ନୂଆଦିଲ୍ଲୀ ୨।୧: ଗଣତନ୍ତ୍ର ଦିବସର ୭୫ ବର୍ଷ ପୁରଣରେ ସବୁ ବର୍ଷ ଭଳି ଚଳିତବର୍ଷ ୨୬ ଜାନୁୟାରୀ ୨୦୨୫ରେ ପରେଡ ଅନୁଷ୍ଠିତ ହେବ। ଦିଲ୍ଲୀରେ ରିପବ୍ଲିକ ଡେ ପରେଡ ନିମନ୍ତେ ଗୁରୁବାର ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ସୋସିଆଲ ମିଡିଆ ଏକ୍ସ ରେ ଏ ନେଇ ସୂଚନା ଦିଆଯାଇଛି। ସେହି ଅନୁସାରେ ଆପଣ ଘରେ ବସି ନିଜ ପାଇଁ ସାଧାରଣତନ୍ତ୍ର ଦିବସ ପରେଡ ଟିକେଟ୍ ସଂଗ୍ରହ କରିପାରିବେ। ଚଳିତବର୍ଷ ଟିକେଟର ମୂଲ୍ୟ ବହୁତ କମ ରଖାଯାଇଛି।
ସାଧାରଣତନ୍ତ୍ର ଦିବସ ପରେଡ ଦେଖିବା ପାଇଁ ସାଧାରଣ ଲୋକେ ୩ ପ୍ରକାର ଟିକେଟ୍ ବୁକ୍ କରିପାରିବେ। ୨୬ ଜାନୁୟାରୀରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ଟିକେଟର ମୂଲ୍ୟ ୨୦ଟଙ୍କାରୁ ଆରମ୍ଭ କରି ୧୦୦ ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି। ସେହିପରି ୨୮ ଜାନୁୟାରୀ ବିଟିଂ ରିଟ୍ରିଟ୍ ରିହର୍ସେଲ ଦେଖିବା ଲାଗି ଟିକେଟର ମୂଲ୍ୟ ମାତ୍ର ୨୦ ଟଙ୍କା ରଖା ଯାଇଛି। ପ୍ରତିରକ୍ଷା ମନ୍ତ୍ରାଳୟଙ୍କ ଅନୁସାରେ ୨ରୁ ୧୧ ଜାନୁୟାରୀ ୨୦୨୫ ମଧ୍ୟରେ ରିପବ୍ଲିକ୍ ଡେ ପରେଡ ନିମନ୍ତେ ଅନଲାଇନ ଟିକେଟ୍ ବୁକ୍ କରାଯାଇ ପାରିବ।
ଅନଲାଇନ ଟିକେଟ୍ ବୁକିଂ ନିମନ୍ତେ ରକ୍ଷାମନ୍ତ୍ରାଳୟଙ୍କ ଆମନ୍ତ୍ରଣ ୱେବସାଇଟ୍ www.aamantran.mod.gov.in କୁ ଯିବାକୁ ହେବ। ସେଠାରେ ଆପଣଙ୍କୁ ରିପବ୍ଲିକ୍ ଡେ ପରେଡ ଓ ବିଟିଂ ରିଟ୍ରିଟ୍ ଟିକେଟ୍ ବୁକ୍ କରିବା ଲାଗି ଅପସନ ମିଳିବ। ଆପଣ ଆପଣଙ୍କ ଆଇଡି, ମୋବାଇଲ ନମ୍ବର ଆଦିର ସୂଚନା ପ୍ରଦାନ କରନ୍ତୁ ଓ ଏହା ପରେ ଟିକେଟ୍ ସଂଖ୍ୟା ହିସାବରେ ଅନଲାଇନ ପେମେଣ୍ଟ କରନ୍ତୁ। ଏହିପରି ଆପଣ ଘରେ ବସି ରିପବ୍ଲିକ ଡେ ଟିକେଟ୍ ବୁକ୍ କରିପାରିବେ।
Tickets for the #RepublicDayParade (January 26) & #BeatingRetreat (Jan 28 & 29) go on sale from Jan 02, 2025. Available online via Aamantran Portal (https://t.co/IWK0rkcp4i) & app, or at designated counters across Delhi. Prices: ₹20–₹100. Bring ID for entry.
— Ministry of Defence, Government of India (@SpokespersonMoD) January 1, 2025
Details:… pic.twitter.com/d8jhqll51D
ସେହିପରି ମୋବାଇଲ ଆପରେ ମଧ୍ୟ ଆପଣ ଟିକେଟ୍ ବୁକ୍ କରିପାରିବେ। ଏଥି ପାଇଁ ଆପଣ ପ୍ରଥମେ ଗୁଗଲ ପ୍ଲେ ଷ୍ଟୋର ଅଥବା ଆପଲ ପ୍ଲେ ଷ୍ଟୋରକୁ ଯାଇ ‘ଆମନ୍ତ୍ରଣ’ ଆପ ଇଂଷ୍ଟଲ କରନ୍ତୁ। ଏହା ପରେ ଟିକେଟ୍ ଲାଗି ଅନଲାଇନରେ ଦେୟ ପୈଠ କରି ଟିକେଟ୍ ବୁକ୍ କରନ୍ତୁ। ସେହିପରି ଆପଣ ଅଫଲାଇନରେ ଟିକେଟ୍ କିଣିବାକୁ ହେଲେ ଦିଲ୍ଲୀର ୫ଟି ଲୋକେସନରେ ଫିଜିକାଲ କାଉଣ୍ଟର ସ୍ଥାପନା ହୋଇଛି। ଏଥିରେ ସେନା ଭବନ ଗେଟ୍ ନମ୍ବର-୨, ଶାସ୍ତ୍ରୀ ଭବନ ଗେଟ୍ ନମ୍ବର ୩ ନିକଟରେ, ଜନ୍ତରମନ୍ତର ମୁଖ୍ୟଦ୍ୱାର, ପ୍ରଗତି ମୈଦାନ ଗେଟ୍ ନମ୍ବର-୧, ରାଜୀବ ଚୌକ ମେଟ୍ରୋ ଷ୍ଟେସନ ଗେଟ୍ ନମ୍ବର ୭ ଓ ୮ରେ କାଉଣ୍ଟର ସବୁ ଖୋଲା ଯାଇଛି। ଏହି କାଉଣ୍ଟର ଗୁଡିକ ୨ରୁ ୧୧ ଜାନୁୟାରୀ ପର୍ଯ୍ୟନ୍ତ ସକାଳ ୧୦ଟାରୁ ମଧ୍ୟାହ୍ନ ଗୋଟାଏ ଓ ଅପରାହ୍ନ ୨ଟାରୁ ସନ୍ଧ୍ୟା ସାଢେ ୪ଟା ପର୍ଯ୍ୟନ୍ତ ଖୋଲା ରହିବ।
ଟିକେଟ୍ କ୍ରୟ ଓ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଆପଣଙ୍କର ଏକ ବୈଧ ଫଟୋ ଆଇଡି ଥିବା ଜରୁରି। ଏହା ଛଡା ଆପଣ ଆପଣଙ୍କ ଆଧାର, ଭୋଟର ଆଇଡି, ଡ୍ରାଇଭିଂ ଲାଇସେନ୍ସ ଓ ପାସପୋର୍ଟ ବ୍ୟବହାର କରି ମଧ୍ୟ ଟିକେଟ୍ ହାସଲ କରିପାରିବେ। ଗଣତନ୍ତ୍ର ଦିବସ ସମାରୋହ ଓ ସମ୍ବଦ୍ଧିତ କାର୍ଯ୍ୟକ୍ରମ ସମ୍ପର୍କରେ ଅଧିକ ସୂଚନା ପାଇବା ଲାଗି ଅଧିକାରୀକ ପୋର୍ଟାଲ ରାଷ୍ଟ୍ରପରବ ଡଟ୍ ଏମଓଡି ଡଟ୍ ଜିଓଭି ଡଟ୍ ଇନ୍ କୁ ଯାଇ ପାରନ୍ତି।