ନୂଆଦିଲ୍ଲୀ: ବିବିସି ଇଣ୍ଡିଆ ଏବଂ ଏହାର ନିର୍ଦ୍ଦେଶକଙ୍କ ଉପରେ ୩.୪୪ କୋଟିରୁ ଅଧିକ ଜରିମାନା ଲଗାଇଛି ଇଡି । ବିଦେଶୀ ଫଣ୍ଡିଂ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ଏହି ଜରିମାନା ଲାଗୁ କରାଯାଇଛି । ଇଡି କହିଛି ଯେ ବିବିସି ଇଣ୍ଡିଆ ଡିଜିଟାଲ ମିଡିଆ ସଂସ୍ଥା ପାଇଁ ଧାର୍ଯ୍ୟ ହୋଇଥିବା ୨୬% ବିଦେଶୀ ପୁଞ୍ଜି ବିନିଯୋଗ (FDI) ସୀମାକୁ ଅନୁପାଳନ ନକରି, ଏହାକୁ ୧୦୦% ବଜାୟ ରଖିଛି ।
ଶୁକ୍ରବାର ଜାରି କରାଯାଇଥିବା ଏକ ଆଦେଶରେ ଇଡି କହିଛି ଯେ ବିସିସି ଡବ୍ଲୁଏସ ଇଣ୍ଡିଆ ଉପରେ ୩,୪୪,୪୮,୮୫୦ ଟଙ୍କା ଜରିମାନା ଲାଗୁ କରାଯାଇଛି । ଏହା ସହିତ ୨୦୨୧ ଅକ୍ଟୋବର ୧୫ ପରେ ଅନୁପାଳନ ନକରିବା କାରଣରୁ ଦିନକୁ ୫୦୦୦ ଟଙ୍କା ଜରିମାନା ଲାଗୁ କରାଯାଇଛି । ଏଥିସହ, କମ୍ପାନୀର ତିନି ନିର୍ଦ୍ଦେଶକ – ଜାଇଲ୍ସ ଆଣ୍ଟୋନି ହଣ୍ଟ, ଇନ୍ଦୁ ଶେଖର ସିହ୍ନା ଏବଂ ପଲ୍ ମାଇକେଲ୍ ଗିବ୍ବନ୍ସଙ୍କୁ ବ୍ୟକ୍ତିଗତ ଭାବରେ ୧,୧୪,୮୨,୯୫୦ ଟଙ୍କା ଜରିମାନା କରାଯାଇଛି ।
୨୦୨୩ ଏପ୍ରିଲରେ ଫେମା (ବିଦେଶୀ ମୁଦ୍ରା ପରିଚାଳନା ଅଧିନିୟମ) ଅନୁଯାୟୀ ବିବିସି ଇଣ୍ଡିଆ ବିରୋଧରେ ଇଡି ତଦନ୍ତ ଆରମ୍ଭ କରିଥିଲା । ଏହାପୂର୍ବରୁ, ୨୦୨୩ ଫେବ୍ରୁଆରୀରେ ଆୟକର ବିଭାଗ ଦିଲ୍ଲୀ ସମେତ ଅନେକ ସହରରେ ବିବିସି ଇଣ୍ଡିଆ କାର୍ଯ୍ୟାଳୟରେ ଏକ ସର୍ଭେ କରିଥିଲା । ଲାଇଭ୍ ହିନ୍ଦୁସ୍ତାନର ରିପୋର୍ଟ ଅନୁସାରେ ଜଣେ ଅଧିକାରୀ କହିଛନ୍ତି ଯେ “ସେପ୍ଟେମ୍ବର ୨୦୧୯ରେ ଉଦ୍ୟୋଗ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟର ପ୍ରୋତ୍ସାହନ ବିଭାଗ (DPIIT) ଡିଜିଟାଲ ମିଡିଆରେ ଏଫଡିଆଇ ସୀମା ୨୬% ସ୍ଥିର କରି ବିଜ୍ଞପ୍ତି ଜାରି କରିଥିଲା । ଏହା ସତ୍ତ୍ୱେ BBC ଡବ୍ଲୁଏସ ଇଣ୍ଡିଆ ଏହାର ବିଦେଶୀ ଅଂଶଧନକୁ ହ୍ରାସ କରି ନାହିଁ ଏବଂ ଏହାକୁ ଶତପ୍ରତିଶତ ବଜାୟ ରଖିଛି । ଯାହା ଭାରତ ସରକାରଙ୍କ ନିୟମ ଉଲ୍ଲଂଘନ କରୁଛି। "