ହ୍ୟୁମାନ ମେଟାନ୍ୟୁମୋଭାଇରସ; ଲକ୍ଷଣ, ବିପଦ ଏବଂ ରୋଗଠାରୁ ଦୂରେଇ ରହିବାର ଉପାୟ

Published By : Prameya-News7 Bureau | January 06, 2025 IST

ନୂଆଦିଲ୍ଲୀ: ୨୩ ବର୍ଷ ପୂର୍ବେ ଚିହ୍ନଟ ହୋଇଥିବା ଭୂତାଣୁ ଆଜି ସମଗ୍ର ବିଶ୍ୱରେ ବିପଦ ସୃଷ୍ଟି କରିବାକୁ ଯାଉଛି । ଏହି ଭୂତାଣୁ ହେଉଛି HMPV (ହ୍ୟୁମାନ ମେଟାନ୍ୟୁମୋଭାଇରସ) ଯାହା ବର୍ତ୍ତମାନ ଚୀନରେ ହଇଚଇ ସୃଷ୍ଟି କରୁଛି । କରୋନା ମହାମାରୀର ପ୍ରାୟ ୫ ବର୍ଷ ପରେ ହ୍ୟୁମାନ ମେଟାନ୍ୟୁମୋଭାଇରସ (ଏଚ୍‌ଏମ୍‌ପିଭି) ଭାଇରସ୍ ଦ୍ରୁତ ଗତିରେ ବ୍ୟାପିବା ଆରମ୍ଭ କରିଛି ।

ଚୀନରେ ଶୀତ ଋତୁ ଏବଂ ଏହି ସମୟରେ ଏଚ୍‌ଏମ୍‌ପିଭି ଭୂତାଣୁ ଯୋଗୁଁ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଡାକ୍ତରଖାନାରେ ରୋଗୀଙ୍କ ଭିଡ ବଢିବାରେ ଲାଗିଛି । କେବଳ ଚୀନ ନୁହେଁ ଏହାର ପଡ଼ୋଶୀ ରାଷ୍ଟ୍ରରେ ମଧ୍ୟରେ ଏହି ଭୂତାଣୁରେ ସଂକ୍ରମିତ ରୋଗୀ ଚିହ୍ନଟ ହେଲେଣି । ଭାରତରେ ବର୍ତ୍ତମାନ ସୁଦ୍ଧା ୬ଟି ମାମଲା ଚିହ୍ନଟ ହୋଇଛି । ଭାରତ ସରକାର ମଧ୍ୟ ଲୋକଙ୍କୁ ଏଚ୍‌ଏମ୍‌ପିଭି ବିଷୟରେ ଅବଗତ କରାଇଛନ୍ତି ଏବଂ ଭୟଭୀତ ନହେବା ପାଇଁ କହିଛନ୍ତି ।

ଏଚ୍‌ଏମ୍‌ପିଭି ହେଉଛି ଏକ ଆରଏନ୍‌ଏ ଭୂତାଣୁ ଯାହା ନିମୋଭାଇରିଡା ପରିବାରର ଅଟେ । ଏହି ଭାଇରସ ଶ୍ୱାସକ୍ରିୟାରେ ବାଧା ସୃଷ୍ଟି କରେ । ବିଶେଷ କରି ଶୀତ ଦିନ ଏହି ଭୂତାଣୁ ବ୍ୟାପିବା ପାଇଁ ଅନୁକୂଳ ପରିବେଶ ହୋଇଥାଏ । ଏହାର ପ୍ରଭାବ ସାଧାରଣତଃ ନିଶ୍ୱାସ ନେବାରେ ଅସୁବିଧା ସୃଷ୍ଟି କରିଥାଏ ଏବଂ ଏହି ଭୂତାଣୁ ଶ୍ୱାସକ୍ରିୟାରେ ସମସ୍ୟା ବଢାଇଥାଏ ।

ଏଚ୍‌ଏମ୍‌ପିଭି କୌଣସି ନୂଆ ଭାଇରାସ ନୁହେଁ । ୨୩ ବର୍ଷ ପୂର୍ବେ ଏହି ଭାଇରସର ଆବିଷ୍କାର ହୋଇଥିଲା । ଆମେରିକୀୟ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ (ସିଡିସି) ଅନୁଯାୟୀ, ଏହି ଭୂତାଣୁ ପ୍ରଥମେ ୨୦୦୧ରେ ଚିହ୍ନଟ ହୋଇଥିଲା । ବୈଜ୍ଞାନିକମାନେ ମତରେ ୧୯୫୮ ପରଠାରୁ ଏହି ଭୂତାଣୁ ଅସ୍ଥିତ୍ୱରେ ରହିଛି । ଏହା ସତ୍ତ୍ୱେ ଏହାକୁ ଗୁରୁତର ସହ ଗ୍ରହଣ କରାଯାଇ ନଥିଲା ।

କାଶ ଏବଂ ଛିଙ୍କରୁ ଏଚଏମପିଭି ଭାଇରସ ବ୍ୟାପିଥାଏ । ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଏହି ଭୂତାଣୁ ଜଣଙ୍କଠାରୁ ଜଣଙ୍କ ଶରୀରକୁ ଯାଇଥାଏ । ଭୂତାଣୁ ସଂକ୍ରମଣ ଅବଧି ୩ରୁ ୫ ଦିନ । ଏହି ଭୂତାଣୁରେ ସଂକ୍ରମିକଙ୍କ ନିକଟରେ ଶ୍ୱାସକ୍ରିୟାରେ କଷ୍ଟ, ଥଣ୍ଡା, କାଶ, ଗଳାରେ ଯନ୍ତ୍ରଣା ଏବଂ ଜ୍ୱର ପରି ଲକ୍ଷଣ ଦେଖାଯାଇଥାଏ । ବିଶେଷଜ୍ଞଙ୍କ ମତରେ ଭୂତାଣୁର ରକ୍ଷା ପାଇବା ପାଇଁ ଶ୍ୱାସକ୍ରିୟାର ସ୍ବଚ୍ଛତାର ଯତ୍ନ ନେବା ଜରୁରି ଅଟେ । ମାସ୍କ ପିନ୍ଧିବା,  ହାତ ଧୋଇବା ଏବଂ ସଂକ୍ରମିତ ଲୋକଙ୍କଠାରୁ ଦୂରରେ ରହିବ ଭଳ ସତର୍କତା ଅବଲମ୍ୱନ କରିବାକୁ ପଡ଼ିବ । ଯଦିଓ ସମସ୍ତ ବୟସର ଲୋକ ଏହି ଭୂତାଣୁ ଦ୍ୱାରା ପ୍ରଭାବିତ ହୋଇପାରନ୍ତି, ତେବେ ଏହା ଶିଶୁ ଏବଂ ବୟସ୍କଙ୍କ ପାଇଁ ଅଧିକ ବିପଜ୍ଜନକ ବୋଲି ଜଣାପଡ଼ିଛି ।

ଏଚ୍‌ଏମ୍‌ପିଭିର ଲକ୍ଷଣ

  1. କାଶ
  2. ନାକରୁ ପାଣି ବୋହିବା
  3. ଗଳାରେ ଯନ୍ତ୍ରଣା
  4. ଜ୍ୱର
  5. ଶ୍ୱାସକ୍ରିୟାରେ କଷ୍ଟ
  6. ନିମୋନିଆ
  7. ଗଳା ନଫିଟିବା
  8. ଭୟଭିତ ହେବା
  9. ବୟସ୍କଙ୍କ ମଧ୍ୟରେ ଆସ୍ଥମା ବଢିବା

ଏଚ୍‌ଏମ୍‌ପିଭିର ମୁକାବିଲା ପାଇଁ ଆବଶ୍ୟକୀୟ ସତର୍କତା

  1. ହାତ ଧୋଇବା ( ନିୟମିତ ବ୍ୟବଗଆନରେ ସାବୁନ ଏବଂ ପାଣିରେ ଅତି କମରେ ୨୦ ସେକେଣ୍ଡ ଯାଏ)
  2. ହ୍ୟାଣ୍ଡ ସାନିଟାଇଜର (ସାବୁନ ନଥିବା ସ୍ଥାନରେ ୬୦ ପ୍ରତିଶତ ଆଲକହଲ୍ ଥିବା ସାନିଟାଇଜର ବ୍ୟବହାର)
  3. ଚଟାଣକୁ ସଫା ରଖିବା
  4. ଅସୁସ୍ଥତା ଅନୁଭବ କଲେ ଘରୁ ନବାହାରିବା
  5. କାଶ ଏବଂ ଛିଙ୍କ ବେଳେ ମୁହଁକୁ ଘୋଡାଇବା
  6. ସାମାଜିକ ଦୂରତା ବଜାୟ ରଖିବା
  7. ଭଲ ଭେଣ୍ଟିଲେସନ ବ୍ୟବସ୍ଥା 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.