୫୬ ଲକ୍ଷ ଟଙ୍କାରେ ନିଲାମ ହେଲା ୧୦୦ ଟଙ୍କିଆ ନୋଟ୍‌, ଜାଣନ୍ତୁ କ’ଣ ରହିଛି ଏହା ପଛର ଇତିହାସ ?

Published By : Prameya-News7 Bureau | January 07, 2025 IST

ନୂଆଦିଲ୍ଲୀ: ଲକ୍ଷେ ନୁହେଁ କି’ ଦୁଇ ଲକ୍ଷ ନୁହେଁ... ପୂରା ୫୬ ଲକ୍ଷ ଟଙ୍କାରେ ବିକ୍ରି ହେଲା ୧୦୦ ଟଙ୍କିଆ ନୋଟ୍‌। କଥାଟା ଆଶ୍ଚର୍ଯ୍ୟ ଲାଗୁଛି କି ? ଭାବୁଥିବେ ୧୦୦ ଟଙ୍କିଆ ନୋଟ୍ ପୁଣି ୫୬ ଲକ୍ଷ ଟଙ୍କାରେ ବିକ୍ରି ହେବ। ତାହା କିପରି ? ଏହା କୌଣସି ଫ୍ରଡ୍‌ ନୁହେଁ ତ’ ? ଚିନ୍ତା କରନ୍ତୁ ନାହିଁ ଏହା କୌଣସି ଫ୍ରଡ୍‌ ନୁହେଁ। ଆଉ ଏହି ବିକ୍ରି ମଧ୍ୟ ନିଲାମ ମାଧ୍ୟମରେ ହୋଇଛି। ତାହା ପୁଣି ଲଣ୍ଡନରେ।

ପ୍ରକୃତରେ ଏହା ହେଉଛି ଏକ ୧୦୦ ଟଙ୍କିଆ ‘ହଜ୍‌ ନୋଟ୍’। ଏହି ନୋଟ୍‌କୁ ରିଜର୍ଭ ବ୍ୟାଙ୍କ୍ ୧୯୫୦ରେ ପ୍ରଚଳନ କରିଥିଲା। ନିଲାମ ହୋଇଥିବା ନୋଟର ସିରିୟଲ ନମ୍ବର ହେଉଛି HA078400 । ଏହା ସେହି ସମୟରେ ହଜ୍‌ ପାଇଁ ଭାରତରୁ ଗଲ୍ଫ ଦେଶକୁ ଯାଉଥିବା ତୀର୍ଥଯାତ୍ରୀଙ୍କ ପାଇଁ ଜାରି ହୋଇଥିଲା। ଉଦ୍ଦେଶ୍ୟ ଥିଲା ସେତେବେଳେ ସାଧାରଣ ଭାରତୀୟ ମୁଦ୍ରାରେ ହେଉଥିବା ଅବୈଧ ସୁନାକ୍ରୟକୁ ରୋକିବା। କାରଣ ସେ ସମୟରେ ସେଠାରେ ସାଧାରଣ ଭାରତୀୟ ମୁଦ୍ରା ଗ୍ରହଣୀୟ ଥିଲା।

ତେବେ ୧୯୬୧ରେ କୁଏତ ନିଜର ମୁଦ୍ରା ଆରମ୍ଭ କରିଥିଲା, ଯାହାକୁ ଅନ୍ୟ ଗଲ୍ଫ ଦେଶମାନେ ମଧ୍ୟ ଆପଣାଇଥିଲେ। ଫଳରେ ୧୯୭୦ରୁ ହଜ୍‌ ନୋଟ୍‌ର ମୁଦ୍ରଣ ବନ୍ଦ ହୋଇଥିଲା। ଏମିତିରେ ବର୍ତ୍ତମାନ ଏହି ନୋଟକୁ ଦୁର୍ଲଭ ବୋଲି ଧରାଯାଏ ତଥା ମୁଦ୍ରା ପ୍ରେମୀଙ୍କ ମଧ୍ୟ ଏହାର ବେଶ୍‌ ମହତ୍ବ ରହିଛି। 

‘ହଜ୍‌ ନୋଟ୍‌’ରେ ଅନେକ ବିଶେଷତ୍ବ ରହିଥିଲା। ଯେମିତିକି ସିରିୟଲ ନମ୍ବର। ଏଥିରେ ଏକ ସ୍ବତନ୍ତ୍ର ‘HA’ ବିଶିଷ୍ଟ ଉପସର୍ଗ ରହିଥିଲା। ଯାହାଦ୍ବାରା ଏହି ନୋଟକୁ ଚିହ୍ନିବା ସହଜ ହେଉଥିଲା। ଏହି ନୋଟକୁ ଭାରତରେ ମାନ୍ୟତା ନଥିଲା। ଏହି ନୋଟ୍‌କୁ ଏହାର ରଙ୍ଗରୁ ମଧ୍ୟ ସହଜରେ ଚିହ୍ନି ହେଉଥିଲା। ହଜ୍ ନୋଟର ରଙ୍ଗ ସାଧାରଣ ଭାରତୀୟ ମୁଦ୍ରା ଠାରୁ ଭିନ୍ନ ଥିଲା।ଏହି ନୋଟ୍ ସେ ସମୟରେ ୟୁଏଇ, କତାର, ବାହାରିନ୍, କୁଏତ ଏବଂ ଓମାନ ଭଳି ଗଲ୍ଫ ଦେଶରେ ଗ୍ରହଣୀୟ ଥିଲା। ଅବଶ୍ୟ ପରବର୍ତ୍ତୀ ସମୟରେ ଏହା ଉପରେ ସେଠାରେ ବ୍ୟାନ ଲଗାଯାଇଥିଲା।  

ଏହା ପୂର୍ବରୁ ଲଣ୍ଡନରେ ଆଉ ଏକ ଆଶ୍ଚର୍ଯ୍ୟଜନକ ନିଲାମୀ ଦେଖିବାକୁ ମିଳିଥିଲା। ୨୦୨୪ରେ ମେ ମାସରେ ଲଣ୍ଡନରେ ଦୁଇଟି ଦୁର୍ଲଭ ୧୦ ଟଙ୍କିଆ ପୁରୁଣା ନୋଟର ନିଲାମ ହୋଇଥିଲା। ଯେଉଁଥିରେ ଗୋଟିଏ ୬.୯୦ ଲକ୍ଷ ଏବଂ ଅନ୍ୟଟି ୫.୮୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା। ଏହି ନୋଟ ୧୯୧୮ରେ ପ୍ରଥମ ବିଶ୍ବଯୁଦ୍ଧ ଶେଷ ଆଡ଼କୁ ପ୍ରଚଳିତ ହୋଇଥିଲା ଏବଂ ଏଥିରେ ସେ ସମୟରେ କଳାକୃତିର ଛବି ରହିଥିଲା।

ଏହି ନୋଟରେ ଐତିହାସିକ ଶିରାଲା ଜାହାଜ ବୁଡ଼ିବା ଘଟଣା ମଧ୍ୟ ସ୍ଥାନିତ ହୋଇଥିଲା। ୧୯୧୮ ଜୁଲାଇ ୨ରେ ବ୍ରିଟିଶ ଜାହାଜ ଏସଏସ ଶିରାଲା, ଟରପିଡୋ ମାଡ଼ରେ ବୁଡ଼ିଯାଇଥିଲା। ଏମିତିରେ ସେହି ସମୟର କରେନ୍ସୀ ପାଖରେ ରଖିବା, ବିଶେଷ କରି ଜାହାଜର ଭଗ୍ନାବଶେଷରୁ ମିଳିଥିବା ନୋଟ ରଖିବା ଖୁବ୍ ଅଦ୍ବିତୀୟ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.