ନୂଆଦିଲ୍ଲୀ ୨୧।୨: ଭାରତ ଓ ପାକିସ୍ତାନ ଶୁକ୍ରବାର ଜମ୍ମୁ-କାଶ୍ମୀରର ପୁଞ୍ଛ ଜିଲ୍ଲା ନିୟନ୍ତ୍ରଣ ରେଖା (ଏଲଓସି)ରେ ଫ୍ଲାଗ ମିଟିଂ କରିଛନ୍ତି। ଏହି ମିଟିଂରେ ଉଭୟ ପକ୍ଷ ସୀମାରେ ଶାନ୍ତି କାୟମ ରଖିବା ପାଇଁ ସହମତ ହୋଇଛନ୍ତି। ନିକଟ ଅତୀତରେ ଭାରତ ଓ ପାକିସ୍ତାନ ସୀମା ପାରରୁ ଗୁଳି ବିନିମୟ ଓ ଆଇଇଡି ଆକ୍ରମଣ ଘଟଣା ପରେ ଉତ୍ତେଜନା ହ୍ରାସ ନିମନ୍ତେ ଉଦ୍ୟମ ସ୍ୱରୂପ ଏହି ବୈଠକ ଅନୁଷ୍ଠିତ ହୋଇଛି। ସୁତ୍ରରୁ ମିଳୁଥିବା ସୂଚନା ଅନୁସାରେ ବ୍ରିଗେଡ କମାଣ୍ଡର ସ୍ତରର ଏହି ମିଟିଂ ଚକ୍କନ-ଦା-ବାଗ କ୍ଷେତ୍ରରେ ଅନୁଷ୍ଠିତ ହୋଇଛି।
ମିଟିଂରେ ଉଭୟ ପକ୍ଷ ସୀମାରେ ଶାନ୍ତି ରକ୍ଷାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି। ପ୍ରାୟ ୭୫ ମିନିଟ୍ (ଘଣ୍ଟାଏ ୧୫ମିନିଟ) କାଳ ଚାଲିଥିବା ବୈଠକ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଥିଲା। ସୂତ୍ର ଅନୁସାରେ ଏହି ବୈଠକ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଥିବା ବେଳେ ସୀମାରେ ଶାନ୍ତି ନିମନ୍ତେ ଯୁଦ୍ଧ ବିରାମ ବୁଝାମଣାକୁ ସମ୍ମାନ କରିବା ପାଇଁ ସହମତ ହୋଇଛନ୍ତି। ଭାରତ ଓ ପାକିସ୍ତାନ ୨୫ ଫେବୃଆରୀ ୨୦୨୧ରେ ଯୁଦ୍ଧ ବିରାମ ବୁଝାମଣା ନବୀକରଣ କରିବା ପରେ ଜମ୍ମୁ-କାଶ୍ମୀର ସୀମାରେ ସଂଘର୍ଷ ବିରାମ ଉଲ୍ଲଂଘନ ଘଟଣା ହ୍ରାସ ହୋଇଛି।
ଉଲ୍ଲେଖଯୋଗ୍ୟ ଯେ ଭାରତ ଓ ପାକିସ୍ତାନ ସେନା ୨୦୨୧ରେ ଯୁଦ୍ଧବିରାମ ଘୋଷଣା କରିଥିଲେ। ଏହି ଯୁଦ୍ଧ ବିରାମ ପରେ ସୀମାରେ ଉତ୍ତେଜନା ଅନେକାଂଶରେ ହ୍ରାସ ହୋଇଛି। ତେବେ ଗତ କିଛି ଦିନ ହେଲା ଚିନ୍ତାଜନକ ଘଟଣା ସବୁ ଘଟୁଥିଲା। ଗତ ଫେବୃଆରୀ ୧୧ ତାରିଖ ଦିନ ଅଖନୁର ସେକ୍ଟରରେ ୨ ଭାରତୀୟ ଜବାନ ଶହିଦ ହୋଇଥିବା ବେଳେ ପୁଞ୍ଛ ଓ ରାଜୌରୀ ଜିଲ୍ଲାର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପଟରୁ ହୋଇଥିବା ଗୁଳି ବିନିମୟରେ ୨ ଜଣ ଜବାନ ଆହତ ହୋଇଥିଲେ। ପୁଞ୍ଛ ସେକ୍ଟରରେ ସୀମା ସେପାଖରୁ ହୋଇଥିବା ଗୁଳି ବିନିମୟର ଭାରତୀୟ ଜବାନ ଜବାବ ଦେଇଥିଲେ। ଫଳରେ ପାକିସ୍ତାନ ପଟରେ ମଧ୍ୟ କିଛି ଲୋକେ ହତାହତ ହୋଇଥିଲେ।
ଭାରତୀୟ ସେନା ଓ ସୁରକ୍ଷା ବଳ ଏଲଓସି ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ ଏବେ କଡ଼ା ସତର୍କତା ଅବଲମ୍ବନ କରୁଛନ୍ତି। କାରଣ ଜମ୍ମୁ-କାଶ୍ମୀରରେ ହୀମପାତ ହ୍ରାସ ସହ ଏବେ ଅନୁପ୍ରବେଶର ପାରମ୍ପରିକ ରାସ୍ତା ସବୁ ଖୋଲୁଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁ-କାଶ୍ମୀର ଉପରେ ଦୁଇଟି ସୁରକ୍ଷା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ଶାହ ସୁରକ୍ଷା ବଳଙ୍କୁ ଶୁନ ଅନୁପ୍ରବେଶ ଓ ଆତଙ୍କବାଦୀଙ୍କ ପ୍ରତି ଶୁନ ସହିଷ୍ଣୁତା ସୁନିଶ୍ଚିତ କରିବା ପାଇଁ ଆଦେଶ ଦେଇଛନ୍ତି।