ୍ରାର୍ଥୀଙ୍କ ବୟସ ୨୦ରୁ ୩୦ ବର୍ଷ ମଧ୍ୟରେ। 

ତେବେ ପ୍ରଭାବତୀ ଘୋଗରେ(୫୭) ଏଥିରେ ବିଲକ୍ଷଣ। ସେ ଶିରଡି ବିଧାନସଭା ଆସନରେ କଂଗ୍ରେସ ଦଳ ପକ୍ଷରୁ ବିଜେପିର ରାଧାକୃଷ୍ଣ ବିଖେପାଟିଲ ଙ୍କ ବିପକ୍ଷରେ ନିର୍ବାଚନ ଲଢୁଛନ୍ତି। ଏହା ତାଙ୍କର ବିଧାନସଭା ଯିବାକୁ ପ୍ରଥମ ପ୍ରୟାସ। ତେବେ ଏହା ପୂର୍ବରୁ ସେ ୨୦୨୧ରେ ଅହିଲ୍ୟା ନଗରର ଲୋନି ଖୁର୍ଦ୍ଦରୁ ଗ୍ରାମପଞ୍ଚାୟତ ନିର୍ବାଚନ ଜିତିଥିଲେ। ତାଙ୍କର ଦିବଙ୍ଗତ ଶ୍ୱଶୁର ଚନ୍ଦ୍ରଭାନ ଘୋଗରେ ଜଣେ ପ୍ରମୁଖ କଂଗ୍ରେସ ରାଜନେତା ଥିଲେ ଯିଏ ୧୯୭୮ରେ ଶିରଡି ଆସନରୁ ବିଜୟୀ ହୋଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.