ଚେନ୍ନାଇ ୪।୧: ପ୍ରାୟ ଲୋକେ ଗୁପଚୁପ୍ ଖାଇବାକୁ ପସନ୍ଦ କରନ୍ତି। ଏଣୁ ଗୁପଚୁପ୍ ଦୋକାନରେ ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଧାଡି ବାନ୍ଧନ୍ତି। ତେବେ ଆଖିକୁ ଦେଖାଯାଉଥିବା ଏହି ଛୋଟ ବେପାରରେ ଲକ୍ଷଲକ୍ଷ ଟଙ୍କାର କାରବାର ହେଉଥିବାର ଅନେକ ଜାଣି ନଥିବେ। ତାମିଲନାଡୁର ଜନୈକ ଗୁପଚୁପ୍ ବେପାରୀ ବର୍ଷକରେ ୪୦,୧୧,୦୧୯ ଟଙ୍କା ଆୟ କରିଥିବାର ଆୟକର ଅଧିକାରୀ ତା ଅନଲାଇନ ପେମେଣ୍ଟ ରେକର୍ଡରୁ ଜାଣିବାକୁ ପାଇଛନ୍ତି। ତେବେ ସେ ନଗଦ କେତେ କାରବାର କରିଥିବ ତାହା ଏବେ ଅଧିକାରୀଙ୍କୁ ଚିନ୍ତାରେ ପକାଇଛି।
ବ୍ୟବସାୟୀଙ୍କ ‘ଫୋନପେ’ ଓ ‘ରାଜରପା’ ପେମେଣ୍ଟ ରେକର୍ଡ ଦେଖି ଆୟକର ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏଣୁ ଏହି ଗୁପଚୁପ୍ ବେପାରୀଙ୍କୁ ଜିଏସଟି ନୋଟିସ୍ ପଠାଇଛନ୍ତି। ଭାରତରେ ଉଚ୍ଚ ପଦପଦବୀରେ ଅବସ୍ଥାପିତ ସରକାରୀ ଅଥବା ଘରୋଇ ଅଧିକାରୀ ବି ବର୍ଷକରେ ଏତିକି ଆୟ କରିପାରୁ ନାହାନ୍ତି। ହେଲେ ତାମିଲନାଡୁର ଏହି ଗୁପଚୁପ୍ ବେପାରୀ ଆୟର ମାଇଲଖୁଣ୍ଟ ସ୍ଥାପନା କରିଛନ୍ତି। ଯଦି ଅନଲାଇନରେ ଏତିକି କାରବାର କରିଛନ୍ତି ତେବେ ନଗଦରେ ସେ କେତେ କାରବାର କରିନଥିଲେ ସେ ନେଇ ଏବେ ପ୍ରଶ୍ନ ଉଠୁଛି।
ଅନୁମାନ କରାଯାଉଛି ଗୁପଚୁପ୍ ବେପାରୀ ପୁରା ବର୍ଷରେ ୭୦ରୁ ୮୦ ଲକ୍ଷ ଟଙ୍କା ଆୟ କରିଛନ୍ତି। ଆଜିକାଲି ଗ୍ରାହକ ସବୁ ସ୍ଥାନରେ ଅନଲାଇନ ପେମେଣ୍ଟ ସୁବିଧା ଦାବି କରୁଛନ୍ତି। ତାମିଲନାଡୁର ଗୁପଚୁପ ବେପାରୀ ମଧ୍ୟ ତାଙ୍କ ଗ୍ରାହକଙ୍କୁ ଏହି ସୁବିଧା ଦେଉଥିଲେ। ଗ୍ରାହକ ତାଙ୍କଠାରୁ ଗୁପଚୁପ୍ ଖାଇ ଅନଲାଇନରେ ଦେୟ ପୈଠ କରୁଥିଲେ। ଏହି ଗୁପଚୁପ ବିକ୍ରେତାଙ୍କ ଫୋନ ପେ ଓ ରାଜରପାରେ ବର୍ଷକରେ ୪୦ଲକ୍ଷ ୧୧ ହଜାର ୧୯ ଟଙ୍କା ପ୍ରାପ୍ତ ହୋଇଛି।
୨୦୨୩-୨୪ର ଏହି ରେକର୍ଡ ସହାୟତାରେ ଗୁପଚୁପ ବିକ୍ରେତାଙ୍କୁ ଜିଏସଟି ଆଇନରେ ନୋଟିସ ପଠାଇଛନ୍ତି। ଟିଏନଜିଏସଟି/ସିଜିଏସଟି ଅଧିନିୟମ ୨୦୧୭ର ଧାରା ୨୩ ଉପଧାରା ୨ ଅନୁସାରେ ସରକାରୀ ଅଧିସୂଚନା ମାଧ୍ୟମରେ ଏହି ଗୁପଚୁପ୍ ବ୍ୟବସାୟୀଙ୍କୁ ଜିଏସଟି ପଞ୍ଜିକରଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।