ନୂଆଦିଲ୍ଲୀ: ନିଟ୍ ୟୁଜି ୨୦୨୫ ପରୀକ୍ଷାରେ ଲାଗୁ ହେବ ବିଶେଷଜ୍ଞ ପ୍ୟାନେଲର ସୁପାରିଶ। ଗୁରୁବାର କେନ୍ଦ୍ର ସରକାର ଏନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି। ପ୍ରକୃତରେ ନିଟ୍ ୟୁଜି ୨୦୨୪କୁ ନେଇ ହୋଇଥିବା ବିବାଦ ପରେ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସୀର ସମୀକ୍ଷା କରିବା ପାଇଁ ପୂର୍ବତନ ଇସ୍ରୋ ମୁଖ୍ୟ କେ.ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ୭ ସଦସ୍ୟ ବିଶିଷ୍ଟ କମିଟି ଗଠନ କରାଯାଇଥିଲା। ଆଉ ଏହି ପ୍ୟାନେଲ ଦେଇଥିବା ସୁପାରିଶ ୨୦୨୫ରେ ହେବାକୁ ଥିବା ପରୀକ୍ଷାରେ ଲାଗୁ କରାଯିବ।
କେନ୍ଦ୍ର ସରକାର କହିଛନ୍ତି, ଗତ ବର୍ଷ NEET UG ବିବାଦ ପରେ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସୀର ସମୀକ୍ଷା ପାଇଁ ସାତ ଜଣିଆ ବିଶେଷଜ୍ଞ ପ୍ୟାନେଲର ଗଠନ କରାଯାଇଥିଲା। କମିଟିର ଗଠନ ପୂର୍ବତନ ଇସ୍ରୋ ମୁଖ୍ୟ ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ବିଚାରପତି ପି.ଏସ.ନରସିଂହ ଏବଂ ବିଚାରପତି ମନୋଜ ମିଶ୍ରାଙ୍କ ଖଣ୍ଡପୀଠକୁ କହିଛନ୍ତି, କେନ୍ଦ୍ର ଦ୍ବାରା ନିଯୁକ୍ତ କମିଟି ନିଜ ରିପୋର୍ଟ ଦାଖଲ କରିଛନ୍ତି ଏବଂ ସରକାର କମିଟିର ସବୁ ସୁପାରିଶକୁ ଲାଗୁ କରିବେ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କମିଟି ନିଜ ସୁପାରିଶରେ ପରୀକ୍ଷା ଆୟୋଜନ ହାଇବ୍ରିଡ୍ ଏବଂ ଅନଲାଇନ ମୋଡରେ କରିବା କଥା କହିଛନ୍ତି। ଯେଉଁଠି ଅନଲାଇନ ମୋଡ୍ରେ ହୋଇପାରିବ ନାହିଁ ସେଠାରେ ହାଇବ୍ରିଡ ମୋଡରେ ପରୀକ୍ଷା କରିବାକୁ ସୁପାରିଶ କରାଯାଇଛି। ଏହାଦ୍ବାରା ପେପର ଲିକ ଭଳି ଘଟଣା ଉପରେ ଲଗାମ ଲଗାଯାଇପାରିବ। ସେହିଭଳି ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଭଳି ନିଟ୍ ୟୁଜି ପରୀକ୍ଷାକୁ ମଧ୍ୟ ଦୁଇଟି ପର୍ଯ୍ୟାୟରେ କରାଇବାକୁ ସୁପାରିଶ କରିଛି ପ୍ୟାନେଲ।
ସୂଚନାଥାଉକି, ନିଟ୍ ୟୁଜି ୨୦୨୪ର ପେପର ଲିକ୍ ଘଟଣାକୁ ନେଇ ସୁପ୍ରିମକୋର୍ଟରେ ଅନେକ ଆବେଦନ ହୋଇଥିଲା। କୋର୍ଟ ମାମଲାର ଶୁଣାଣି କରି ଅଗଷ୍ଟ ୨ରେ ପରୀକ୍ଷା ରଦ୍ଦ କରିବାକୁ ମନା କରିଥିଲେ। ସୁପ୍ରିମକୋର୍ଟ କହିଥିଲେ ପେପର ଲିକ୍ ହୋଇଥିବା ନେଇ ଯଥେଷ୍ଟ ପ୍ରମାଣ ମିଳିନାହିଁ। ତେଣୁ ପରୀକ୍ଷା ରଦ୍ଦ କରାଯାଇପାରିବ ନାହିଁ। ଅବଶ୍ୟ ଏହା ପରେ କୋର୍ଟଙ୍କ ଆଦେଶ ଅନୁସାରେ ନିଟ୍ ୟୁଜିର ରିଭାଇଜ ରେଜଲ୍ଟ ଜାରି କରିଥିଲା ଏନଟିଏ ।