ନୂଆଦିଲ୍ଲୀ ୨୧।୨: ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି। ସେ ରାଜଧାନୀ ଜୋହାନ୍ସବର୍ଗରେ ଚାଲିଥିବା ଜି-୨୦ ବୈଠକ କାଳରେ ତାଙ୍କ ଚୀନ୍ ସମକକ୍ଷ ୱାଙ୍ଗ ୟିଙ୍କୁ ଭେଟିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ସିଧା ବିମାନ ଉଡାଣ ସହିତ କୈଳାଶ ମାନସରୋବର ଯାତ୍ରାକୁ ନେଇ ସାର୍ଥକ ଆଲୋଚନା ହୋଇଛି। ଏହି ସାକ୍ଷାତ ଆଲୋଚନା ନେଇ ନିଜେ ବୈଦେଶିକ ମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସ ରେ ସୂଚନା ଦେଇଛନ୍ତି।
ସେ ଉଲ୍ଲେଖ କରିଛନ୍ତି ଯେ ଜୋହାନ୍ସବର୍ଗ ଜି-୨୦ ବିଦେଶମନ୍ତ୍ରୀଙ୍କ ବୈଠକରେ ଆଜି ସିପିସି ପଲିଟି ବ୍ୟୁରୋ ସଦସ୍ୟ ତଥା ଚୀନ୍ ବିଦେଶମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟିବାର ଅବସର ମିଳିଛି। ଅପରପଟେ ନୂଆଦିଲ୍ଲୀରେ ସାପ୍ତାହିକ ମିଡିଆ ବ୍ରିଫିଙ୍ଗକୁ ସମ୍ବୋଧିତ କରି ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ ଉଭୟ ମନ୍ତ୍ରୀ ଗତ ନଭେମ୍ବରର ପିଛିଲା ବୈଠକ ପରେ ଦ୍ୱିପାକ୍ଷିକ ସମ୍ପର୍କରେ ହୋଇଥିବା ବିକାଶର ସମୀକ୍ଷା କରିଛନ୍ତି। ଏହି ସାକ୍ଷାତ ଆଲୋଚନାରେ ଉଭୟ ବୈଦେଶିକ ମନ୍ତ୍ରୀ ସୀମାବର୍ତ୍ତି କ୍ଷେତ୍ରରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ନେଇ ମଧ୍ୟ ଆଲୋଚନା କରିଛନ୍ତି।
ବିଦେଶମନ୍ତ୍ରାଳୟ ପ୍ରେସ୍ ବ୍ରିଫିଙ୍ଗରେ ସୀମାବର୍ତ୍ତି କ୍ଷେତ୍ରରେ ଶାନ୍ତି, କୈଳାଶ ମାନସରୋବର ଯାତ୍ରା ଓ ବିମାନ ଯାତ୍ରା ସୁଗମ କରିବା ନେଇ ଆଲୋଚନା ହୋଇଥିବା ସୂଚିତ କରାଯାଇଛି। ବିଦେଶମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି ଯେ ଜି-୨୦ ଓ ସାଂଘାଇ ସହଯୋଗ ସଙ୍ଗଠନ ନେଇ ମଧ୍ୟ ବିଚାରର ଆଦାନପ୍ରଦାନ ହୋଇଛି। ଗତ ଜାନୁୟାରୀରେ ବେଜିଂରେ ବିଦେଶ ସଚିବ ବିକ୍ରମ ମିଶ୍ରିଙ୍କ ବୈଠକ ପରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଥିଲା। ଏଥିରେ ଦୁଇ ଦେଶଙ୍କ ମଧ୍ୟରେ ସିଧା ବିମାନ ଯାତ୍ରା ଆରମ୍ଭ କରିବା ଓ କୈଳାଶ ମାନସରୋବର ଯାତ୍ରା ଆରମ୍ଭ କରିବାକୁ କଥା ହୋଇଥିଲା।