୫୪୦ ଫୁଟ ବୋରୱେଲରେ ଗଳିପଡିଛନ୍ତି ୨୨ ବର୍ଷର ଯୁବତୀ, ଉଦ୍ଧାର ନିମନ୍ତେ ଚାଲିଛି ଉଦ୍ୟମ

Published By : Prameya-News7 Bureau | January 07, 2025 IST

ଭୁଜ ୭।୧: ଏପର୍ଯ୍ୟନ୍ତ ଛୋଟଛୋଟ ପିଲା ବୋରୱେଲ ଗର୍ତ୍ତରେ ଗଳିପଡୁଥିବାର ଖର ଆସୁଥିଲା। ତେବେ ପ୍ରଥମ ଥର  ଗୁଜରାଟର କଚ୍ଛରେ ଜଣେ ୨୨ ବର୍ଷ ବୟଷ୍କା ଯୁବତୀ  ବୋରୱେଲରେ ଗଳିପଡିଥିବାର ଖବର ଆସୁଛି। ଯୁବତୀ ଜଣକ ୫୪୦ ଫୁଟ ଗଭୀର ବୋରୱେଲର ୪୯୦ଫୁଟରେ ଅଟକି ରହିଛନ୍ତି। ନିଶ୍ୱାସ ପ୍ରଶ୍ୱାସ ନିମନ୍ତେ ଉଦ୍ଧାରକାରୀ ତାଙ୍କ ନିକଟକୁ ପାଇପ୍‌ରେ ଅକ୍ସିଜେନ ପଠାଇଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। 

ଭୁଜ ଡେପୁଟି କଲେକ୍ଟର ଏ.ବି. ଯାଦବ କହିଛନ୍ତି ଯେ ବୋରୱେଲରେ ଗଳିପଡିଥିବା ଯୁବତୀ ରାଜସ୍ଥାନର। ସେ ପରିବାର ସହିତ କାମ କରିବାକୁ ଭୁଜର କନ୍ଦେରାଇକୁ ଆସିଥିଲେ। ସକାଳ ପ୍ରାୟ ୬ଟା ବେଳେ ସେ ବୋରୱେଲକୁ ଗଳିପଡିଥିଲେ। ସେ ବୋରୱଲରେ ଗଳିପଡିଥିବା ପରିବାର ଲୋକେ କହିବାରୁ ସନ୍ଦେହ ହୋଇଥିଲା। ଏଣୁ ବୋରୱେଲକୁ କ୍ୟାମେରା ଛଡାଯାଇ ଦେଖିବା ବେଳେ ଯୁବତୀ ପଡିଥିବାର ସ୍ପଷ୍ଟ କରାଯାଇଛି।  

ବୋରୱାଲରେ ଗଳିପଡିଥିବା ଯୁବତୀଙ୍କ ନାମ ଇନ୍ଦ୍ରା ମିଣା(୨୨) ଓ ସେ ରାଜସ୍ଥାନ ଦେବଗଡ଼ ଥାନା ତଲାଇପାଲ ଗାଁର। କୃଷି ଶ୍ରମିକ ଭାବେ ପରିବାର ସବୁବର୍ଷ କାମ କରିବାକୁ ଗୁଜରାଟ ଆସନ୍ତି। ଏ ବର୍ଷ ମଧ୍ୟ ଇନ୍ଦ୍ରା ତାଙ୍କ ଭାଇ ଓ ଭଉଣୀମାନଙ୍କ ସହିତ ଖେତରେ କାମ କରିବାକୁ ଗୁଜରାଟ ଆସିଥିଲେ। ରାଜସ୍ଥାନର ଯୁବତୀ ବୋରୱେଲରେ ପଡିଯାଇଥିବା ଖବର ପାଇବାମାତ୍ରେ ପ୍ରତାପଗଡ଼ ଜିଲ୍ଲା କଲେକ୍ଟର ଡ. ଅଞ୍ଜଳି ରାଜୋରିଆ ପ୍ରଶାସନକୁ ଇନ୍ଦ୍ରା ମିଣାଙ୍କ ଘରକୁ ପଠାଇ ସେ ନଳକୂଅରେ ପଡିଯାଇଥିବା ସୂଚନା ଦେଇଛନ୍ତି। 

ସ୍ଥାନୀୟ ଉଦ୍ଧାରକାରୀ ଦଳ ଯୁବତୀଙ୍କ ଉଦ୍ଧାର ନିମନ୍ତେ ଉଦ୍ୟମ ଚଳାଇଛନ୍ତି। ବୋରୱେଲରେ ତାଙ୍କୁ ବଞ୍ଚାଇ ରଖିବା ପାଇଁ ତାଙ୍କ ପାଖକୁ ଅକ୍ସିଜେନ ପହଞ୍ଚା ଯାଉଛି। ଅଧିକାରୀଙ୍କ ଅନୁସାରେ ଯୁବତୀ ଏବେ ଅଚେତ ଅବସ୍ଥାରେ ଅଛନ୍ତି। ତାଙ୍କ ଉଦ୍ଧାର ନିମନ୍ତେ ଜାତୀୟ ବିପର୍ଯ୍ୟୟ ପ୍ରସମନ ବଳ (ଏନଡିଆରଏଫ)  ଓ ସୀମା ସୁରକ୍ଷା ବଳ (ବିଏସଏଫ)କୁ ଡକାଯାଇଛି। 

ନିକଟରେ ରାଜସ୍ଥାନର କିରତପୁର ଗାଁରେ ଏକ ୩ ବର୍ଷର ବାଳିକା  ୧୫୦ଫୁଟ ଗଭୀର ବୋରୱେଲରେ ପଡିଯାଇଥିଲା। ଯାହାକୁ ୯ ଦିନରୁ ଅଧିକ ସମୟ ଧରିଚାଲିଥିବା ଉଦ୍ଧାର କାର୍ଯ୍ୟରେ ବାହାରକୁ ବାହାର କରାଯାଇଥିଲା। ତେବେ ଅଥକ ଉଦ୍ୟମ ସତ୍ତ୍ୱେ ବାଳିକାଟିର ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା ଓ ତାକୁ ବଞ୍ଚା ଯାଇ ପାରିନଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.